March 23, 2026

Now Odisha

Now Odisha

ସୁବର୍ଣ୍ଣରେଖା ନଦୀରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା |

Spread the love

ଭୁବନେଶ୍ୱର, ୨୩/୦୩ : ସୁବର୍ଣ୍ଣରେଖା ନଦୀରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା । ୫୦୦ ପାଉଣ୍ଡ ଜୀବନ୍ତ ଆମେରିକୀୟ ବୋମା ଠାବ । ବୋମାକୁ ନିଷ୍କ୍ରିୟ ପାଇଁ ସେନାର ସହାୟତା ଲୋଡ଼ିଛି ପୁଲିସ । ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ବହରାଗୋଡ଼ା ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା ନଦୀ କୂଳ ବାଲିରୁ ଏକ ଶକ୍ତିଶାଳୀ ତଥା ଜୀବନ୍ତ ବୋମା ଉଦ୍ଧାର କରାଯାଇଛି ।

ଦ୍ୱିତୀୟବିଶ୍ୱଯୁଦ୍ଧ ସମୟର ଏକ ଆମେରିକୀୟ ବୋମା ବୋଲି ସୂଚନା ମଳିଛି । ଯାହାର ଓଜନ ପ୍ରାୟ ୫୦୦ ପାଉଣ୍ଡ ବା ୨୨୭ କିଲୋଗ୍ରାମ । ଏହି ବିଶାଳକାୟ ବୋମା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ପ୍ରଶାସନ ଏବଂ ପୋଲିସ ଆଲର୍ଟ ମୋଡ୍‌ରେ ଅଛନ୍ତି । ଗ୍ୟାସ୍ ସିଲିଣ୍ଡର ଭଳି ଦେଖାଯାଉଥିବା ଏହି ବୋମା ଉପରେ ସ୍ପଷ୍ଟ ଭାବରେ ଆମେରିକାନ ମେଡ ବୋଲି ଲେଖାଯାଇଛି ।

ଏହା ଏକ ‘ଜେନେରାଲ୍ ପର୍ପସ୍’ ବୋମା, ଯାହା ଅତୀତରେ କୌଣସି ବିମାନରୁ ଖସି ନଦୀ ବାଲିରେ ପୋତି ହୋଇ ରହିଯାଇଥିଲା ଏବଂ ବିସ୍ଫୋରଣ ହୋଇନଥିଲା । ସ୍ଥାନୀୟ ଲୋକେ ବାଲି ଖୋଳୁଥିବା ସମୟରେ ପାଣିପଡ଼ା-ନାଗୁଡ଼ସାଇ ନିକଟରେ ଏହାକୁ ଠାବ କରିଥିଲେ। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ସିଲ୍ କରିଛି । ରାଞ୍ଚିରୁ ଆସିଥିବା ବୋମା ନିଷ୍କ୍ରିୟକାରୀ ଦଳ ଏହାର ଯାଞ୍ଚ କରିବା ପରେ ଏହାକୁ ଏକ ଘାତକ ତଥା ଶକ୍ତିଶାଳୀ ବୋମା ବୋଲି ସ୍ପଷ୍ଟ କରିଛନ୍ତି । ଉଚ୍ଚ ସ୍ତରୀୟ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି । ତେଣୁ ଏହି ବୋମାକୁ ନିଷ୍କ୍ରିୟ କରିବା ପାଇଁ ଭାରତୀୟ ସେନା ଏବଂ ପଶ୍ଚିମବଙ୍ଗର କଲାଇକୁଣ୍ଡା ଏୟାରଫୋର୍ସ ଷ୍ଟେସନ ସହ ଯୋଗାଯୋଗ କରାଯାଇଛି । ପ୍ରାୟ ୭ ମାସ ପୂର୍ବେ ପଶ୍ଚିମବଙ୍ଗର ଗୋପୀବଲ୍ଲଭପୁର ଥାନା ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା ନଦୀରୁ ମଧ୍ୟ ଏଭଳି ଏକ ବୋମା ଉଦ୍ଧାର କରାଯାଇଥିଲା, ଯାହାକୁ କଲାଇକୁଣ୍ଡା ଏୟାରଫୋର୍ସର ଅଧିକାରୀମାନେ ସଫଳତାର ସହ ନିଷ୍କ୍ରିୟ କରିଥିଲେ ।

error: Content is protected !!