ଆରକ୍ଷଣ ବୃଦ୍ଧି ଯଥାର୍ଥ ନୁହେଁ କି?


ବିହାର ସରକାର ଚାକିରି କ୍ଷେତ୍ରରେ ଆରକ୍ଷଣକୁ ବଢ଼ାଇ ୬୫% କରି ଦେଇଛନ୍ତି। ବିଧାନସଭାରେ ପାରିତ ହୋଇଥିବା ଆଇନ ଅନୁସାରେ ଏବେ ଅନୁସୂଚିତ ଜାତିଙ୍କୁ ୨୦%, ଅନୁସୂଚିତ ଜନଜାତିଙ୍କୁ ୨%, ପଛୁଆବର୍ଗଙ୍କୁ ୧୮% ଓ ଅତି ପଛୁଆବର୍ଗଙ୍କୁ ୨୫% ଆରକ୍ଷଣ ମିଳିବ। ଏହି ନିଷ୍ପତ୍ତିକୁ କେନ୍ଦ୍ର କରି ଦେଶବ୍ୟାପୀ ବିତର୍କ ଆରମ୍ଭ ହୋଇଯାଇଛି; ହେବା ଦରକାର ବି।ପ୍ରଶ୍ନ ଉଠୁଛି ଯେ ୬୫% ଆରକ୍ଷଣ କ’ଣ ବହୁତ ଅଧିକ ନୁହେଁ? ଏହା କ’ଣ ସଂବିଧାନ ସମ୍ମତ? ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି? ଏହି ସବୁ ପ୍ରଶ୍ନ ଉପରେ ସ୍ପଷ୍ଟ ଭାବରେ ଆଲୋଚନା ହେବା ଜରୁରୀ। କାରଣ, ଯେଉଁ ପ୍ରଶ୍ନ ଆଜି ବିହାରକୁ ନେଇ ପଚରାଯାଉଛି କାଲିକୁ ତାହା ସାରା ଦେଶରେ ଉଠିପାରେ।ଆରକ୍ଷଣର ପରିମାଣ ଯଥାର୍ଥ ଅଥବା କମ୍‌ କି ଅଧିକ, ତାହା ନିର୍ଣ୍ଣୟ କରିବା ପାଇଁ ପ୍ରଥମେ ଆମକୁ ଦୁଇଟି ତଥ୍ୟ ଦରକାର। ପ୍ରଥମଟି ହେଲା, ଯେଉଁ ବର୍ଗକୁ ଆରକ୍ଷଣ ଦିଆଯାଉଛି, ସେମାନଙ୍କ ଜନସଂଖ୍ୟାର ଅନୁପାତ କେତେ? ଦ୍ବିତୀୟରେ, ଚାକିରି କ୍ଷେତ୍ରରେ କେତେ ଭାଗ ଆରକ୍ଷଣ ସେହି ବର୍ଗଙ୍କୁ ମିଳିଛି?ପ୍ରଥମେ ଜନସଂଖ୍ୟା ପରିମାଣକୁ ଦେଖାଯାଉ। ବିହାରରେ ହୋଇଥିବା ଜାତିଗତ ଜନଗଣନା ଅନୁସାରେ ରାଜ୍ୟରେ ଅନୁସୂଚିତ ଜାତିର ଜନସଂଖ୍ୟା ୧୯.୭% ବା ପାଖାପାଖି ୨୦% ହୋଇଥିବା ବେଳେ ଅନୁସୂଚିତ ଜନଜାତିର ଜନସଂଖ୍ୟା ହେଉଛି ୧.୭% ବା ପ୍ରାୟ ୨%। ଅର୍ଥାତ୍‌ ଏହି ଦୁଇ ଶ୍ରେଣୀ ପାଇଁ ପ୍ରସ୍ତାବିତ ଆରକ୍ଷଣ ସେମାନଙ୍କ ଜନସଂଖ୍ୟା ଅନୁପାତରେ ଠିକ୍‌ ରହିଛି। ଏହା ଆଇନ ସମ୍ମତ। ଏହି ଜନଗଣନା ଅନୁସାରେ ପଛୁଆ ବର୍ଗର ଜନସଂଖ୍ୟା ୨୭ ପ୍ରତିଶତ ଏବଂ ଅତି ପଛୁଆ ବର୍ଗର ଜନସଂଖ୍ୟା ୩୬.୧ ପ୍ରତିଶତ। ଅର୍ଥାତ୍‌ ଏହି ଦୁଇ ବର୍ଗ ପାଇଁ ପ୍ରସ୍ତାବିତ ଆରକ୍ଷଣରେ ବୃଦ୍ଧି ହେବା ସତ୍ତ୍ବେ ସେମାନଙ୍କୁ ଯେଉଁ କୋଟା ମିଳିବ (ପଛୁଆ ବର୍ଗଙ୍କ ପାଇଁ ୧୮% ଓ ଅତି ପଛୁଆ ବର୍ଗ ପାଇଁ ୨୫%), ତାହା ସେମାନଙ୍କ ଜନସଂଖ୍ୟା ଅନୁପାତରେ ଯଥେଷ୍ଟ କମ୍‌ ହେବ। ରାଜ୍ୟରେ ଅଣଆରକ୍ଷିତ ବା ସାଧାରଣ ବର୍ଗର ଜନସଂଖ୍ୟା ହେଉଛି ୧୫.୫%। ନୂଆ ଆରକ୍ଷଣ ନୀତି ଅନୁସାରେ ସେମାନଙ୍କ ପାଇଁ ୩୫% ପଦ ଖୋଲା ରହିବ।ଏବେ ଚାକିରି କ୍ଷେତ୍ରରେ ବର୍ତ୍ତମାନର ସ୍ଥିତିକୁ ଦେଖାଯାଉ। ବିହାରର ଜନଗଣନା ମୁତାବକ ସବର୍ଣ୍ଣ ହିନ୍ଦୁ ହେଉଛନ୍ତି ବିହାର ଜନସଂଖ୍ୟାର ୧୨%, ମାତ୍ର ସରକାରୀ ଚାକିରିରେ ସେମାନଙ୍କ ଭାଗ ହେଉଛି ୨୯% ଏବଂ ବେସରକାରୀ ଚାକିରି କ୍ଷେତ୍ରରେ ସେମାନଙ୍କ ପରିମାଣ ହେଉଛି ୩୯%। ଜନସଂଖ୍ୟା ତୁଳନାରେ ସେମାନଙ୍କର ଏହି ଭାଗ ଅଢ଼େଇରୁ ଚାରିଗୁଣା ଅଧିକ। ପଛୁଆ ବର୍ଗଙ୍କର ଭାଗ ବରାବର ରହିଛି। ସେମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୭% ହୋଇଥିବା ବେଳେ ସରକାରୀ ଚାକିରିରେ ସେମାନଙ୍କ ଭାଗ ୩୦% ଓ ବେସରକାରୀ ଚାକିରିରେ ୨୫% ରହିଛି। ସେମାନଙ୍କ ତୁଳନାରେ ଅତି ପଛୁଆ ବର୍ଗଙ୍କର ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିଛି। ମୋଟ ଜନସଂଖ୍ୟାର ସେମାନେ ୩୬% ହୋଇଥିବା ବେଳେ ସରକାରୀ ଚାକିରିରେ ସେମାନଙ୍କ ଉପସ୍ଥିତି ମାତ୍ର ୨୩% ଓ ବେସରକାରୀ କ୍ଷେତ୍ରରେ ୨୨% ରହିଛି। ସେହିପରି ଦଳିତ ସମାଜର ଜନସଂଖ୍ୟା ମୋଟ ଜନସଂଖ୍ୟାର ୨୦% ହୋଇଥିବା ସତ୍ତ୍ବେ ସରକାରୀ ଓ ବେସରକାରୀ ଚାକିରିରେ ସେମାନଙ୍କ ପରିମାଣ ଯଥାକ୍ରମେ ମାତ୍ର ୧୪% ଓ ୮% ରହିଛି। ପୁଣି ଏହି ସବୁ ତଥ୍ୟ ପରିବାର ଦ୍ବାରା ପ୍ରଦତ୍ତ ସୂଚନା ଉପରେ ଆଧାରିତ। ଯଦି ଏହା ଆଧିକାରିକ ରୂପରେ ସରକାରୀ ଓ ଘରୋଇ ସଂସ୍ଥା ଦ୍ବାରା ସଂଗ୍ରହ କରାଯିବ, ତେବେ ଚାକିରିରେ ଅତି ପଛୁଆ ବର୍ଗ ଓ ଦଳିତଙ୍କ ସଂଖ୍ୟା ଆହୁରି କମିଯିବାର ସମ୍ଭାବନା ରହିଛି। ଅର୍ଥାତ୍‌, ଚାକିରି କ୍ଷେତ୍ରରେ ଏହି ବର୍ଗଙ୍କର ଭାଗୀଦାରି ବଢ଼ାଇବାର ଆବଶ୍ୟକତା ରହିଛି।ଏ ପରିପ୍ରେକ୍ଷୀରେ ସାଂବିଧାନିକତାର ପ୍ରଶ୍ନ ସେତେ ବଡ଼ ନୁହେଁ, ଯେତିକି ଦର୍ଶାଯାଉଛି। ଆମ ସଂବିଧାନରେ ସ୍ପଷ୍ଟ ଭାବରେ କୁହାଯାଇଛି କି, କୌଣସି ପଛୁଆ ବର୍ଗଙ୍କୁ ନ୍ୟାୟପୂର୍ଣ୍ଣ ଭାଗୀଦାରି ଦେବା ଲାଗି ପ୍ରଦାନ କରାଯାଉଥିବା କୌଣସି ବି ବିଶେଷ ପ୍ରାବଧାନକୁ କେବେ ସମାନତା ଅଧିକାରର ଉଲ୍ଲଂଘନ ବୋଲି ବିଚାର କରାଯିବ ନାହିଁ। ସଂରକ୍ଷଣ ନୀତି ଏହି ଆଇନର ଭିତ୍ତି ଉପରେ ଆଧାରିତ। ହଁ, ସୁପ୍ରିମ୍‌ କୋର୍ଟ ଗୋଟିଏ ସମୟରେ ଏକ କଟକଣା ନିଶ୍ଚିତ ଲଗାଇଥିଲେ କି, ସମସ୍ତ ପ୍ରକାର ଆରକ୍ଷଣ ମିଶି ୫୦ ପ୍ରତିଶତ ସୀମାକୁ ଟପିବା ଉଚିତ ନୁହେଁ। ଅବଶିଷ୍ଟ ଅଧା ଚାକିରି ପ୍ରତିସ୍ପର୍ଦ୍ଧା ମାଧ୍ୟମରେ ସ୍ଥିର କରାଯିବା ଉଚିତ। ମାତ୍ର ଏ ଭିତରେ ଅନେକ ରାଜ୍ୟ ୫୦ ପ୍ରତିଶତରୁ ଅଧିକ ଆରକ୍ଷଣର ପ୍ରାବଧାନ କରିଛନ୍ତି। ଏପରିକି ୨୦୧୮ରେ କେନ୍ଦ୍ର ସରକାର ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍‌ଲ୍ୟୁଏସ୍‌) ବା ଗରିବ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣ ଲାଗୁ କରି ନିଜେ ହିଁ ଏହି ସୀମାକୁ ଅତିକ୍ରମ କରିସାରିଛନ୍ତି। ସୁପ୍ରିମ୍‌ କୋର୍ଟ ବି ଏହା ଉପରେ ବୈଧତାର ମୋହର ଲଗାଇ ସାରିଛନ୍ତି। ତେଣୁ ଏହା ମାନିବାକୁ ହେବ ଯେ, ୫୦%ର ଆରକ୍ଷଣ ସୀମାରେଖା ଆଉ କୌଣସି ଅନତିକ୍ରମଣୀୟ ଲକ୍ଷ୍ମଣ ଗାର ହୋଇ ରହି ନାହିଁ।ବାକି ରହିଲା ଆରକ୍ଷଣ ପଛରେ ରାଜନୈତିକ ଉଦ୍ଦେଶ୍ୟର କଥା। ଏଥିରେ କୌଣସି ସନ୍ଦେହ ନାହିଁ କି, ନୀତୀଶ କୁମାର ସରକାର ଆରକ୍ଷଣକୁ ବଢ଼ାଇ ପଛୁଆ ଓ ଅତି ପଛୁଆ ବର୍ଗଙ୍କୁ ଆକର୍ଷିତ କରିବା ଲାଗି ପ୍ରୟାସ କରିଛନ୍ତି। ଯେତେବେଳ ପର୍ଯ୍ୟନ୍ତ ନୀତୀଶ କୁମାର ବିଜେପି ସମର୍ଥନରେ ସରକାର ଚଳାଉଥିଲେ, ସେ ପର୍ଯ୍ୟନ୍ତ ଉଚ୍ଚ ବର୍ଗର ଲୋକଙ୍କ ଭୋଟ୍‌ ତାଙ୍କର ଆଶ୍ରା ହୋଇ ରହିଥିଲା। ଏବେ ସେ ନିଜର ନୂଆ ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ ସହ ମିଶି ପଛୁଆ ଓ ଅତି ପଛୁଆ ବର୍ଗଙ୍କ ଭିତରେ ନିଜର ସ୍ଥିତି ମଜଭୁତ କରିବାକୁ ଚାହୁଁଛନ୍ତି। ତେବେ ଏଥିରେ ନା କିଛି ଅବାସ୍ତବ କଥା ରହିଛି ନା ଏଭଳି କିଛି ଉପାଦାନ ରହିଛି ଯାହା ଆରକ୍ଷଣକୁ ନୀତି ବିରୁଦ୍ଧ କରିପକାଇବ।ଏ କଥା ସତ ଯେ, ଲୋକତନ୍ତ୍ରରେ ପ୍ରତ୍ୟେକ ପ୍ରମୁଖ ନୀତି ରାଜନୀତି ଦ୍ବାରା ପ୍ରଭାବିତ ହୋଇଥାଏ। ୨୦୧୮ରେ ନରେନ୍ଦ୍ର ମୋଦୀ ସରକାର ଯେତେବେଳେ କେନ୍ଦ୍ରରେ ତରବରିଆ ଭାବେ ଇଡବ୍‌ଲ୍ୟୁଏସ୍‌ ଆରକ୍ଷଣ ନୀତି କାର୍ଯ୍ୟକାରୀ କଲେ, ସେତେବେଳେ ତାହା ପଛରେ ୨୦୧୯ ନିର୍ବାଚନର ଭୋଟ୍‌ ଗଣିତ ରହିଥିଲା। ଆଶ୍ଚର୍ଯ୍ୟର କଥା, ଯେଉଁମାନେ ସେ ସମୟରେ ମୋଦୀ ସରକାରଙ୍କ ଉଦ୍ଦେଶ୍ୟର କୌଣସି ଦୋଷ ଖୋଜି ପାଇନଥିଲେ, ଏବେ ସେମାନେ ନୀତୀଶ କୁମାର ସରକାରଙ୍କ ନିହିତ ରାଜନୈତିକ ସ୍ବାର୍ଥ ପଢ଼ିବାରେ ବ୍ୟସ୍ତ ଅଛନ୍ତି। ଏ କଥା ମଧ୍ୟ ସତ ଯେ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ରାସନ ଯୋଜନାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ବଢ଼ାଇବାର ଘୋଷଣା ମଧ୍ୟ ଭୋଟ୍‌ ଗଣିତ ଦ୍ବାରା ସଂଚାଳିତ। ମାତ୍ର ତାହା ଉପରେ କେହି ପ୍ରଶ୍ନ ଉଠାଉନାହାନ୍ତି।ଏଭଳି ପରିସ୍ଥିତିରେ ଏକ ସନ୍ଦେହ ସୃଷ୍ଟି ହୋଇଛି କି, ଯେତେବେଳେ ପଛୁଆ ଜାତିର ଲୋକଙ୍କୁ କିଛି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି, ସେତେବେଳେ କାହିଁକି ଭୋଟ୍‌ ବ୍ୟାଙ୍କ ରାଜନୀତିର ପ୍ରଶ୍ନ ଉଠୁଛି? ବିହାରର ଜାତିଗତ ଜନଗଣନା ତଥ୍ୟ ଉପରେ କାହିଁକି ଆଲୋଚନା କରାଯାଉନାହିଁ? ବିହାରରେ ଆର୍ଥିକ ଓ ଶିକ୍ଷାଗତ ଆଧାରରେ ରହିଥିବା ଗଭୀର ଅସମାନତା ବାବଦରେ ଚିନ୍ତା ପ୍ରକଟ କରାଯାଉ ନାହିଁ କାହିଁକି? ଏହା ପଛରେ ଆମର ସବର୍ଣ୍ଣ ହିନ୍ଦୁ ଗଣମାଧ୍ୟମ ଓ ଟିପ୍ପଣୀକାମାନଙ୍କର ଜାତିଗତ ପୂର୍ବାଗ୍ରହ ନାହିଁ ତ?ରାଷ୍ଟ୍ରୀୟ ସଂଯୋଜକ, ଭାରତ ଯୋଡ଼ୋ ଅଭିଯାନ।


error: Content is protected !!