ଅନନ୍ୟା ଅତୁଳନୀୟା


ସୁନେଲି ଅକ୍ଷରରେ ଯେଉଁ ନାରୀଙ୍କର ନାମ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବା କଥା , ଅଥଚ” ମା ବାପା ତ ଆମ କାନ୍ଧରେ ଲଦି ଦେଇ ଚାଲିଗଲେ । ଆମର ତ ପୁଣି ପୁଅଝିଅ ଅଛନ୍ତି ନା ନାହିଁ ! ବାହା ହେବାର ବୟସ ହୋଇ ଆସୁଛି , ବାକି ପାଠଶାଠ ଯାହା ପଢ଼ିବା କଥା , ଶଶୁରଘରକୁ ଯାଇ ପଢିବ । ଭଲ ପାତ୍ର ଦେଖି ବାହା କରାଇ ଦିଅ “ଆଉ ଏଭଳି ଭାବରେ ମାତ୍ର ତେର ବର୍ଷ ବୟସରେ ଆମର ଆଜିକାର କାହାଣୀର ନାୟିକାଙ୍କୁ ବାହା କରାଇ ଦିଆଯାଇଥିଲା ତାଙ୍କ ଇଚ୍ଛା ବିରୁଦ୍ଧରେ । ଝିଅର ବୟସ ଯାହା ହେଉନା କାହିଁକି , ଶଶୁରଘରେ ପ୍ରତିଟି ଝିଅର ଗୋଟିଏ ମାତ୍ର ପରିଚୟ , ସେ ବର୍ତ୍ତମାନ ଗୋଟିଏ ଘରର ବୋହୂ । ଆଉ ଘରର ବୋହୂ ହେବା ଅର୍ଥ , ବୋହୂ ଭାବରେ ଯାହାସବୁ ଦାୟିତ୍ଵ ତାକୁ ନିଶ୍ଚିତ ପାଳନ କରିବାକୁ ହେବ । ଫଳରେ ତେର ବର୍ଷର କିଶୋରୀ ଝିଅଟି ବେଶ୍ କିଛିଦିନ ଧରି ସାମଞ୍ଜସ୍ୟ ବିଧାନ କରିବାର ଆପ୍ରାଣ ଚେଷ୍ଟା କରି ଶେଷରେ ବ୍ୟର୍ଥ ହେଲା । ଏକଦା ବାପଘରକୁ ଆସିଥିବା ବେଳେ ନିଜର ବଡଭାଇଙ୍କୁ ନିଜ ଦୁର୍ଦ୍ଦଶାର କଥା ଜଣାଇଲା । ବଡ଼ଭାଇ ସେତେବେଳେ ଆଉ ତାକୁ ଶଶୁରଘରକୁ ନ ପଠାଇ ବିବାହ ବିଚ୍ଛେଦ ମାଧ୍ୟମରେ ସ୍ବାଧୀନତା ଦେବାର ସିଦ୍ଧାନ୍ତ ନେଲେ ।ଆମ କାହାଣୀର ନାୟିକାଙ୍କର ଜୀବନଗାଥା ଏହିଠାରୁ ହିଁ ଆରମ୍ଭ ହୁଏ । *ଅନୁସୂୟା_ସାରାଭାଇ* । ହଁ , ଇଏ ହେଉଛନ୍ତି ଆମ କାହାଣୀର ନାୟିକା , ଯାହାଙ୍କ ନାମରେ ଏକଦା ଗୁଗଲ ଡୁଡଲ ରଖିଥିଲା । ଅନୁସୂୟା ସାରାଭାଇ ବୟନଶିଳ୍ପୀ ଏବଂ ବସ୍ତ୍ର୍ରୋଦ୍ୟୋଗର ଶ୍ରମିକମାନଙ୍କର ହକ୍ ପାଇଁ ଲଢ଼େଇ କରି ୧୯୨୦ ମସିହାରେ ” ମଜଦୁର ମହାଜନ ସଂଘ ” ସ୍ଥାପନ କରନ୍ତି, ଯାହା ଭାରତରେ ଟେକ୍ସଟାଇଲ୍ ମଜଦୁର ମାନଙ୍କ ପାଇଁ ସବୁଠାରୁ ବଡ଼ ଏବଂ ସବୁଠାରୁ ପୁରୁଣା ୟୁନିୟନ୍ ।ବର୍ତ୍ତମାନ କାହାଣୀକୁ ଫେରିବା । କାହାଣୀ ତ ନୁହେଁ , ଅନୁସୂୟା ଙ୍କ ଜୀବନ ଗାଥା ।ବଡ଼ଭାଇ ଙ୍କ ସାହାଯ୍ୟରେ ଭଉଣୀଙ୍କର ମୁକ୍ତିଲାଭ ସମ୍ଭବ ହେଲା । ଅନୁସୂୟା ବଡଭାଇଙ୍କୁ ନିଜର ପଢିବାର ଇଛା ଜଣାଇଲେ । ବଡ଼ଭାଇ ତାଙ୍କୁ ୧୯୧୨ ମସିହାରେ ମେଡିକାଲ ଡିଗ୍ରୀ ପାଇଁ ଇଂଲଣ୍ଡ ପଠାଇଲେ । କିନ୍ତୁ ସେଠାରେ ପଶୁମାନଙ୍କ ଉପରେ ବିଭିନ୍ନ ବ୍ୟବହାରିକ ପ୍ରୟୋଗ ଦେଖି କଷ୍ଟ ପାଇ ସେ ପାଠପଢ଼ା ଛାଡ଼ିଦେଲେ । ତାପରେ ସେ ଲଣ୍ଡନ ସ୍କୁଲ ଅଫ ଇକୋନମିକସ୍ ରେ ଅର୍ଥନୀତି ପଢ଼ିବା ପାଇଁ ନାମ ଲେଖାଇଲେ । ସେ ସମୟରେ ଜଣେ ଭାରତୀୟ ଯୁବତୀ ଲଣ୍ଡନ ସ୍କୁଲ ଅଫ ଇକୋନମିକସ୍ ରୁ ସମ୍ମାନଜନକ ଡିଗ୍ରୀ ହାସଲ କରିବା ଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ପାଠପଢା ଶେଷ ହେବା ପରେ ବଡଭାଇଙ୍କୁ ବ୍ୟବସାୟରେ ସାହାଯ୍ୟ କରିବା ପାଇଁ ସ୍ବଦେଶକୁ ଫେରି ଆସିଲେ । ଭାରତକୁ ଫେରି ଆସିବା ପରେ ସ୍ବଦେଶର ମହିଳା ଓ ଶିଶୁମାନଙ୍କର ଅବସ୍ଥା ଦେଖି ଭୀଷଣ ବ୍ୟଥିତ ହେଲେ । ବିଶେଷତଃ ସେହି ମହିଳାମାନଙ୍କ ପାଇଁ, ଯେଉଁମାନେ ବିଭିନ୍ନ ମିଲ୍ ଓ କାରଖାନାରେ ମଜଦୁର ଭାବରେ କାମ କରନ୍ତି । ଏପରିକି କାରଖାନା ଓ ମିଲ୍ ମାନଙ୍କରେ ମହିଳା ଶ୍ରମିକମାନେ ସର୍ବନିମ୍ନ ସୁବିଧା ଓ ସୁଯୋଗରୁ ମଧ୍ୟ ବଞ୍ଚିତ ହୋଇ ରହୁଥିଲେ । ମହିଳା ଶ୍ରମିକମାନଙ୍କ ପାଇଁ ଶୌଚାଳୟ ମଧ୍ୟ ନ ଥିଲା । ସେମାନଙ୍କର ସନ୍ତାନ ମାନଙ୍କ ପାଇଁ କୌଣସି ସ୍କୁଲ ନ ଥିଲା , କୌଣସି ଡେ – କେୟାର ମଧ୍ୟ ନ ଥିଲା । ମହିଳା ମଜଦୁରମାନେ ପୁରୁଷ ମଜଦୁରଙ୍କ ପରି ସମାନ କାମ କରୁଥିଲେ ମଧ୍ୟ , କମ୍ ମଜୁରୀ ପାଉଥିଲେ । ଏସବୁ ତାଙ୍କୁ ବ୍ୟଥିତ କରିଥିଲା ।ଅନୁସୂୟା ପ୍ରଥମେ ମହିଳା ମଜଦୂରଙ୍କ ସନ୍ତାନମାନଙ୍କ ପାଇଁ ଡେ-କେୟାର ଏବଂ ସ୍କୁଲ ଖୋଲିଲେ । ଏହା ଯେଉଁ ସମୟର କଥା , ସେହି ସମୟରେ ଜଣେ ମହିଳା ଏଭଳି କାମ ପାଇଁ ଆଗଭର ହେବା ଥିଲା ଅକଳ୍ପନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା । ତାଙ୍କ ପ୍ରତିଷ୍ଠିତ ସ୍କୁଲରେ ପୁଣି କୌଣସି ଜାତିଗତ ଭେଦଭାବ ନ ଥିଲା । ଦିନେ ତାଙ୍କ ସ୍କୁଲ ବାରଣ୍ଡାରେ ବସି ସେ ଗୋଟିଏ ଶିଶୁର ମୁଣ୍ଡ କୁଣ୍ଡାଇ ଦେଉଥିଲେ , ସେହି ସମୟରେ କେତେଜଣ ମହିଳା ତାଙ୍କ ସାମ୍ନାରେ ଚାଲି ଚାଲି ଆଗେଇ ଗଲେ । ସେ ଲକ୍ଷ୍ୟ କଲେ ଯେ ସତେ ଯେମିତି ସେହି ମହିଳାମାନଙ୍କ ଭିତରେ କୌଣସି ପ୍ରାଣ ନାହିଁ । ଏହାକୁ ନେଇ ଏକ ସାକ୍ଷାତକାର ରେ ସେ କହିଛନ୍ତି —–“One morning, I was sitting outside in the compound combing out the children’s hair when I saw a group of 15 workers passing by as if in a trance. I called out to them, even though I did not know them well, and asked them, “What’s the matter? Why do you look so lifeless?’They said, “Behen, we have just finished 36 straight hours of work. We have worked for two nights and a day without a break, and now we are on our way home.” These words filled me with horror. This was no different than the kind of slavery women faced!”ଏବଂ ସେହି ଦିନଟି ହିଁ ତାଙ୍କ ଜୀବନର ଏକ ବିଶେଷ ଦିନ ଭାବରେ ଜୀବନର ଗତିପଥ କୁ ନିୟନ୍ତ୍ରଣ କରିଥିଲା । ଏହା ପରେ ସେ ଜଣେ କିମ୍ବଦନ୍ତୀ ହୋଇ ଉଭା ହୋଇଥିଲେ । ସେ ସିଦ୍ଧାନ୍ତ ନେଇଥିଲେ ଯେ ନାରୀ ଶ୍ରମିକଙ୍କ ପାଇଁ ନିଶ୍ଚୟ କିଛି କରିବେ ।ଗଠନ କରିଥିଲେ ମହିଳା ମଜଦୁର ସଂଘ , ଯେଉଁ ସଂଘର ଅଧ୍ୟକ୍ଷ ଥିଲେ ତାଙ୍କର ବଡ଼ଭାଇ ଅମ୍ବାଲାଲ । ଅନୁସୂୟା ମିଲ୍ ମାଲିକ ମାନଙ୍କୁ ଚେତାବନୀ ଶୁଣାଇଲେ ଯେ , ମହିଳା ଶ୍ରମିକ ମାନଙ୍କୁ ସେମାନଙ୍କର ଉଚିତ୍ ପ୍ରାପ୍ୟ ଦେବାକୁ ହେବ ଏବଂ କାମ କରିବାର ନିର୍ଦ୍ଦିଷ୍ଟ ସମୟ ସୂଚୀ ଅନୁସରଣ କରିବାକୁ ହେବ । ନିଜ ବଡ଼ଭାଇ, ଯିଏକି ଜଣେ ମିଲ୍ ମାଲିକ ଥିଲେ, ତାଙ୍କ ବିରୁଦ୍ଧରେ ଲଢ଼ିବାକୁ ମଧ୍ୟ ପଛଘୁଞ୍ଚା ଦେଇନଥିଲେ । ଆନ୍ଦୋଳନ ଓ ସଂଘର୍ଷ ପରେ ସଫଳ ହୋଇଥିଲେ ସେ। ଟ୍ରେଡ ୟୁନିୟନ୍ ର ଭିତ୍ତି ସ୍ଥାପିତ ହେଲା । ଏହି ଆନ୍ଦୋଳନ ମାଧ୍ୟମରେ ସେ ଅହମଦାବାଦର ସମସ୍ତ ମହିଳା ଟେକ୍ସଟାଇଲ୍ ମଜଦୁର ମାନଙ୍କୁ ଐକ୍ୟବଦ୍ଧ କରାଇବାରେ ସଫଳ ହୋଇଥିଲେ । ମହାତ୍ମା ଗାନ୍ଧୀ ମଧ୍ୟ ଅନୁସୂୟାଙ୍କ ଆନ୍ଦୋଳନ କୁ ସମର୍ଥନ କରିଥିଲେ । ଅନୁସୂୟାଙ୍କ ଆନ୍ଦୋଳନ ଫଳରେ ମହିଳା ଶ୍ରମିକମାନେ ସର୍ବନିମ୍ନ ସୁଯୋଗ ସୁବିଧା ପାଇବାରେ ସକ୍ଷମ ହେଲେ । ୧୯୨୦ ମସିହାରେ ” ମଜଦୁର ମହାଜନ ସଂଘ ” ଗଠନ କରାଗଲା , ମହାତ୍ମା ଗାନ୍ଧୀ , ଅନୁସୂୟାଙ୍କୁ ସେହି ସଂଘର ଆଜୀବନ ସଭାପତି ଘୋଷଣା କରିଥିଲେ ।ଆଜୀବନ ଅନୁସୂୟା ନିପୀଡିତ ମହିଳା ଶ୍ରମିକ ମାନଙ୍କ ପାଇଁ ଲଢିଥିଲେ ଫଳରେ ମିଲ୍ ମାଲିକମାନଙ୍କର ବିରାଗଭାଜନ ହୋଇଥିଲେ । ଆଶ୍ଚର୍ଯ୍ୟର କଥା ଏହିକି ଯେ, ଏଭଳି ଜଣେ ନିଃସ୍ଵାର୍ଥପର ସଂଗ୍ରାମୀ ମହିଳାଙ୍କ ସମ୍ପର୍କରେ ବିଶେଷ କୌଣସି ଚର୍ଚ୍ଚା ହୁଏ ନାହିଁ ।ସୁନେଲି ଅକ୍ଷରରେ ଯେଉଁ ମହିଳାଙ୍କ ଜୀବନଗାଥା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବା କଥା , ସେ ଅନାଲୋଚିତ ହୋଇ ରହିଛନ୍ତି ।ଯେଉଁ ସମୟରେ ନାରୀର ସ୍ବାଧୀନତା ଘରର ଚାରିକାନ୍ଥ ଭିତରେ ମଧ୍ୟ ଥିଲା ସ୍ବପ୍ନ , ସେହି ସମୟରେ ସମସ୍ତ ପ୍ରତିକୂଳ ପରିସ୍ଥିତି ସହିତ ଲଢେ଼ଇ କରି ନିପୀଡିତ ନାରୀ ଶ୍ରମିକମାନେ କିପରି ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପାଇ ପାରିବେ, ସେଥିପାଇଁ ଜଣେ ନାରୀ ସଂଗ୍ରାମ କରି ସଫଳତା ହାସଲ କରିବା ବାସ୍ତବରେ ବିସ୍ମୟକର । *ସେହି ଅନନ୍ୟା ଅତୁଳନୀୟା ସଂଗ୍ରାମୀ ନାରୀ ଅନୁସୂୟା ସାରାଭାଇଙ୍କୁ ଶ୍ରଦ୍ଧା ଓ ସମ୍ମାନ। ତଥ୍ୟ ସୂତ୍ର :: ଅଭିକ ମୁଖୋପାଧ୍ୟାୟ


error: Content is protected !!