ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶ ଆଗାମୀ ଦିନରେ ମାନବ ସମାଜ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ଏପରିକି ୨୦୨୭ ମସିହାରେ ଏହାର ପ୍ରଭାବ କରୋନା ମହାମାରୀଠାରୁ ମଧ୍ୟ ଭୟଙ୍କର ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି ଏଆଇ ସୁରକ୍ଷା ଗବେଷକ ନିକୋଲା ଜୁର୍କୋଭିକ୍ । ଏହି ଆଶଙ୍କାକୁ ନେଇ ସେ ନିଜ ପରିବାରକୁ ଆଗୁଆ ସତର୍କ ରହିବା ସହ ଖାଦ୍ୟ, ପାଣି ଓ ନଗଦ ଟଙ୍କା ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି ।ନିକୋଲା ଏଆଇର ବିପଦ ଉପରେ ପରୀକ୍ଷା ଓ ଗବେଷଣା କରୁଥିବା ଆମେରିକାର ଅଣଲାଭକାରୀ ସଂସ୍ଥା ଏମ୍ଇଟିଆର୍ (ମଡେଲ ଇଭାଲ୍ୟୁଏସନ୍ ଆଣ୍ଡ ଥ୍ରେଟ୍ ରିସର୍ଚ୍ଚ)ରେ କାର୍ଯ୍ୟରତ । ନିକଟରେ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଖୋଲା ଚିଠି ଲେଖି ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି । ତାଙ୍କ ମତରେ, ଏଆଇ ଯଦି ମଣିଷର ନିୟନ୍ତ୍ରଣ ବାହାରକୁ ଚାଲିଯାଏ, ତେବେ ତିନି ପ୍ରକାରର ବଡ଼ ବିପଦ ଦେଖାଦେଇପାରେ ।ପ୍ରଥମତଃ, ଏଆଇ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ କମ୍ପ୍ୟୁଟର ବ୍ୟବସ୍ଥା ଉପରେ ସାଇବର ଆକ୍ରମଣ କରିପାରେ । ଦ୍ୱିତୀୟତଃ, ଖରାପ ବ୍ୟକ୍ତିମାନେ ଏହାର ସହାୟତାରେ ଜୈବିକ ଅସ୍ତ୍ର ତିଆରି କରିବାର ଜ୍ଞାନ ହାସଲ କରିପାରନ୍ତି । ତୃତୀୟତଃ, ପ୍ରମୁଖ ନେତୃବୃନ୍ଦ ଏଆଇକୁ ଅତ୍ୟଧିକ କ୍ଷମତା ହସ୍ତାନ୍ତର କରିଦେଇପାରନ୍ତି । ବିଶ୍ବସ୍ତରରେ କଠୋର ନିୟମ କରା ନଗଲେ ଏଆଇ ସବୁଠୁ ବୁଦ୍ଧିମାନ ମଣିଷକୁ ମଧ୍ୟ ୨୦୨୭ ମସିହାରେ ଟପିଯାଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।
