March 26, 2026

Now Odisha

Now Odisha

ଦୀର୍ଘ ୨ ବର୍ଷ ହେଲା ଅଚଳ ଅବସ୍ଥାରେ ବୋର ପଦର ବିଏସ୍ଏନ୍ଏଲ୍ ନେଟୱର୍କ |

Spread the love

ଲାଞ୍ଜିଗଡ, ୨୬/୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ପାହାଡ ପଦର ପଞ୍ଚାୟତ ସ୍ଥିତ ବୋରପଦର ଗାଁ ଠାରେ ଦୀର୍ଘ ୨ ବର୍ଷ ହେଲା ବିଏସ୍ଏନ୍ଏଲ୍ ନେଟୱର୍କ କାମ କରୁନାହିଁ ଫଳରେ ହଜାର ହଜାର ବିଏସ୍ଏନ୍ଏଲ୍ ଉପଭୋକ୍ତା ସେବାରୁ ବଞ୍ଚିତ ରହିଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ଏହାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ଏହି ଅଞ୍ଚଳ ପାଇଁ ନେଟୱର୍କ ସେବା ସ୍ୱପ୍ନ ସଦୃଶ୍ୟ ରହିଥିବା ବେଳେ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ କିଛି ବର୍ଷ ହେଲା ବିଏସ୍ଏନ୍ଏଲ୍ କମ୍ପାନୀ ଟାୱାର ସ୍ଥାପନ କରି ବର୍ତ୍ତମାନ ବିଏସଏନଏଲ ସେବା ଯୋଗାଇ ଆସୁଥିଲା। କିନ୍ତୁ ବିଏସ୍ଏନ୍ଏଲ୍ ନେଟୱର୍କ ହାରାହାରି ୨ ବର୍ଷରୁ ଉର୍ଦ୍ଧ ସମୟ ନେଟୱର୍କ ଉଭାନ ହୋଇଯାଇଛି । କିନ୍ତୁ ବିଏସ୍ଏନ୍ଏଲ୍ ଏକ ପୁରୁଣା ଟେଲିକମ କମ୍ପାନୀ ହୋଇଥିବା ବେଳେ ଏହି ଦୁର୍ଗମ ଅଞ୍ଚଳରେ ଲୋକେ ନିଜ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ବ୍ୟତୀତ ଏମିତିକି ଅଫିସ ମାନଙ୍କରେ ମଧ୍ୟ ଅଧିକତର ଏହି ବିଏସ୍ଏନ୍ଏଲ୍ ସିମରେ ଇଣ୍ଟେର୍ନେଟ ବ୍ୟବହାର କରୁଛନ୍ତି। ହେଲେ ବର୍ତ୍ତମାନ ଲୋକଙ୍କ ଆସ୍ଥା ହରାଉଛି ଏହି କମ୍ପାନୀ ଲୋକଙ୍କୁ ଠିକରେ ସେବା ଯୋଗାଇ ପାରୁନାହିଁ l ଡିଜିଟାଲ ଦୁନିଆଁରେ ଯେ କୌଣସି କାର୍ଯ୍ୟରେ କଲେ ଇଣ୍ଟେର୍ନେଟର ଆବଶ୍ୟକତା ରହିଛି l ତେଣୁ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି । ବିଏସ୍ଏନ୍ଏଲ୍ ନେଟୱର୍କ ଅଚଳ ହୋଇଥିବାରୁ ଇଣ୍ଟେର୍ନେଟ ବା ଫୋନ୍ କଲ ପାଇଁ ଗାଁ ଠାରୁ ଦୁଇ କିଲୋମିଟର ଯିବାକୁ ପଡୁଛି ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି l ଡିଜିଟାଲ ଯୁଗରେ ପିଲାଙ୍କ ପାଠପଢା ଏବଂ ଦୁର୍ଗମ ଅଞ୍ଚଳରେ ରୋଗୀ ସେବା ଓ ଆମ୍ବୁଲାନ୍ସ ଦରକାର ପଡିଲେ ବହୁତ ଅସୁବିଧା ଭୋଗୁଛନ୍ତି l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଟାୱାର ସ୍ଥାପନ କରିଛନ୍ତି ହେଲେ ସରକାରୀ ବାବୁଙ୍କ ଇଛା ଶକ୍ତିର ଅଭାବ ଯୋଗୁଁ ତାହା ବାଟବଣା ହେବାରେ ଲାଗିଛି । ଯେତେ ଅଭିଯୋଗ କଲେ ମଧ୍ୟ ଦେଖ ଶୁଣ ଚୁପରୁହ ନୀତିରେ ଚାଲିଥିବା ବେଳେ ଲୋକେ ଏହି କମ୍ପାନୀ ପ୍ରତି ବିମୁଖ ହେଉଛନ୍ତି। ଏ ନେଇ ଭବାନୀପାଟଣା ବିଏସଏନଏଲ କାର୍ଯ୍ୟାଳୟ ଅଧିକାରୀ କୁଞ୍ଜବିହାରୀ ନାୟକଙ୍କୁ ପଚାରିବା ପାଇଁ ଫୋନଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ କଲ ରିସିଭ କରିନଥିଲେ ତେଣୁ ପ୍ରତିକ୍ରିୟା ମିଳିପାରିଲା ନାହିଁ I ତେବେ ଏହି ନେଟୱର୍କ ଶୀଘ୍ର କାର୍ଯ୍ୟକାରିତା ନ’ହେଲେ ଘାଟି ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେବାକୁ ବସିଲେଣି । ଏହାକୁ ନେଇ ଆଗାମୀ ଦିନରେ ରାଜ ରାସ୍ତାକୁ ଓଲ୍ଲାଇ ଏକ ବଡ଼ ଧରଣର ଆନ୍ଦୋଳନ କରିବୁ ବୋଲି ଲୋକେ ପ୍ରକାଶ କରିଛନ୍ତି। ସେଥିପାଇଁ ପ୍ରଶାସନ ଯଥା ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

error: Content is protected !!