April 9, 2026

Now Odisha

Now Odisha

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍ |

Spread the love

 ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ଛତ୍ରପୁର ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଦୀପ କୁମାର ସାମଲ ଏହି ମାମଲାର ବିଚାର କରି ଜଣେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର ଅଭିଯୁକ୍ତ ସେହି ଗ୍ରାମର ଉପେନ୍ଦ୍ର ଦାସଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ମାମଲାର ବିଚାରଣରୁ ପ୍ରକାଶ ଯେ, ୨୦୧୩ ମସିହା ଅକ୍ଟୋବର ୧୭ ତାରିଖ ରାତି ୯ଟାରେ ବାଳକୃଷ୍ଣ ଗ୍ରାମର ଶେଷ ଦାସ ଓ ତାଙ୍କ ପତ୍ନୀ ସୁଶିଳା ଦାସଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ଚାଲିଥିଲା । ଏହାମଧ୍ୟରେ ସେହିଗ୍ରାମର ଉପେନ୍ଦ୍ର ଦାସ ମଝିରେ ପଶି ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ କରିଥିଲେ । ପାଟିତୁଣ୍ଡ ଚାଲିଥିବା ବେଳେ ଉପେନ୍ଦ୍ର ଉତ୍‌କ୍ଷୀପ୍ତ ହୋଇ ଶେଷ ଦାସ ଓ ତାଙ୍କ ପୁଅକୁ ପିଟିପିଟି ଅଚେତ କରିଦେଇଥିଲେ । ପତ୍ନୀ ସୁଶିଳା ପାଣିମାରି ସ୍ୱାମୀ ଶେଷ ଓ ପୁଅକୁ ଉଠାଇଥିଲେ । ଏହାପରେ ଚେତା ଫେରି ଆସିଥିବା ଶେଷ ଦାସକୁ ଘରୁ ଟାଣିଆଣି ପୁଣି ଉପେନ୍ଦ୍ର ଏକ କାଠରେ ଆକ୍ରମଣ କରି ଜୀବନରେ ମାରିଦେଇଥିଲେ । ମୃତ ଶେଷଙ୍କ ପତ୍ନୀ ସୁଶିଳାଙ୍କ ଅଭିଯୋଗ କ୍ରମେ ପୁରୁଷୋତ୍ତମପୁର ଥାନା ପକ୍ଷରୁ ୧୬୫/୧୩ ଏକ ମାମଲା ରୁଜୁ କରି ତତ୍କାଳୀନ ତଦନ୍ତ ଅଧିକାରୀ ବିଜୟ କୁମାର ସାହୁ ଅଭିଯୁକ୍ତ ଉପେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହାପରେ ୧୮୫/୧୪ ମାମଲା କୋର୍ଟରେ ବିଚାରଧୀନ ଥିଲା ।

ମାନ୍ୟବର ଏଡିଜେ ପ୍ରଦୀପ କୁମାର ସାମଲ ୧୬ ଜଣଙ୍କ ସାକ୍ଷ୍ୟ, ପ୍ରମାଣକୁ ଆଧାର କରି ୪୫୦, ୩୦୨ ଦୁଇଟି ଦଫାର ବିଚାରଣା କରିଥିଲେ । ୩୦୨ ଦଫା ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଉପେନ୍ଦ୍ର ଦାସକୁ ଆଜୀବନ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟରେ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ମାନ୍ୟବର ବିଚାରପତି ରାୟରେ ପ୍ରକାଶ କରିଛନ୍ତି । ସେହିପରି ଘରୁ ଟାଣିଆଣି ଆକ୍ରମଣ କରିଥିବା ଅଭିଯୋଗର ୪୫୦ ଦଫାରେ ବିଚାରଣା କରି ମାନ୍ୟବର ବିଚାରପତି ୭ ବର୍ଷ ଜେଲ୍ ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟରେ ଅତିରିକ୍ତ ୩ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ ପ୍ରକାଶ କରାଯାଇଛି । ସରକାରଙ୍କ ପକ୍ଷରୁ କ୍ୟାଡର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ନିହାର ରଞ୍ଜନ ଜେନା ମକଦ୍ଦମା ପରିଚାଳନା କରିଥିବା ବେଳେ ସରକାରୀ ଓକିଲ ପ୍ରଦୀପ କୁମାର ପାଢୀ ଓ ଗଙ୍ଗାଧର ପଣ୍ଡା ସହଯୋଗ କରିଥିଲେ ।

error: Content is protected !!