April 27, 2026

Now Odisha

Now Odisha

ଆମେରିକା-ଇରାନ ଶାନ୍ତି ଆଶା ମଉଳିଲା: ପ୍ରତିନିଧି ପଠାଇବା ନିଷ୍ପତ୍ତି ସ୍ଥଗିତ ରଖିଲେ ଟ୍ରମ୍ପ୍ |

Spread the love

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତିନିଧି ଭାବେ ଷ୍ଟିଭ୍‌ ଓ୍ବିଟ୍‌କଫ୍‌ ଏବଂ ଜାରେଡ କୁଶ୍‌ନେର ଇରାନ ସହ ଆଲୋଚନା ପାଇଁ ପାକିସ୍ତାନ ଗସ୍ତରେ ଯିବେନାହିଁ ବୋଲି ସେ କହିବା ପରେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଆଶା ମଉଳିଯାଇଛି। ଉଭୟ ଦେଶ ଅଟକି ରହିଥିବା ଆଲୋଚନାକୁ ପୁନର୍ବାର ଆରମ୍ଭ କରିବା ଦିଗରେ ଉଦ୍ୟମ କରିଥିଲେ ମଧ୍ୟ ନିଜ ନିଜର କଠୋର ନିଷ୍ପତ୍ତିରୁ ନରମିବାକୁ ଚାହୁଁ ନ ଥିବା ଜଣାପଡ଼ିଛି।

ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ ଅରାଘଚି ଆଲୋଚନା ପାଇଁ ପାକିସ୍ତାନ ଆସିଥିଲେ ମଧ୍ୟ ଶନିବାର ସନ୍ଧ୍ୟାରେ ମଧ୍ୟପ୍ରାଚ୍ୟକୁ ଫେରିଯାଇଛନ୍ତି।
ଫେବୃଆରୀ ୨୮ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଅସ୍ତ୍ରବିରତି ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଯୁଦ୍ଧ ବନ୍ଦ କରିବା ନେଇ କୌଣସି ଚୁକ୍ତିନାମାରେ ଉଭୟ ଦେଶ ପହଞ୍ଚି ପାରିନାହାନ୍ତି। ଇରାନ ବିରୋଧରେ ଆମେରିକା ଏବଂ ଇସ୍ରାଏଲ୍‌ର ଆକ୍ରମଣ ଯୋଗୁ ଅନେକ ହଜାର ଲୋକଙ୍କ ଜୀବନ ଯିବା ସହ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଛି ଏବଂ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହୋଇଛି। ବିଶ୍ୱର ୨୦ ପ୍ରତିଶତ ଇନ୍ଧନ ପରିବହନର ମୁଖ୍ୟ ସାମୁଦ୍ରିକ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ତେହରାନ୍‌ ବନ୍ଦ କରିଦେଇଥିବାବେଳେ ଓ୍ବାଶିଂଟନ ଇରାନର ପୋର୍ଟଗୁଡ଼ିକୁ ଅବରୋଧ କରି ରଖିଛି। ଆମେରିକା ଅବରୋଧ ହଟାଉ ବୋଲି ଇରାନ ଦାବି କରିଛି। ଧମକ କିମ୍ବା ବ୍ଲାକ୍‌ମେଲ୍‌ ଦ୍ୱାରା ଜବରଦସ୍ତ ବୁଝାମଣାରେ ତେହରାନ୍‌ ପଶିବ ନାହିଁ ବୋଲି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍‌କିଆନ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଫୋନ୍‌ରେ କହିଛନ୍ତି। ଆଲୋଚନାକାରୀମାନେ ସମାଧାନ ପାଇଁ ପୃଷ୍ଠଭୂମି ପ୍ରସ୍ତୁତ କରିବା ପୂର୍ବରୁ ଆମେରିକା ସାମୁଦ୍ରିକ ଅବରୋଧ ଓ ଅନ୍ୟାନ୍ୟ କଟକଣା ପ୍ରଥମେ ହଟାଇବା ଦରକାର ବୋଲି ପେଜେଶ୍‌କିଆନ୍‌ କହିଛନ୍ତି।
ଅରାଘଚି ଇସ୍‌ଲାମାବାଦରୁ ଅନ୍ୟତମ ମଧ୍ୟସ୍ଥ ରାଷ୍ଟ୍ର ଓମାନ୍‌ ଯାଇଥିବାବେଳେ ପରେ ସେ ରୁଷିଆ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଓମାନ୍‌ରେ ସେ ଦେଶର ନେତା ହାଇଥାମ୍‌ ବିନ୍‌ ତାରିକ୍‌ ଅଲ୍‌-ସଏଦଙ୍କ ସହ ଯୁଦ୍ଧ ବନ୍ଦ ନେଇ ଆଲୋଚନା କରିବେ ବୋଲି ସେଠାର ସରକାରୀ ଗଣମାଧ୍ୟମ କହିଛି। ଅନ୍ୟପକ୍ଷରେ କୂଟନୈତିକ ଗସ୍ତ ସ୍ଥଗିତ ରହିବା ପରେ ଟ୍ରମ୍ପ୍‌ କହିଛନ୍ତି, ଇରାନ ଅନେକ ପ୍ରସ୍ତାବ ଦେଇଛି, କିନ୍ତୁ ଯଥେଷ୍ଟ ନୁହେଁ। ଇରାନର ନେତାମାନଙ୍କ ମଧ୍ୟରେ ମତଭେଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ଟ୍ରମ୍ପ୍‌ ଟ୍ରୁଥ୍‌ ସୋସିଆଲ୍‌ରେ ଲେଖିଛନ୍ତି।

error: Content is protected !!