ପୃଥକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ରାୟଗଡା ଜିଲ୍ଲା ଗୁଣୁପୁର ଓ ନବରଙ୍ଗପୁର ଜିଲ୍ଲା ଝରିଗାଁରେ ପୃଥକ ବାଇକ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି।
ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ବଡବାରିଡି ନିକଟରେ ଦୁଇ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ଦୁଇ ଜଣକ ମୃତ୍ୟୁ ଘଟିଛି।ମୃତକ ହେଲେ ଗୁଣୁପୁର ବ୍ଲକ୍ ମରମା ପଞ୍ଚାୟତ ଉପର ଗୁମୁରିଗୁଡା ଗ୍ରାମର ଆର୍କା ଭୁଗାନ (୬୦) , ଆନ୍ଧ୍ରର ଏଲ୍ଓ୍ବୁଇନ୍ ପେଟା ଥାନା ଅନ୍ତର୍ଗତ ଗୁମାଲକ୍ଷ୍ମୀପୁର ମଣ୍ଡଳର ଆଡାମଗୁଡା ଗ୍ରାମର ଶିବା ମାଣ୍ଡାଙ୍ଗୀ ( ୩୦) । ଏଥିସହ ଜଣେ ଗୁରତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ଗୁଣୁପୁର ଉପଖଣ୍ଡସ୍ତରିୟ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି। ଗୁରୁତର ଇତିମାନ ଗୁଡାର ତିମତି ଆପ୍ରାକାକୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗାଦିଆଖଳା ପଞ୍ଚାୟତ ବାୟାଗୁଡା ଗ୍ରାମର ଶଙ୍କର ଶବର ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ସ୍ଥଳରେ ଗୁଣୁପୁର ପୋଲିସ୍ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ମୃତକ ଆର୍କା ଭୁଗାନ ଜଣେ ଖ୍ରୀଷ୍ଟିଆନ ପାଷ୍ଟର । ତାଙ୍କ ଘର ଉପର ଗୁମୁରିଗୁଡା । ସେ ଗୁଣୁପୁର ଶବର ବିହାର ଅଞ୍ଚଳରେ ରହୁଥିଲେ। ନିଜ ଗ୍ରାମରୁ ଭୋଜି ଖାଇ ପାଷ୍ଟର ଓ ତ୍ରିପତି ଆପ୍ରାକା ଗୁଣୁପୁର ଫେରୁଥିଲେ। ବିପରିତ ଦିଗରୁ ଅନ୍ୟ ଏକ ବାଇକରେ ଆସୁଥିବା ଆନ୍ଧ୍ରର ଆଡାମ ଗୁଡା ଗ୍ରାମର ଶିବା ମାଣ୍ଡାଙ୍ଗୀ ଓ ଶଙ୍କର ଶବର ନିଜ ଗ୍ରାମ ଆଡାମଗୁଡାରୁ କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ଖବର ଦେବାକୁ ବାତିଲି ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଉଭୟ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା ।
ସେହିପରି ଗୁଣୁପୁର ଥାନା ଅନ୍ତର୍ଗତ ରେଙ୍ଗଲପଦର ନିକଟ ମୁଖ୍ୟ ରାସ୍ତାରେ ବାଇକକୁ ଧକ୍କା ଦେଇଥିଲା ମେକ୍ସପିକଅପ ଭ୍ୟାନ। ଦୁର୍ଘଟଣାରେ ଜଣକର ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ରାୟଗଡା ଆର୍ କେ ନଗରର ଦୀପକ ଗଉଡ (୩୨)। ସେ ଜଣେ କନେଷ୍ଟବଳ । ଗୁରୁତର କେଦାରନାଥ ଗଉଡ ( ୫୨ ) ଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟ କେଦାରନାଥ ଓ ଦୀପକ ଦାଦା ପୁତୁରା ବୋଲି ଜଣାପଡଛି। ଆନ୍ଧ୍ରର ବାତିଲିକୁ ଯାଇ ସେମାନେ ଫେରୁଥିଲେ।
ସେହିପରି ନବରଙ୍ଗପୁର ଜିଲ୍ଳା ଝରିଗାଁ ଥାନା ଅନ୍ତର୍ଗତ ବଡ଼ ଟେମେରା ପଞ୍ଚାୟତ ଅନ୍ତର୍ଗତ ଝାଳିଆ ନୂଆଁଗୁଡ଼ା ଗ୍ରାମ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ଝରିଗାଁ ବ୍ଲକ ଇଛାପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଭଟ୍ଟା ଗ୍ରାମର ମଣିଆ ଜାନୀଙ୍କ ପୁଅ ହୀରାଧାର ଜାନୀ(୧୮),ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମର ମିରୁ ଜାନୀ(୨୨), ଚକଲା ପଦର ପଞ୍ଚାୟତର ଧହଡାକୋଟ ଗ୍ରାମର କାଳିଆ ଜାନୀଙ୍କ ପୁଅ ଟିବୁ ଜାନୀ(୨୨) ଏବଂ ସମ୍ବରୁ ଜାନୀଙ୍କ ପୁଅ ମଙ୍ଗଲୁ ଜାନୀ(୧୭) ବାଇକ ଯୋଗେ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ବାର୍ଲ୍ଲୀ ଗ୍ରାମକୁ ଯାଇଥିଲେ। କାମ ସାରି ଫେରିବା ବେଳେ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଝାଲିଆ ନୂଆଗୁଡ଼ା ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା। ଫଳରେ ହୀରାଧର ଜାନୀ ଏବଂ ମିରୁ ଜାନୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିପରି ଟିବୁ ଜାନୀ ଓ ମଙ୍ଗଲୁ ଜାନୀ ଗୁରୁତର ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

More Stories
ନିଖୋଜ ହେବାର ୭ ଦିନ ପରେ ମିଳିଲା ବ୍ରହ୍ମପୁର ଉପକଣ୍ଠ କରାପଲି ଗାଁର ବ୍ୟବସାୟୀ ସୁଧୀର ପାତ୍ରଙ୍କ ମୃତଦେହ।
ଚାଲିଥିଲା ସଟ୍ଟାଖେଳ: ମାଡି ବସିଲା ସଦର ଥାନା ପୋଲିସ୍, ୫ଅଭିଯୁକ୍ତ…
ବାଗଝୋଲା ନଦୀଘାଟରୁ ଗଳିତ ମୃତଦେହ ଜବତ, ହତ୍ୟା ପରେ ଆଳୁ ବସ୍ତାରେ ଭର୍ତ୍ତି କରି ଫିଙ୍ଗିଥିବା ସନ୍ଦେହ