ଜାନୁଆରି ୧ରୁ ପିଡିଏସ୍‌ କେନ୍ଦ୍ର ବନ୍ଦ


ଜାନୁଆରି ୧ରୁ ପିଡିଏସ୍‌ କେନ୍ଦ୍ର ବନ୍ଦ! କୋଭିଡର ବକେୟା ବି ବାକି, ଆନ୍ଦୋଳନମୁହାଁ ଡିଲରଜାନୁଆରି ୧ ତାରିଖରୁ ରାଜ୍ୟର ସମସ୍ତ ପିଡିଏସ୍‌ କେନ୍ଦ୍ରକୁ ବନ୍ଦ ପାଇଁ ଧମକ ଦେଇଛି ପିଡିଏସ୍‌ ଡିଲର ଫେଡରେସନ୍‌ର ଓଡ଼ିଶା ୟୁନିଟ। ସର୍ବଭାରତୀୟ ଡିଲର ଫେଡରେସନ୍‌ର ଆହ୍ବାନ ଅନୁସାରେ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଥିବା ସମସ୍ତ ପିଡିଏସ୍‌ ଡିଲରଙ୍କର ୩୦ ମାସର ବକେୟା, କୋଭିଡ୍‌ ସମୟର ବକେୟା ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ କରାଯାଉଛି।ଫେଡରେସନ୍‌ ସୂଚନା ଅନୁଯାୟୀ, ରାଜଧାନୀର ୧୦୧ ସମେତ ୬୩୦୦ ପିଡିଏସ୍‌ କେନ୍ଦ୍ର ଅଛି। ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାଗଣା ଚାଉଳ ପ୍ରଦାନରେ ଏହି କେନ୍ଦ୍ରଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ। ସାଧାରଣତଃ ପ୍ରତି ମାସ ୧ ତାରିଖରୁ ଚାଉଳ ପିଡିଏସ୍‌ କେନ୍ଦ୍ରକୁ ପଠାଯାଏ। ୪ ତାରିଖରୁ କେନ୍ଦ୍ରଗୁଡ଼ିକ ହିତାଧିକାରୀଙ୍କୁ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୁଏ। ପିଡିଏସ୍‌ ଡିଲର ଫେଡରେସନ୍‌ର ଭୁବନେଶ୍ବରର ସମ୍ପାଦକ ଦାମୋଦର ସାହୁ କହିଛନ୍ତି, ପ୍ରତ୍ୟେକ ପିଡିଏସ୍‌ ଡିଲରଙ୍କୁ କ୍ବିଣ୍ଟାଲ ପିଛା ୯୦ ଟଙ୍କା କମିସନ ଦିଆଯାଏ। ଜଣେ ଡିଲର୍‌ ସର୍ବାଧିକ ୧୦୦ କ୍ବିଣ୍ଟାଲ ପର୍ଯ୍ୟନ୍ତ ଚାଉଳ ଦେଇ ପାରିବ। ଅର୍ଥାତ ମାସକୁ କମିସନ ବାବଦରେ ୯ ହଜାର ଟଙ୍କା ମିଳିବ। ହେଲେ ଏହା ଯଥେଷ୍ଟ ହେଉ ନାହିଁ। ଏହାକୁ ଦୁଇ ଗୁଣ କରାଯିବା, ୨୫ ଲକ୍ଷ ବୀମା ସୁରକ୍ଷା ଥିବା ବିଏସ୍‌କେୱାଇ କାର୍ଡ ପ୍ରଦାନ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି ଏବଂ ଖାଇବା ତେଲକୁ ସାମିଲ, ୧ କ୍ବିଣ୍ଟାଲ୍‌ ଚାଉଳରେ ୧ କିଲୋ ଚାଉଳ ନଷ୍ଟକୁ ସ୍ବାଭାବିକ ଭାବରେ ଗ୍ରହଣ ସମେତ ୯ ଦଫା ଦାବି କରାଯାଇଛି। କରୋନାର ବକେୟା ଟଙ୍କା ମଧ୍ୟରୁ କେନ୍ଦ୍ର ଦେଇଥିବା ୨୪୬ କୋଟି ଟଙ୍କା ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ମିଳି ନାହିଁ। ଏହି ବଣ୍ଟନ କାର୍ଯ୍ୟ ଶୀଘ୍ର ସାରିବାକୁ ସେମାନେ କହିଛନ୍ତି।ରାଜ୍ୟର ଦାବି ୬୬୩ କୋଟି, କେନ୍ଦ୍ର ଦେଇଛି ୨୪୬ କୋଟିକରୋନା ସମୟରେ ପିଡିଏସ୍‌ ଡିଲରମାନେ ୨୮ ମାସ ଧରି ବାଣ୍ଟିଥିବା ଚାଉଳ ବକେୟା ଆଜି ପର୍ଯ୍ୟନ୍ତ ମିଳିନଥିବା ନେଇ ଦୁଇ ବର୍ଷ ହେଲା ସେମାନେ ଆନ୍ଦୋଳନ କରୁଛନ୍ତି। ଏପରିକି ଏହାକୁ ନେଇ ଲୋୟର ପିଏମ୍‌ଜିରେ ମଧ୍ୟ ଧାରଣ ଦେଇ ସାରିଛନ୍ତି। ଏହାକୁ ନେଇ ଗତ ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟନାୟକ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଡିଲରମାନେ ୨୮ ମାସ ଧରି ଆବଣ୍ଟନ କରିଥିବା ମାଗଣା ଚାଉଳର ଯୋଗାଣ ଏବଂ ହ୍ୟାଣ୍ଡ୍‌ଲିଙ୍ଗ ତଥା ଏଫପିଏସ୍‌ ଡିଲରମାନଙ୍କ ବେସିକ୍‌ ଓ ଆଡିସିନାଲ୍‌ ମାର୍ଜିନ ବାବଦକୁ ରାଜ୍ୟ ସରକାର ୬୬୩.୨୭ କୋଟି ଟଙ୍କା ଦାବି କରିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ପର୍ଯ୍ୟାୟରେ ସାମୁହିକ ଭାବରେ ୨୪୬.୩୫ କୋଟି ଟଙ୍କା ଦେଇଛନ୍ତି। ଏହି ଅନୁଦାନକୁ ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ପରିଚାଳକଙ୍କୁ ସାମୁହିକ ଭାବରେ ରାଜ୍ୟ ଯୋଗାଣ ନିଗମର ମୁଖ୍ୟାଳୟରୁ ପ୍ରଦାନ କରାଯାଇଛି। ଡିଲରମାନଙ୍କୁ ଏହାର ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଚଳିତ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ କେନ୍ଦ୍ର ତରଫରୁ ପରିବହନ ଏବଂ ହାଣ୍ଡଲିଙ୍ଗ୍‌ ତଥା ଏପପିଏସ୍‌ ଡିଲରମାନଙ୍କର ବେସିକ ଆଡିସିନାଲ ମାର୍ଜିନ ବାବଦକୁ କୌଣସି ଅନୁଦାନ ମିଳିନଥିବାରୁ ଏଫପିଏସ୍‌ ଡିଲରମାନଙ୍କୁ ତାଙ୍କ ପ୍ରାପ୍ୟ ଦିଆଯାଇ ନାହିଁ।


error: Content is protected !!