୨୭ ବର୍ଷର ଅପରାଜେୟ ଯାତ୍ରା


ରାଜନେତାରୁ ରାଷ୍ଟ୍ରନେତା ହେବାର ଗୌରବ ଅର୍ଜନ କରିଛନ୍ତି ନବୀନଅପ୍ରେଲ୍‌ ୧୭ ତାରିଖ। ଓଡ଼ିଶା ରାଜନୀତିର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆକସ୍ମିକ ବିୟୋଗ ରାଜ୍ୟବାସୀଙ୍କୁ କରିଥିଲା ଶୋକାଭିଭୂତ। ଦିଗହରା ହୋଇଥିଲା ରାଜ୍ୟର ଅଣକଂଗ୍ରେସ ରାଜନୀତି। ସେହି ଘଡ଼ି ସନ୍ଧିକ୍ଷଣରେ ବିଜୁବାବୁଙ୍କ କେତେକ ଘନିଷ୍ଠ ସହଯୋଗୀଙ୍କ ଉଦ୍ୟମରେ ଓଡ଼ିଶାରେ ଜନ୍ମ ନେଇଥିଲା ଏକ ନୂତନ ଆଞ୍ଚଳିକ ଦଳ, ଯାହାର ମଙ୍ଗ ଧରିଥିଲେ ତାଙ୍କର କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ।ପ୍ରବାଦ ପୁରୁଷଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାର ଲକ୍ଷ୍ୟ ନେଇ ପରିକଳ୍ପିତ ଏହି ନୂତନ ରାଜନୈତିକ ସଂଗଠନକୁ ‘ବିଜୁ ଜନତା ଦଳ’ ରୂପେ ନାମିତ କରାଯିବା ସଂଗେ ସଂଗେ ସେହିବର୍ଷ ଡିସେମ୍ବର ୨୬ ତାରିଖରେ ଏହା ବିଧିବଦ୍ଧ ଭାବରେ ଜନ୍ମ ନେଲା। ସେଦିନ ଓଡ଼ିଶା ରାଜନୀତିରେ ସମ୍ପୂର୍ଣ୍ଣ ଅନଭିଜ୍ଞ ତଥା ନବାଗତ ବ୍ୟକ୍ତିତ୍ୱ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଯେଉଁ ସଂଗଠନର ଚାରା ରୋପଣ କରାଯାଇଥିଲା, ତାହା ୨୬ ବର୍ଷ ପରେ ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି।ଆଜି ଅପରାଜେୟ ବିଜୁ ଜନତା ଦଳ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ଏକ ସୁଦୃଢ଼ ଓ ଶକ୍ତିଶାଳୀ ଆଞ୍ଚଳିକ ଦଳ ରୂପେ ପରିଗଣିତ ହୋଇଛି। ସେଦିନର ନବୀନ ସଫଳତାର ଦୀର୍ଘପଥ ଅତିକ୍ରମ କରି ଆଜି ରାଜନେତାରୁ ରାଷ୍ଟ୍ରନେତା ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କର ବଳିଷ୍ଠ ନେତୃତ୍ୱରେ ପରିଚାଳିତ ବିଜୁ ଜନତା ଦଳ ନିରବଚ୍ଛିନ୍ନ ଭାବରେ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଶାସନ ଡୋରିକୁ ସମ୍ଭାଳି ଆସିଥିବା ବେଳେ ଏହାର ସମକକ୍ଷ ହେବା ଭଳି କୌଣସି ରାଜନୈତିକ ଦଳ ଦୃଶ୍ୟମାନ ହେଉନାହାନ୍ତି। ଏକାଦିକ୍ରମେ ପାଞ୍ଚଥର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧି ନବୀନ ବାବୁ ଦେଶର ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେବାର ଯଶ ଓ ଖ୍ୟାତି ଅର୍ଜନ କରିବା ସଂଗେ ସଂଗେ ପଶ୍ଚିମବଙ୍ଗର ଅବିସମ୍ବାଦିତ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭଙ୍ଗ କରିବାକୁ ସକ୍ଷମ ହୋଇଛନ୍ତି। ଓଡ଼ିଶାର ସାମଗ୍ରିକ ବିକାଶ ଓ ସମାଜର ସବୁଠାରୁ ତଳ ସ୍ତରରେ ଥିବା ଗରିବ ଓ ଅବହେଳିତ ମଣିଷଙ୍କ କଲ୍ୟାଣ ସାଧନକୁ ଜୀବନର ବ୍ରତ ରୂପେ ଗ୍ରହଣ କରିଥିବା ନବୀନ ବାବୁଙ୍କ ଜାତକରେ ଯେପରି ପରାଜୟ ଶବ୍ଦ ନଥିଲା ଭଳି ମନେ ହେଉଛି।ବିଜେଡି ସରକାର ରାଜ୍ୟର କୃଷକ, ଶ୍ରମିକ, ମହିଳା, ଦଳିତ ଓ ଆଦିବାସୀ ବର୍ଗର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, କ୍ରୀଡ଼ା ଆଦି କ୍ଷେତ୍ରରେ ବହୁ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଶିକ୍ଷାର ରୂପାନ୍ତରୀକରଣ, ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ କରିବା, ଐତିହ୍ୟପୀଠଗୁଡ଼ିକର ସୌନ୍ଦର୍ଯ୍ୟକରଣ ଓ ବିକାଶ ଭଳି କେତେକ ଅଭିନବ କାର୍ଯ୍ୟକ୍ରମ ନବୀନ ସରକାରଙ୍କ ସଫଳତାର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ ରୂପେ ବିବେଚିତ ହେଉଛି। ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକର ସଫଳ ମୁକାବିଲା ଏବଂ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇ ରାଜ୍ୟ ସରକାର ଜାତୀୟ ଓ ଅର୍ନ୍ତଜାତୀୟ କ୍ଷେତ୍ରରେ ବେଶ୍‌ ଚର୍ଚ୍ଚିତ ଓ ପ୍ରଶଂସିତ ହୋଇଛନ୍ତି। ମହାମାରୀ କରୋନା ସାରା ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିବା ବେଳେ ନବୀନ ସରକାର ନିଜ ରାଜ୍ୟର ଆବଶ୍ୟକତାକୁ ପୂରଣ କରି ଦେଶର ଅନ୍ୟ ରାଜ୍ୟକୁ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି।ନବୀନ ବାବୁଙ୍କ ନେତୃତ୍ୱାଧୀନ ବିଜେଡି ସରକାର ରାଜ୍ୟକୁ କେବଳ ରାଜନୈତିକ ସ୍ଥିରତା ଦେଇନାହିଁ, ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସହିତ ବାର୍ଷିକ ବଜେଟ୍‌ ପରିମାଣ ୨ଲକ୍ଷ ୩୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ସକ୍ଷମ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ବିନା ଅନୁଦାନରେ ରାଜ୍ୟର ନିଜସ୍ୱ ସମ୍ବଳରେ ବହୁ ବଡ଼ ବଡ଼ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ‘୫-ଟି’ ଏବଂ ‘ମୋ ସରକାର’ ଭଳି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶାସନକୁ ଜନସାଧାରଣଙ୍କ ନିକଟତର କରିବାର ପ୍ରୟାସ ଜାରି ରହିଛି। ରାଜ୍ୟ ପ୍ରଶାସନରେ ସ୍ୱଚ୍ଛତା ଆଣି ଏହାକୁ ଜନସାଧାରଣଙ୍କ ଉତ୍ତରଦାୟୀ କରିବାକୁ ବିଜେଡି ସରକାରଙ୍କ ପଦକ୍ଷେପକୁ ପ୍ରତିଦ୍ୱନ୍ଦ୍ୱୀମାନେ ମଧ୍ୟ ପ୍ରଶଂସା କରିବାକୁ ପଛାଇନାହାନ୍ତି।


error: Content is protected !!