କାବୁଲ: ଆଫଗାନିସ୍ତାନର ପୂର୍ବ କୁନାର ପ୍ରଦେଶରେ ଆଜି ଏକ ସ୍କୁଲ୍ ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି ଏବଂ ଏଥିରେ ୬ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୯୭ ଜଣ ଆହତ ହୋଇଛନ୍ତି। ଅନ୍ଦର ସେର୍ ଅଞ୍ଚଳରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ଏହି ବିସ୍ଫୋରଣ ହୋଇଛି। କୁନାର ପ୍ରାଦେଶିକ ହସ୍ପିଟାଲ ମୁଖ୍ୟ ମାୱଲା ଦାଦ୍ କହିଛନ୍ତି, ପ୍ରାଥମିକ ସୂଚନା ଅନୁଯାୟୀ ୬ ଜଣ ଛାତ୍ରଙ୍କର ବିସ୍ଫୋରଣରେ ମୃତ୍ୟୁ ହୋଇଛି। ପାଖାପାଖି ୧୦୦ ଛାତ୍ର ବିସ୍ଫୋରଣରେ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ସେ କହିଛନ୍ତି। କୁନାରରେ ସୂଚନା ଏବଂ ସଂସ୍କୃତି ନିର୍ଦ୍ଦେଶକ ମଲାୱି ସାମି ଉଲ୍ ହକ୍ କହିଛନ୍ତି, ସ୍କୁଲ୍ ପଛପଟେ ଥିବା ଏକ ଘରେ ଏହି ବିସ୍ଫୋରଣ ହୋଇଛି। ମିଳିଥିବା ସୂଚନାନୂଯାୟୀ ଖଣି ଖନନ ସହ ଜଡ଼ିତ ବ୍ୟକ୍ତିମାନେ ଏହି ଘରେ ରହୁଥିଲେ ଏବଂ ସେମାନେ ସେଠାରେ ଡିନାମାଇଟ୍ ରଖିଥିଲେ। ତେବେ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ଇତି ମଧ୍ୟରେ କୁନାର ପ୍ରଦେଶରୁ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୁନାର ପୂର୍ବ ଆଫଗାନିସ୍ତାନରେ ଅବସ୍ଥିତ ଏବଂ ଏହାର ସୀମା ପାକିସ୍ତାନକୁ ଲାଗି ରହିଛି। ଏହା ପୂର୍ବରୁ ଗତ ଅଗଷ୍ଟରେ ମଧ୍ୟ ଆଫଗାନିସ୍ତାନ ରାଜଧାନୀ କାବୁଲ୍ରେ ଏକ ସ୍କୁଲ୍ ପରିସରରେ ପୃଥକ୍ ଗ୍ରେନେଡ୍ ଆକ୍ରମଣରେ ୪୦ ଶିଶୁ ଆହତ ହୋଇଥିଲେ।
