ଭୁବନେଶ୍ଵର: ଏସସିବି ଅଗ୍ନିକାଣ୍ଡ ନେଇ ବିଧାନସଭାରେ ବିବୃତ୍ତି ରଖିଲେ ସ୍ଵାସ୍ଥ୍ୟମନ୍ତ୍ରୀ। କହିଲେ କଟକ ଏସ.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ଘଟିଥିବା ଆକସ୍ମିକ ଅଗ୍ନି ଦୁର୍ଘଟଣା ଅତି ଦୁଃଖଦାୟକ। ନିଆଁ ଲାଗିବା ମାତ୍ରେ ଟ୍ରମା କେୟାର ସେଣ୍ଟରର ପ୍ରଥମ ମହଲା ଆଇ.ସି.ୟୁ ଏବଂ ପାଖାପାଖି ୱାର୍ଡରେ ଥିବା ୨୩ ଜଣ ରୋଗୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କର୍ମଚାରୀମାନେ ସ୍ଥାନାନ୍ତର କରିଥିଲେ।
ସମସ୍ତଙ୍କୁ ଅନ୍ୟ ଆଇ.ସି.ୟୁ ୱାର୍ଡକୁ ସ୍ତାନାନ୍ତର କରାଯାଇଥିଲା। ୭ ଜଣ ରୋଗୀଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୱାର୍ଡ ଓ ଆଇ.ସି.ୟୁକୁ ସ୍ଥାନାନ୍ତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୫ ଜଣ ଗୁରୁତର ରୋଗୀଙ୍କର ଦେହାନ୍ତ ହୋଇଥିଲା । ଦେବଦୂତ ସାଜି ରୋଗୀମାନଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ୧୧ ଜଣ ମେଡିକାଲ କର୍ମଚାରୀ ନିଆଁ ପ୍ରଭାବରେ ଆହତ ହୋଇଥିଲେ। ସେମାନଙ୍କର ଏବେ ଚିକିତ୍ସା ଚାଲିଛି। ସେମାନେ ବିପଦମୁକ୍ତ ଅଛନ୍ତି।
ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଜାଣିବା ପରେ ସୋମବାର ସକାଳ ୪ଟା ୧୭ରେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ରୋଗୀଙ୍କ ପରିବାରକୁ ସମବେଦନା ଏବଂ ଆଶ୍ଵସନା ଜଣାଇଥିଲେ। ସମସ୍ତ ଆହତଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଆହତ ରୋଗୀମାନଙ୍କୁ ଉନ୍ନତ ମାନର ଚିକିତ୍ସା କରିବାପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଦୁଃଖ ପ୍ରକାଶ କାରିବା ସହିତ ସମବେଦନା ଜଣାଇଛନ୍ତି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସାମାଜିକ ଗଣମାଧ୍ୟମ ଏକ୍ସରେ ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ପିଏମଏନଆରଏଫରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଥିବା ୨୦୧୦ଟି ଡାକ୍ତରୀ ପ୍ରତିଷ୍ଠାନର ଫାୟାର ଅଡିଟ ଅଗ୍ନିଶମ ବିଭାଗ କରିସାରିଛି। ଅଡିଟ ସମୟରେ ଯେଉଁ ସବୁ ଆବଶ୍ୟକତା ଚିହ୍ନିତ କରାଯାଇଛି ତାହାର ଭରଣା କରିବା ପାଇଁ ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ ସ୍ଵତନ୍ତ୍ର ବଜେଟର ବ୍ୟବସ୍ଥା କରାଯାଇଛି । ଏସସିବି ମେଡିକାଲ କଲେଜରେ ୮୫ଟି ବିଭିନ୍ନ କୋଠା ଅଛି। ଏହି କୋଠାମାନଙ୍କରେ ଯେଉଁ ସବୁ ଅବଶ୍ୟକାତା ରହିଛି ତାହା ଚିହ୍ନଟ କରାଯାଇଛି। ପୂର୍ତ୍ତ ବିଭାଗ ଏହି ସବୁ କାର୍ଯ୍ୟକୁ ହାତକୁ ନେଇଛି। ଯେଉଁ କୋଠାରେ ଅଗ୍ନିକାଣ୍ଡ ଘଟିଲା ସେଠାରେ ରାମ୍ପ, fire extinguisher ଏବଂ hydrant ଥିଲା । ଏହି ସବୁ ବ୍ୟବସ୍ଥା ଗତ ୬ ମାସରେ କରାଯାଇଛି। ବିଜେପି ସରକାର ଦାୟିତ୍ଵ ନେଲାପରେ ହସ୍ପିଟାଲରେ ଅତ୍ୟାଧୁନିକ ଅଗ୍ନି ନିରୋଧକ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି। ଅଗ୍ନି ନିରୋଧ ଓ ନିର୍ବାପନ ପାଇଁ ସରକାର ବଜେଟରେ ପ୍ରଥମଥର ଅର୍ଥ ବରାଦ କରିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ ୩୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ୨୦୨୬-୨୭ ଆର୍ଥିକ ବର୍ଷରେ ମଧ୍ୟ ଏ ବାବଦରେ ୪୦୦ କୋଟି ଟଙ୍କା ପ୍ରବଧାନ କରାଯାଇଛି । ଗତ ସରକାରରେ ୨୪ ବର୍ଷ ମଧ୍ୟରେ ଅଗ୍ନି ନିରୋଧ ପାଇଁ କୌଣସି ସ୍ଵତନ୍ତ୍ର ଅର୍ଥ ବ୍ୟବସ୍ଥା ହୋଇନଥିଲା ।
ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ଵାଳ ନ୍ୟାୟିକ ତଦନ୍ତ କରିବେ। ଏହି ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ଏସ.ସି.ବି ର ସମସ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ତଦନ୍ତରୁ କାହାର ଅବହେଳା ଜଣାପଡ଼ିଲେ ବା କେହି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି କେ ସିଂହ ଏହି କମିଟିର ଚେୟାରମ୍ୟାନ ଅଛନ୍ତି। ଏସସିବି ମେଡିକାଲ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରି ତୁରନ୍ତ Fire Compliant କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଏପରି ଦୁଃଖଦ ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ସତର୍କ ରହିବା ପାଇଁ ସମସ୍ତ ହସ୍ପିଟାଲର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏନେଇ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଯେ, ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣା ଦୁଃଖଦାୟକ। ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଷ୍ଟ୍ରପତି ସମସ୍ତେ ବ୍ୟସ୍ତ ଅଛନ୍ତି। ବିଚାର ବିଭାଗୀୟ ତଦନ୍ତ ଓ ଫ୍ୟାକ୍ଟ ଫାଉଣ୍ଡିଂ ଟିମ୍ ମଧ୍ୟ ଗଠନ ହୋଇଛି। ମୃତାହତଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛି। ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା ।

More Stories
ଗାଙ୍ଗଦହଣୀରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ଛାରଖାର |
ହାଇୱା ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୩ ଆହତ
ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ, ହୋର୍ଡିଂ ଖସି ପଡ଼ି ଦୁଇ ମୃତ |