ଭୁବନେଶ୍ୱର, ୧୬/୦୪: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସହିତ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କର ଏକ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିବା ସଂପୃକ୍ତ ବିଭାଗର ସଚିବମାନେ ଯୋଗଦେଇଥିବା ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ । ବୈଠକରେ ପ୍ରଶିକ୍ଷଣରେ ଥିବା ୨୦୨୪ ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ବୈଠକରେ ‘ସିଏମ-ସମ୍ପଦା’ କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଥିଲା । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଉପଯୋଗରେ ଖଣି ପ୍ରଭାବିତ ଅଂଚଳରେ ଗୁଣାତ୍ମକ ଜୀବନଶୈଳୀ, ସ୍ୱାସ୍ଥ୍ୟ ସେବା, ନିରାପଦ ପାନୀୟଜଳ, ଶିକ୍ଷା, ଭିତ୍ତିଭୂମି ଆଦି କ୍ଷେତ୍ରରେ ବ୍ୟକ୍ତିଗତ ଓ ସାମୁହିକ ମୌଳିକ ସୁବିଧା ଏବଂ ବିକାଶମୂଳକ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ “ସିଏମ୍-ସଂପଦା” ତଦାରଖ ଓ ସମୀକ୍ଷା ପ୍ଲାଟଫର୍ମ କାର୍ଯ୍ୟକାରୀ ହୋଇଛି । ଏଥିପାଇଁ ରାଜ୍ୟର ସିଏମ-ସଂପଦା ଟିମ୍ ଦ୍ୱାରା ଖଣିଜ ପ୍ରଭାବିତ ଗ୍ରାମ ଗୁଡିକର ତାଲିକା ପ୍ରସ୍ତୁତି କରାଯାଇଛି, ଯଦ୍ୱାରା କି ସେସବୁ ଅଂଚଳରେ ବିକାଶ ତ୍ୱରାନ୍ୱିତ ହୋଇପାରିବ । ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ସିଏମ୍-ସମ୍ପଦାର କାର୍ଯ୍ୟକାରିତା ନେଇ ତଥ୍ୟର ଅନୁଧ୍ୟାନ କରିବା ସଂପର୍କରେ ବୈଠକ କରାଯାଉଥିବା ନେଇ ସୂଚନା ଦିଆଯାଇଥିଲା ।
ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟରେ କରାଯାଉଥିବା ଜଳସେଚନ ଗଣନା ସଂପର୍କରେ ଉପସ୍ଥାପନ କରାଯାଇଥିଲା । ୭ମ କ୍ଷୁଦ୍ର ଜଳସେଚନ ଗଣନା, ୨ୟ ଜଳାଶୟ ଗଣନା, ୧ମ ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଗଣନା ଏବଂ ପ୍ରଥମ ଝରଣା ଗଣନା ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ପ୍ରଥମ ଥର କରି ରାଜ୍ୟରେ ଝରଣା ଗଣନା କାର୍ଯ୍ୟକ୍ରମ କରାଯାଉଛି, ଯାହାର ତଥ୍ୟ ଭୂତଳ ଜଳ ପରିଚାଳନା ଓ ସଂପୃକ୍ତ ଅଂଚଳରେ ପରିବେଶୀୟ ସନ୍ତୁଳନରେ ସହାୟକ ହେବ । ଝରଣା ଗଣନା କାର୍ଯ୍ୟକ୍ରମକୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜଳସେଚନ ଗଣନା ସଂପର୍କିତ ଜିଲ୍ଲାସ୍ତରୀୟ ଉପ କମିଟି ଗଠନ କରାଯାଇଥିବା ବେଳେ ସମସ୍ତ ଜଳସେଚନ ଗଣନା କାର୍ଯ୍ୟକୁ ଜିଲ୍ଲାପାଳମାନେ ଗୁରୁତ୍ୱ ଦେବା, ଗଣନା କାର୍ଯ୍ୟରେ ଗୁଣାତ୍ମକତା ରହିବା ଓ ଠିକ ସମୟରେ କାର୍ଯ୍ୟ ସାରିବାକୁ ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା ।ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଂପର୍କିତ ମାତୃ ଓ ଶିଶୁ ମୃତ୍ୟୁ ଜନିତ କାରଣ ଓ ଏହାକୁ ହ୍ରାସ କରିବା ପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା, ଚିକିତ୍ସା ମାର୍ଗ ଦର୍ଶିକାର ସଠିକ୍ ଅନୁପାଳନ, ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି, ଜିଲ୍ଲା, ବ୍ଲକ ଓ ସେକ୍ଟର ସ୍ତରରେ ନିୟମିତ ସମୀକ୍ଷା ବୈଠକ ହେବା ସଂପର୍କରେ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିଲା । “ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା” ଏବଂ “ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା” କାର୍ଡ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

More Stories
ଜରଡା ଥାନା ଆକ୍ରମଣ ମାମଲା: ବହୁରାଜ୍ୟ ଛାପାମାରିରେ ମୁଖ୍ୟ ଅଭିଯୁକ୍ତ ଗିରଫ
୩୩% ମହିଳା ଆରକ୍ଷଣ ପାଇଁ ଏକତ୍ର ସ୍ୱର ଉଠାଇବା ଆବଶ୍ୟକ: ତପନ ଚାନ୍ଦ
ଭୁବନେଶ୍ୱରରେ ସବୁଠାରୁ ବଡ଼ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା |