ରଘୁବଂଶ ନୋହିଲା ରାମବଂଶ


ରାବଣକୁ ପରାସ୍ତ କରି ପ୍ରଭୁ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାକୁ ଫେରି ଆସିଥାନ୍ତି। ଭରତଙ୍କଠାରୁ ରାଜ୍ୟଭାର ଗ୍ରହଣ କଲା ପରେ ଦିନରାତି ପରିଶ୍ରମ କରି ରାଜ୍ୟରେ ସୁଖ, ଶାନ୍ତି ଓ ସମୃଦ୍ଧିର ଅଭୂତପୂର୍ବ ବୃଦ୍ଧି ଘଟାଇବାରେ ସଫଳ ବି ହୋଇ ସାରିଥାନ୍ତି ସେ। ଭରତ ତ ରାମଙ୍କ ପ୍ରତିନିଧି ହିସାବରେ ରାଜା ହୋଇଥିଲେ,ତେଣୁ ସେ ଅନେକ ପ୍ରତିବନ୍ଧକ ଭିତରେ ଛନ୍ଦି ହୋଇ ପଡ଼ିଥିଲେ। କିନ୍ତୁ ରାମଙ୍କ ପାଇଁ ସେମିତି କିଛି ବାଧକ ରାସ୍ତା ଅବରୋଧ କରି ନଥିଲା। ସମସ୍ତ ପଡୋଶୀ ରାଜ୍ୟ ମଧ୍ୟ ରାମଚନ୍ଦ୍ରଙ୍କ ପ୍ରଭୂତ୍ଵ ଆନନ୍ଦରେ ସ୍ଵୀକାର କରିନେଇଥିଲେ ବିନା ଯୁଦ୍ଧରେ। ରାଜ୍ୟର ଚାରି ଆଡ଼େ ପ୍ରଗତିର ସ୍ଵର ସ୍ପଷ୍ଟ ଭାବରେ ଶୁଣା ଯାଉଥାଏ। ସେ ସମୟ କଥା ଛାଡ଼ନ୍ତୁ, କୌଣସି ସୁଶାସନକୁ ଏବେବି ଆଦରର ସହିତ ରାମରାଜ୍ୟ ବୋଲି ଅଭିହିତ କରାଯାଏ।ଏମିତି ସମୟରେ ଦିନେ ଦୁଇ ପ୍ରହର ସମୟରେ ବିଶ୍ରାମ ନେବା ଅବସରରେ ରାମଚନ୍ଦ୍ରଙ୍କ ମନକୁ ଗୋଟିଏ ବିଚିତ୍ର ପ୍ରଶ୍ନ ଆନ୍ଦୋଳିତ କଲା।ସୂର୍ଯ୍ୟ ବଂଶ ଆରମ୍ଭ ହୁଏ ସୂର୍ଯ୍ୟ ଦେବଙ୍କ ପୁତ୍ର ବୈବସ୍ଵତ ମନୁଙ୍କ ଠାରୁ। ରାମଚନ୍ଦ୍ର ଭାବୁ ଥିଲେ ଯେ, ସେହି ବୀର ପୁଙ୍ଗବଙ୍କ ନାମରେ ସୂର୍ଯ୍ୟ ବଂଶ ର ନାମ କରଣ ହେବା ଉଚିତ ଥିଲା। ସେହି ବଂଶ ରେ ବିଶ୍ଵର ପ୍ରଥମ ଚକ୍ରବର୍ତ୍ତୀ ସମ୍ରାଟ ପଦବୀ ଲାଭ କରନ୍ତି ମହାବୀର ଈକ୍ଷ୍ଵାକୁ, ଅବତୀର୍ଣ୍ଣ ହୁଅନ୍ତି ମହାରାଜା ସଗର, ଭଗୀରଥ (ଯେ ମା’ ଗଙ୍ଗା ଙ୍କୁ ସ୍ଵର୍ଗରୁ ପୃଥିବୀ ପୃଷ୍ଠକୁ ଆଣିଥିଲେ),ଦାନବୀର ହରିଶ୍ଚନ୍ଦ୍ର ଆଦି ଅନେକ ସ୍ୱନାମଧନ୍ୟ ବୀରପୁରୁଷ।ସେମାନଙ୍କ ନାମରେ ସୂର୍ଯ୍ୟ ବଂଶର ନାମ କରଣ ହୋଇଥିଲେ ମଧ୍ଯ ସମୁଚିତ ହୋଇ ଥାନ୍ତା ! ମହାରାଜା ଦଶରଥଙ୍କ ନାମ ଅନୁସାରେ ବଂଶର ନାମ କରଣ ହୋଇଥିଲେ ମଧ୍ଯ ଚଳି ଥାଆନ୍ତା। ଅଥଚ ଏତେ ସବୁ ସୂର୍ଯ୍ୟସମ ଔଜଲ୍ୟରେ ଝଲମଲ ହେଉଥିବା ବ୍ୟକ୍ତିତ୍ବଙ୍କୁ ଉପେକ୍ଷା କରି ସମ୍ରାଟ ରଘୁଙ୍କ ନାମରେ ସୂର୍ଯ୍ୟ ବଂଶର ନାମ କରଣ ହେବା ରାମଚନ୍ଦ୍ରଙ୍କ ସମ୍ମୁଖ ରେ ଏକ ଚରମ ବିସଂଗତି ରୂପରେ ଉଭା ହେଲା। (ଏକଥା ମଧ୍ୟ ବିଶ୍ୱାସ କରାଯାଏ ଯେ, ବୌଦ୍ଧଧର୍ମର ସ୍ଥାପୟିତା ରାଜକୁମାର ସିଦ୍ଧାର୍ଥ(ବୁଦ୍ଧଦେବ) ଓ ଜୈନଧର୍ମର ଚବିଶ ଜଣ ତୀର୍ଥଙ୍କରଙ୍କ ମଧ୍ୟରୁ ବାଇଶ ଜଣ ତୀର୍ଥଙ୍କର ମଧ୍ୟ ସୂର୍ଯ୍ୟବଂଶର ଦାୟାଦ।ଅବଶ୍ୟ ଏମାନଙ୍କର ଜନ୍ମ ରାମଚନ୍ଦ୍ରଙ୍କ ଜନ୍ମର ଅନେକ ସହସ୍ର ବର୍ଷ ପରେ।)ଏତେ ସମସ୍ତ ରାଜାଧିରାଜ ମାନଙ୍କ ଭିତରୁ ମହାରାଜା ରଘୁଙ୍କ ନାମରେ ସୂର୍ଯ୍ୟବଂଶ ର ନାମ ପରିବର୍ତ୍ତିତ ହୋଇ *ରଘୁବଂଶ* ନାମରେ ନାମିତ ହେବା ଏବଂ ସେ ନିଜେ ମଧ୍ୟ ରଘୁଙ୍କ ନାମ ଅନୁସାରେ *ରାଘବ* ନାମରେ ପ୍ରସିଦ୍ଧି ଲାଭ କରିବା କଥା ବେଳକୁ ବେଳ ଅସହ୍ୟ ହୋଇ ପଡୁଥିଲା ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ପକ୍ଷରେ। ଅବଶ୍ୟ ନେପଥ୍ୟରେ ନାରଦଙ୍କ ଭୂମିକା ଯେ ନଥିଲା ଏକଥା କୁହାଯାଇ ପାରିବ ନାହିଁ!ବାଳୁତ କାଳରୁ ରାକ୍ଷସ ମାନଙ୍କୁ ବଦ୍ଧ କରି ଋଷିମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଠାରୁ ଆରମ୍ଭ କରି ମହାପରାକ୍ରମୀ ରାକ୍ଷସ ରାଜା ରାବଣକୁ ନିଧନ କରି ସତୀ ସୀତାଙ୍କୁ ତାଙ୍କ କବଳରୁ ଉଦ୍ଧାର କରିବା ପର୍ଯ୍ୟନ୍ତ ଅନେକ ଅସମ୍ଭବ କାର୍ଯ୍ୟ ସମ୍ପାଦନ କରିଛନ୍ତି ସେ। ସମସ୍ତ ପୂର୍ବସୂରୀଙ୍କ ଅପେକ୍ଷା ତାଙ୍କ ସାମ୍ରାଜ୍ୟର ଆକାର ମଧ୍ୟ ସର୍ବବୃହତ ହୋଇ ସାରିଛି। ତାହେଲେ ତାଙ୍କ ବଂଶର ନାମ ତାଙ୍କର ନାମ ଅନୁସାରେ *”ରାମବଂଶ”* କାହିଁକି ନହେବ? ଏ ବିଷୟରେ ଯେତେ ଭାବିଲେ ତାଙ୍କୁ କାହିଁକି ଏକଥା ବହୁତ ନ୍ୟାୟସଙ୍ଗତ ଲାଗିବାକୁ ଲାଗିଲା। ଶେଷରେ ସେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ଓ କୁଳଗୁରୁ ବଶିଷ୍ଠଙ୍କୁ ପରାମର୍ଶ ପାଇଁ ଡକାଇ ପଠାଇଲେ। ଶିଷ୍ଟାଚାର ବିନିମୟ ଉତ୍ତାରୁ ମହର୍ଷି ବଶିଷ୍ଠ ଆସନ ଗ୍ରହଣ କଲେ ଓ ତାଙ୍କୁ ଡକାଇ ପଠାଇବାର କାରଣ ସମ୍ବନ୍ଧରେ ଜିଜ୍ଞାସା କଲେ। ଶ୍ରୀରାମଚନ୍ଦ୍ରଙ୍କ ମନଭିତରେ ଉବୁଟୁବୁ ହେଉଥିବା ପ୍ରଶ୍ନଟି ଶୁଣି ମହର୍ଷି ପ୍ରଥମେ ଆଚମ୍ବିତ ତ ହେଲେ କିନ୍ତୁ ନିଜର ମନୋଭାବ ଗୁପ୍ତ ରଖି ରାମଚନ୍ଦ୍ରଙ୍କୁ କାହାଣୀ ଟିଏ ଶୁଣିବା ପାଇଁ ଅନୁରୋଧ କଲେ।”ଅନେକ ବର୍ଷ ପୂର୍ବରୁ ଜଣେ ରାଜା ଥିଲେ। ସାରା ପୃଥିବୀରେ ତାଙ୍କର ନାମର ଡାକ ଥିଲା। ପ୍ରଜାବତ୍ସଳ ହେବା ସହିତ ପ୍ରଜାମାନଙ୍କ ମଙ୍ଗଳ କାମନାରେ ସେ ନିଜକୁ ସମର୍ପଣ କରି ଦେଇ ଥିଲେ। ରାଜ୍ୟର ଚତୁର୍ଦ୍ଦିଗରେ ଗଭୀର ବନାନୀ ଭିତରେ ତପସ୍ୟାରତ ଋଷିମାନଙ୍କ ତପସ୍ୟାରେ ବିଘ୍ନ ଘଟାଉଥିବା ରାକ୍ଷସ ଓ ବଣ୍ୟ ଜନ୍ତୁଙ୍କର ଶିକାର କରି ତପସ୍ଵୀ ମାନଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ ସେ। ଏହିଭଳି ଏକ ଶିକାରଯାତ୍ରା ସମୟରେ ପତ୍ନୀ ତାଙ୍କ ସହିତ ଯିବାପାଇଁ ଆଗ୍ରହ ପ୍ରକାଶ କଲେ ଓ ମହାରାଜା ତାଙ୍କର ଅନୁରୋଧ ରକ୍ଷା କରି ସପରିବାର ଶିକାର ପାଇଁ ଅଗ୍ରସର ହେଲେ। ଅଗନାଅଗନି ବନସ୍ତ। ଦିନସାରା ଧାଁ ଦଉଡ଼ କଲା ପରେ ଜଙ୍ଗଲର ଅସମତଳ ରାସ୍ତାରେ ଅନଭ୍ୟସ୍ତା ମହାରାଣୀ ସନ୍ଧ୍ୟା ବେଳକୁ ଅତ୍ୟନ୍ତ କ୍ଳାନ୍ତ ହୋଇ ପଡ଼ିଲେ ଓ ରଥାଋଢ ହୋଇ ମଧ୍ଯ ଆଉ ଏକ ସୁଦୀର୍ଘ ପଥ ଅତିକ୍ରମ କରି ରାଜପ୍ରାସାଦ ପର୍ଯ୍ୟନ୍ତ ଫେରି ଆସିବା ପାଇଁ ସାହସ କରି ପାରିଲେ ନାହିଁ। ବାଧ୍ୟ ହୋଇ ରାଜା ସୈନିକମାନଙ୍କୁ ଏକ ନିରାପଦ ଆଶ୍ରୟସ୍ଥଳୀ ଅନୁସନ୍ଧାନ କରିବା ପାଇଁ ପଠାଇଲେ। ସେମାନେ ନିକଟସ୍ଥ ଏକ ଋଷିଙ୍କ ଆଶ୍ରମର ସନ୍ଧାନ କରି ଫେରି ଆସିଲେ ଓ ରାଜା ସେଠାରେ ଋଷିଙ୍କର ଅନୁମତି ନେଇ ରାତ୍ରିଯାପନ କରିବା ପାଇଁ ଠିକ କଲେ। ପ୍ରଥମ ଥର ପାଇଁ ରାତ୍ରି ସମୟରେ ଜଙ୍ଗଲର ଅନୁପମ ସୌନ୍ଦର୍ଯ୍ୟ ଓ ବନସ୍ତର ପଶୁ ପକ୍ଷୀମାନଙ୍କ ଶବ୍ଦଝଙ୍କାରର ଅନୁପମ ଅନୁଭବରେ ରାଜଦମ୍ପତି ଅଭିଭୂତ ହୋଇ ପଡ଼ିଲେ। ଉପରକୁ ଋଷି ଓ ତାଙ୍କର ଶିଷ୍ୟ ବର୍ଗଙ୍କ ସେବା, ଯତ୍ନ ଓ ଅନାବିଳ ଆତିଥ୍ୟ ରେ ବିହ୍ଵଳିତ ହୋଇ ଉଠିଲେ ରାଜା ନିଜେ। ଋଷିଙ୍କଠାରୁ ବିଦାୟ ନେବା ସମୟରେ ରାଜା ତାଙ୍କର ସେବାଯତ୍ନ ପାଇଁ ଧନ୍ୟବାଦ ଅର୍ପଣ କଲେ ଓ ଭବିଷ୍ୟତରେ ଯେ କୌଣସି ସାହାଯ୍ୟ ପାଇଁ ଋଷି ତାଙ୍କୁ ଅନାୟାସରେ ସ୍ମରଣ କରିବା ପାଇଁ ଅନୁରୋଧ ଜଣାଇ ପ୍ରତ୍ୟାବର୍ତ୍ତନ କଲେ।ରାଜାଙ୍କ ଫେରିବା ପରେ ଋଷି ଲକ୍ଷ୍ୟ କରି ଦେଖିଲେ ତାଙ୍କର ଅତି ପ୍ରିୟ ଶିଷ୍ୟ ଜଣକ କେମିତି ଯେମିତି ସବୁଥିରେ ଅମନୋଯୋଗୀ ହୋଇ ପଡ଼ିଛି। ନା ଖାଇବା ପିଇବା, ପଢ଼ା ଶୁଣା ନା ଆଶ୍ରମର ରକ୍ଷଣାବେକ୍ଷଣ; କେଉଁ ଥିରେ ବି ମନ ଲାଗୁନାହିଁ। ସବୁଥିରେ କେମିତି ବୀତସ୍ପୃହ ହୋଇ ପଡ଼ିଛି ସେ। ଋଷିବର ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ। ପାଖକୁ ଡାକି ଅନେକ ବୁଝାଶୁଝା କଲେ। ଭୟ ଦେଖାଇଲେ। କିନ୍ତୁ ଶିଷ୍ୟ ଜଣକ ମୁହଁ ଖୋଲୁ ନଥାଏ। ଅନାହାର ଯୋଗୁଁ ଦିନ ପରେ ଦିନ ଶିଷ୍ୟ ଜଣକ ଦୁର୍ବଳ ହୋଇ ଉଠୁଥାଏ। ଶେଷରେ ବାଧ୍ୟ ହୋଇ ଗୁରୁ ତାଙ୍କ ଶିଷ୍ୟକୁ ଅଭୟ ପ୍ରଦାନ କଲେ ଓ ଯେତେ କଠିନ ହେଲେ ମଧ୍ୟ ଶିଷ୍ୟଙ୍କ ମନ ଭିତରେ ଲୁଚିରହି ଥିବା ଇଚ୍ଛାଟିକୁ ପୂରଣ କରିବା ପାଇଁ ଆଶ୍ଵାସନା ଦେଲେ।ଏଥର ଶିଷ୍ୟ ଜଣକ ଥରଥର ଗଳାରେ କହି ଚାଲିଲା ତାର ମନର କଥା। ଏପର୍ଯ୍ୟନ୍ତ ଆଶ୍ରମର କଠୋର ବ୍ରହ୍ମଚର୍ଯ୍ୟ ଜୀବନରେ ବନ୍ଧାଥିବା ଶିଷ୍ୟ ଜଣକ ମହାରାଣୀଙ୍କ ସେବା ଯତ୍ନ ସମୟରେ ତାଙ୍କର ସୌନ୍ଦର୍ଯ୍ୟ ରେ ବିହ୍ଵଳିତ ହୋଇ ପଡ଼ିଥିଲା ଓ ତାଙ୍କ ସହିତ ରାତିଟିଏ କାଟିବା ପାଇଁ ଇଚ୍ଛା କରିଥିବା କଥା ଋଷିଙ୍କ ଆଗରେ ସ୍ଵୀକାର କଲା। ଋଷି ତ’ ଶିଷ୍ୟକୁ ତା’ର ଇଛାପୂର୍ତ୍ତି ପାଇଁ କଥା ଦେଇ ସାରିଛନ୍ତି। କଣ କରିବେ ସେ ବର୍ତ୍ତମାନ!ତାଙ୍କର ମନେ ପଡ଼ିଲା ରାଜାଙ୍କ ବିଦାୟ ବେଳର କଥା। ଥତମତ ହୋଇ ଶିଷ୍ୟର ମନ କଥା ଜଣାଇ ରାଜାଙ୍କ ପାଖକୁ ପତ୍ର ଟିଏ ପ୍ରେରଣ କଲେ ଆଉ ଜଣେ ଶିଷ୍ୟଙ୍କ ଜରିଆରେ। ସେକଥା ଭୁଲିଯାଇ ପୁଣି ଆଶ୍ରମ କାର୍ଯ୍ୟରେ ବ୍ୟସ୍ତ ହୋଇ ଉଠିଲେ ସେ।ଦୁଇତିନି ଦିନ ପରେ ହଠାତ୍ ଜଣେ ରାଜଦୂତ ଉତ୍ତର ନେଇ ଆସିଲା ତାଙ୍କ ଆଶ୍ରମକୁ। ରାଜା ଋଷିଙ୍କ କଥା ରକ୍ଷା କରି ସମ୍ମତି ସୂଚକ ପତ୍ରଟିଏ ପଠାଇ ଥିଲେ। ଆଶ୍ଚର୍ଯ୍ୟ ଚକିତ ଋଷିବର ଶିଷ୍ୟ ଜଣକୁ ପାଖକୁ ଡକାଇ ଆଶ୍ରମରେ ଥିବା ସବୁଠାରୁ ସୁନ୍ଦର ପରିଧାନରେ ସୁବେଶିତ କରି ରାଜପ୍ରାସାଦକୁ ପ୍ରେଷିତ କଲେ।( ସେଠାରେ ରାଜପୁତ୍ର ମାନେ ଶିକ୍ଷା ନିଅନ୍ତି ଓ ଶିକ୍ଷା ଶେଷ ପର୍ଯ୍ୟନ୍ତ ନିଜର ପରିଧାନ ତ୍ୟାଗ କରି ଋଷି ସୁଲଭ ପରିଧାନ ରେ ଶିକ୍ଷା ଲାଭ କରନ୍ତି।ତେଣୁ ଆଶ୍ରମରେ ରାଜପୁତ୍ରମାନଙ୍କ ପୋଷାକ ଉପଲବ୍ଧ ଥାଏ ଏବଂ ସେହି ପୋଷାକରୁ ଗୋଟିଏ ବ୍ଯବହାର କରିଥିଲେ ଶିଷ୍ଯ ଜଣକ।)ଶିଷ୍ୟକୁ ଦେଖି ମହାରାଜା ସସମ୍ମାନେ ତାଙ୍କର ଆଚାର ଅଭ୍ୟର୍ଥନା କଲେ ଓ ଅତିଥିଶାଳାରେ ତାଙ୍କର ରହିବାର ସମସ୍ତ ପ୍ରକାରର ପ୍ରବନ୍ଧ କଲେ। ମହାରାଣୀଙ୍କୁ ଡକାଇ ଯୁବଅତିଥିଙ୍କ ଆଗମନର ଉଦ୍ଦେଶ୍ୟ ବିଷୟରେ ଜଣାଇ ରାଣୀଙ୍କ ପାଖରୁ ତାଙ୍କର ଅକୁଣ୍ଠିତ ସହଯୋଗ ପାଇଁ ଅନୁରୋଧ କଲେ। ମହାରାଣୀ ଏକଥା ଶୁଣିଛନ୍ତି ବୋଲି ନିଜ କାନକୁ ସୁଦ୍ଧା ବିଶ୍ୱାସ କରି ପାରିଲେ ନାହିଁ। ସତୀତ୍ୱ ଠାରୁ ଆଉ କୌଣସି ଧନ ନାରୀକୁ ଧନବତୀ କରି ପାରେ ନା, ଅନ୍ଯ କୌଣସି ପୁଣ୍ୟ ମଧ୍ଯ ନାରୀ କୁ ପୁଣ୍ୟବତୀ କରି ପାରେନାହିଁ। କୌଣସି ବାହ୍ଯ ସୁନ୍ଦରତା ମଧ୍ଯ ତାକୁ ସୁନ୍ଦରୀ କରି ପାରେ ନାହିଁ। ଏହା ଛଡ଼ା ଅସତୀନାରୀର ନର୍କଗତି ସୁନିଶ୍ଚିତ ଯେତେ ଯାହା ପୂଣ୍ୟ ଥାଉ ନା କାହିଁକି!ଅବିଳମ୍ବେ ସେ ମହାରାଜା ଙ୍କ ପାଦ ତଳେ ଭୂପତିତ ହୋଇ ଏଭଳି ଏକ ମହାପାପରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କଲେ।ମହାରାଜା ଋଷିଙ୍କୁ ଦେଇଥିବା ବାକ୍ୟ ରକ୍ଷା ପାଇଁ ମହାରାଣୀ ଙ୍କ ଆଗରେ ନିଜର ପ୍ରତିବଦ୍ଧତା କଥା ଜଣାଇବା ସହିତ ବାକ୍ୟ ରକ୍ଷା କରି ନ ପାରିଲେ ସେ ନିଜର ମରଶରୀର କୁ ତ୍ୟାଗ କରିବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଜଣାଇଲେ। ଏହା ପରେ ରାଣୀଙ୍କ ପାଖରେ ଆଉ କୌଣସି ପଥ ନ ଥିଲା ନିଜର ଅତି ପ୍ରିୟ ସତୀତ୍ୱଟିକୁ ଜଳାଞ୍ଜଳି ଦେବା ବ୍ୟତୀତ।ନାରୀସୁଲଭ ଲଜ୍ଜା ତ୍ୟାଗ କରି ଅଭ୍ୟାଗତଙ୍କ ମନୋକାମନା ପରିପୂରଣ ପାଇଁ ସମ୍ମତି ପ୍ରଦାନ କଲେ ସେ। ମହାରାଜା ରାଣୀଙ୍କ ପାଖରୁ ଏକଥାର ମଧ୍ୟ ପ୍ରତିଜ୍ଞା କରାଇ ନେଲେ ଯେ ରାଣୀ ତାଙ୍କର ଗନ୍ଧର୍ବ କଳାର ସମ୍ପୂର୍ଣ୍ଣ ବିନିଯୋଗ କରି ରତି କ୍ରୀଡ଼ା ଦ୍ଵାରା ଶିଷ୍ୟଙ୍କର ଭରପୂର ମନୋରଞ୍ଜନ କରିବେ। ଅତିଥି ଦେବ ସମାନ, ଅତିଥି ସତ୍କାରରେ ଯେମିତି କୌଣସି ତୃଟି ରହି ନ ଯାଏ !ରାତି ଆସି ରାଜପ୍ରାସାଦକୁ ତା’ର କଳା ଚାଦରରେ ଢାଙ୍କି ନେବା ପୂର୍ବରୁ ସଖୀମାନେ ମହାରାଣୀଙ୍କୁ ଅପରୂପ ଏକ ମୋହିନୀ କନ୍ୟାର ପରିପାଟୀରେ ସୁସଜ୍ଜିତା କରି ଦେଲେ। ଝିନ୍ନ ଶାଢ଼ୀର ପତଳା ଆସ୍ତରଣ ଭିତରେ ମହାରାଣୀ କୌଣସି ଦେବକନ୍ୟା ଠାରୁ ନ୍ୟୂନ ମନେ ହେଉ ନଥିଲେ।ରାତି ତାର ସମ୍ପୂର୍ଣ୍ଣ କାୟା ବିସ୍ତାର ପୂର୍ବରୁ ରାଜପ୍ରାସାଦର ସମସ୍ତ କର୍ମଚାରୀ ଓ ଦାସୀ ଆଦି ଙ୍କୁ ବିଦାୟ ଦିଆ ଯାଇଥିଲା। ମହାରାଣୀ ତାଙ୍କର ଶୟନ କକ୍ଷରେ ରାଜପଲଙ୍କରେ ଶିଷ୍ୟ ପ୍ରବରଙ୍କ ଅପେକ୍ଷା ରେ ବସି ରହିଲେ। ମନ ଭିତରେ ଅନେକ ଦୁଃଖ,ଦୁଃଶ୍ଚିନ୍ତା ଓ ଆତ୍ମଗ୍ଳାନୀ।କିନ୍ତୁ ପତିଙ୍କ ପ୍ରତିଜ୍ଞା ପୂରଣ ଠାରୁ ନିଜର ସତୀତ୍ଵ କଣ ଏତେ ବେଶୀ ମହତ୍ତ୍ୱପୂର୍ଣ୍ଣ ! ଏକଥା ଭାବି ନିଜକୁ ପ୍ରବୋଧନା ଦେଉଥାନ୍ତି ମହାରାଣୀ।ଶିଷ୍ୟ ଜଣଙ୍କୁ ପାଛୋଟି ଆଣି ମହାରାଜା ଧୀର ପଦକ୍ଷେପରେ ମହାରାଣୀଙ୍କ ଶୟନ କକ୍ଷରେ ଛାଡି ଆସି ନିଜ କକ୍ଷରେ ପ୍ରବେଶ କଲେ। ଛାତି ତାଙ୍କର ପୋଡ଼ି ଯାଉଛି।ହୃଦୟ ଶତଧା ବିଦୀର୍ଣ୍ଣ। ପ୍ରତି କ୍ଷଣ ସହସ୍ରବାର ମୃତ୍ୟୁ ବରଣ କରୁଥାନ୍ତି ସେ।ଏଣେ ରାଜକୀୟ ଶୟନ କକ୍ଷରେ ଶିଷ୍ୟ ଜଣକ ରାଣୀଙ୍କ ଅପରୂପ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ପଡ଼ିଲେ। ବଚନବଦ୍ଧା ମହାରାଣୀ ମଧ୍ୟ ଶିଷ୍ୟ ଜଣଙ୍କୁ ସାହସ ଦେଇ ନିଜକୁ ସମର୍ପିତ କରିଦେଲେ ତାଙ୍କର ଭୟଙ୍କର କାମୁକତା ପାଖରେ। ଥରଥର ହାତରେ ଶିଷ୍ୟ ଜଣକ ମହାରାଣୀଙ୍କ ପରିହିତ ଆଭୂଷଣ ସବୁ ଓହ୍ଲାଇ ସାରିଲେଣି। ଆଗକୁ କେବଳ ମସୃଣ, ଝିନ୍ନ ଶାଢ଼ୀ ଓ ତା’ ଭିତରେ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି ଅସହାୟା ନାରୀ ଜଣକ ନିମନ୍ତ୍ରଣ ମୂଦ୍ରାରେ। ଏଥର ରତିଦେବୀଙ୍କ ପ୍ରତିମୂର୍ତ୍ତି ମହାରାଣୀ ଙ୍କ ପାଦ ଧରି ଅନୁନୟ ବିନୟ ହୋଇ ଆରମ୍ଭ କରିବେ ସେ ତାଙ୍କର ପ୍ରେମ ନିବେଦନ। ପଦ ଦ୍ବୟକୁ ଆଲିଂଗନ କରିବେ, ବସ୍ତ୍ର ଟିକୁ ଧିରେ ଧିରେ ଅପସାରଣ କରିବେ ଏବଂ କୋମଳବଦନା ନାରୀ ଟିର ଉତ୍ତଙ୍ଗଯୌବନର ପ୍ରତିଟି କଣିକାକୁ ଉପଭୋଗ କରିବେ ବାକି ଥିବା ରାତ୍ରୀର ତିନି ପ୍ରହରର ପ୍ରତିଟି କ୍ଷଣ ଅନୁକ୍ଷଣ। କିନ୍ତୁ ଏ କଣ ହେଲା?*ସୁକୋମଳ ପାଦପଦ୍ମଟିକୁ ଛୁଇଁଦେବା ମାତ୍ରକେ ଶିଷ୍ୟ ଜଣଙ୍କ ମନ ଭିତରେ ଭରିଗଲା ବାତ୍ସଲ୍ୟଭାବ !* *ମାତୃଭକ୍ତିରେ ଆର୍ଦ୍ର ହୋଇ ଉଠିଲା ହୃଦୟର କୋଣଅନୁକୋଣ !*ଅନେକ ବର୍ଷ ପୂର୍ବରୁ ଶୈଶବାବସ୍ଥାରେ ଘରେ ଛାଡ଼ି ଆସିଥିବା ମା’ ଯେମିତି ଏଠି ତାଙ୍କୁ ଗଭୀର ସ୍ନେହ ଆଦରରେ ପାଖକୁ ଡାକୁଛନ୍ତି। କଇଁ କଇଁ ହୋଇ କାନ୍ଦି ଉଠି ମା’ଙ୍କ ପାଖରୁ ନିଜର ଅପରାଧ ପାଇଁ କ୍ଷମା ମାଗିବାରେ ଲାଗି ପଡ଼ିଲା ଶିଷ୍ୟ ଜଣକ। କ୍ଷମା ଓ ଅଭୟ ପାଇଲା ପରେ ଅବୋଧ ବାଳକ ପରି ମା’ କୋଳରେ ମୁଣ୍ଡ ରଖି ଶୋଇପଡିଲା ସେ ଯେମିତି ଅନେକ ଦିନ ରୁ ଆଦୌ ଶୋଇନ ଥିଲା। କାଳେ ତା’ର ନିଦ ରେ ବ୍ଯାଘାତ ଆସିବ , ସେଥିପାଇଁ ଦୁଗ୍ଧପୋଷ୍ଯ ଶିଶୁଟିଏ ପରି ନିଜର କୋଳରେ ଶୁଆଇ ରଖିଲେ ଓ ନିଜେ ବିନିଦ୍ର ରଜନୀ କଟାଇ ଅତଥି ସତ୍କାରର ଏକ ଅନୁପମ ଉଦାହରଣ ପ୍ରସ୍ତୁତ କଲେ। ରାଣୀ ଏପର୍ଯ୍ଯନ୍ତ ନିଜର ଯୌବନର ପ୍ରତିଟି କଣିକା ଉତ୍ସର୍ଗ କରି ସାରିବେଣି ଭାବି ରାଜା ସାରାଟା ରାତି ଅନିଦ୍ରା ରହି ଶୟନକକ୍ଷର ବାହାରେ ପଦଚାରଣା କରୁଥାଆନ୍ତି।ସକାଳ ହେଲା। ସମ୍ରାଟ ରଘୁ ସେପର୍ଯ୍ଯନ୍ତ ଶତ ସହସ୍ର ବାର ମୃତ୍ଯୁ ବରଣ କରି ସାରିବେଣି ! ରାଣୀ ବାହାରକୁ ଆସିଲେ ଓ ଗତ ରାତ୍ରିର ସମସ୍ତ ବିବରଣୀ ଗୋଟି ଗୋଟି କରି ପ୍ରଦାନ କଲେ । ମହାରାଜା ସମସ୍ତ ଘଟଣା ଶୁଣିବା ପରେ ଆଶ୍ଵସ୍ତ ହେଲେ। ମହାରାଣୀଙ୍କୁ ସେ ଆଦୌ ଅବିଶ୍ୱାସ କଲେ ନାହିଁ ବା ନିଜ ତରଫରୁ ନିଜର ଜୀବଦ୍ଦଶାରେ ଥରୁଟିଏ ହେଲେ ବି ଏବିଷୟରେ ଜିଜ୍ଞାସା କଲେ ନାହିଁ।”ଏଥର ମହର୍ଷି ବଶିଷ୍ଠ ସଳଖି ବସିଲେ ଓ ଶ୍ରୀରାମଚନ୍ଦ୍ର ଙ୍କ ଆଡ଼କୁ ସିଧା ଅନେଇ ପ୍ରଶ୍ନ କଲେ-” ମହାରାଜ, ସତ କହିବେ, ଆପଣ କଣ ଏମିତି ଅବିଚଳିତ ଭାବରେ ମା’ ସୀତାଙ୍କୁ ଅନ୍ୟ କୌଣସି ପୁରୁଷ ପାଖରେ ସମର୍ପଣ କରି ପାରିବେ? ମୁଁ ଶୁଣୁଛି, ଅଗ୍ନି ପରୀକ୍ଷା ପରେ ମଧ୍ୟ ଆପଣଙ୍କ ମନରେ ମାତା ସୀତାଙ୍କ ପ୍ରତି କିଛିଟା କଳ୍ମୁଷତାର ଭାବ ରହି ଯାଇଛି !ଯେଉଁ ରାଜାଙ୍କ ବିଷୟରେ କାହାଣୀ ଟି କହିଲି, ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି, ଆପଣଙ୍କ ପୂର୍ବସୂରୀ ସମ୍ରାଟ ରଘୁ, ଯାହାଙ୍କ ନାମରେ ଆପଣଙ୍କ ବଂଶ ନାମିତ ହୋଇଛି।ଏଥର ବିଚାର କରି ଉଚିତ ସିଦ୍ଧାନ୍ତ ଗ୍ରହଣ କରନ୍ତୁ। ଆପଣ ଚାହିଁଲେ, ଗୋଟିଏ ରାଜାଦେଶ ଦ୍ଵାରା ଏ ବଂଶ ର ନାମ ରାମବଂଶ ହିସାବରେ ଘୋଷଣା କରିବାରେ ମୋର କୌଣସି ଆପତ୍ତି ନାହିଁ।”ଏହାପରେ ରାମଚନ୍ଦ୍ର ଆଉ କେବେହେଲେ ବଂଶର ନାମ ପରିବର୍ତ୍ତନ କଥା ଘୂଣାକ୍ଷ ରେ ସୁଦ୍ଧା ଚିନ୍ତା କରି ନାହାଁନ୍ଏକ ଅପୂର୍ବ କାହାଣୀ ଶୁଣ।


error: Content is protected !!