ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନାମ ୧୯୮୦ ମସିହାର ଭୋଟର ତାଲିକାରେ ସ୍ଥାନ ପାଇଥିବାବେଳେ ସେ ୧୯୮୩ ମସିହାରେ ଭାରତୀୟ ନାଗରିକତା ହାସଲ କରିଥିଲେ। ଏହି ଘଟଣାକୁ ନେଇ ଦାଖଲ ହୋଇଥିବା ଅଭିଯୋଗ ଉପରେ ଦିଲ୍ଲୀ ପୁଲିସ ଶନିବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଦୁଇଟି ରିପୋର୍ଟ ଦାଖଲ କରିଛି। ପୁଲିସର ରିପୋର୍ଟ ଅନୁସାରେ, ସୋନିଆ ଗାନ୍ଧୀ ୧୯୮୦ ମସିହାରେ ଭାରତୀୟ ନାଗରିକ ନଥିଲେ। ତାଙ୍କୁ ୧୯୮୩ ମସିହା ଏପ୍ରିଲ ୩୦ ତାରିଖରେ ଭାରତୀୟ ନାଗରିକତା ମିଳିଥିଲା।ଏହି ମାମଲାରେ ଅଭିଯୋଗକାରୀ ଓକିଲ ବିକାଶ ତ୍ରିପାଠୀ ୧୯୮୦ ମସିହାରେ ସୋନିଆଙ୍କ ନାମ ଭୋଟର ତାଲିକାରେ କିପରି ସାମିଲ ହେଲା ତାହାର ତଦନ୍ତ ଦାବି କରିଛନ୍ତି। ଏଥିପାଇଁ କେଉଁ କାଗଜପତ୍ର ଦାଖଲ କରାଯାଇଥିଲା? ଏହି ପ୍ରକ୍ରିୟାରେ ଜାଲ୍ କାଗଜପତ୍ର ବ୍ୟବହାର ହୋଇଥିବା ନେଇ ମଧ୍ୟ ଅଭିଯୋଗକାରୀ ସନ୍ଦେହ ପ୍ରକାଶ କରିଛନ୍ତି। ଦିଲ୍ଲୀ ପୁଲିସ ନଭେମ୍ବର ୨୭ ତାରିଖର ଏକ ରିପୋର୍ଟରେ କହିଛି ଯେ, ସୋନିଆଙ୍କ ୧୯୮୦ ଓ ୧୯୮୩ ମସିହାର ଭୋଟର ତାଲିକା ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ନୂଆଦିଲ୍ଲୀର ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ନୋଟିସ୍ ପଠାଯାଇଥିଲା। ଏହାର ଉତ୍ତରରେ ଉଭୟ ବର୍ଷର ଭୋଟର ତାଲିକାରେ ସୋନିଆଙ୍କ ନାମ ଥିବା ନିଶ୍ଚିତ କରାଯାଇଥିବା କଥା ପୁଲିସ କୋର୍ଟକୁ ଜଣାଇଛି। କିନ୍ତୁ ତାଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ବ୍ୟବହୃତ ଫର୍ମ-୬ ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଏପର୍ଯ୍ୟନ୍ତ ମିଳିନାହିଁ। ସେହି ଦସ୍ତାବିଜ୍ଗୁଡ଼ିକୁ ଖୋଜିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।ସୋନିଆଙ୍କ ଭାରତୀୟ ନାଗରିକତା ହାସଲ କରିବାର ତାରିଖ ଜାଣିବା ପାଇଁ ପୁଲିସ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବିଦେଶୀ ବିଭାଗକୁ ମଧ୍ୟ ନୋଟିସ୍ ପଠାଇଥିଲା। ଏହାର ଉତ୍ତରରେ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡ଼ିଛି ଯେ, ଆଣ୍ଟୋନିଆ ମାଇନୋ ଓରଫ୍ ସୋନିଆ ଗାନ୍ଧୀଙ୍କୁ ୧୯୮୩ ମସିହା ଏପ୍ରିଲ ୩୦ ତାରିଖରେ ଭାରତୀୟ ନାଗରିକତା ପ୍ରମାଣପତ୍ର ଦିଆଯାଇଥିଲା। ପୁଲିସ କହିଛି ଯେ, ଆଗକୁ ତଦନ୍ତ ହେଲେ ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ। ଦିଲ୍ଲୀର ରାଉଜ୍ ଆଭେନ୍ୟୁ ଅଦାଲତ ତଦନ୍ତ ପାଇଁ ଅଧିକ ସମୟ ଦେଇଛନ୍ତି। ଆସନ୍ତା ଡିସେମ୍ବର ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି।
