April 26, 2026

Now Odisha

Now Odisha

ଜନଗଣନା କର୍ମଚାରୀଙ୍କୁ ମାଡ଼: ଧରାପଡ଼ିଲେ ୨ ଅଭିଯୁକ୍ତ

Spread the love

କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଓଡ଼ିଶା ପକ୍ଷରୁ ଜନଗଣନା କରୁଥିବା କର୍ମଚାରୀଙ୍କ ମାଡ଼ ମାରିବା ଅଭିଯୋଗରେ ସେମ୍ୱି ଗ୍ରାମର ୨ଜଣ ବ୍ୟକ୍ତିଙ୍କୁ କୋଟିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

କୋଟିଆ ପଞ୍ଚାୟତରେ ଓଡ଼ିଶାର ୩ ଗ୍ରାମକୁ ନେଇ ଆନ୍ଧ୍ର କରିଥିବା ପଞ୍ଚାୟତର ଲୋକମାନେ ଆନ୍ଧ୍ରର ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ସାଲୁର୍‌ ବିଧାୟିକା ଜି.ସନ୍ଧ୍ୟାରାଣୀଙ୍କୁ ତାଙ୍କ ବାସଭବନରେ ଭେଟି ଗିରଫ ହୋଇଥିବା ୨ ବ୍ୟକ୍ତିଙ୍କ ସମ୍ପର୍କରେ ଓ ଅନ୍ୟ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏହାକୁ ନେଇ ଉକ୍ତ ରାଜ୍ୟର ଆଦିବାସୀ କଲ୍ୟାଣ ମନ୍ତ୍ରୀ ସନ୍ଧ୍ୟାରାଣୀ ଓଡ଼ିଶା ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଠିକ ନୁହେଁ ଅତି ନିନ୍ଦନୀୟ ବୋଲି କହିଛନ୍ତି। ଓଡ଼ିଶା ପ୍ରଶାସନିକ ଅଧିକାରୀ ପ୍ରକୃତ ଘଟଣା ବୁଝିବା ଉଚିତ୍‌ ଥିଲା। ଉକ୍ତ ଗ୍ରାମବାସୀ ଯଦି ଆନ୍ଧ୍ର ସହ ରହିବାକୁ ଚାହୁଁଛନ୍ତି ଏଥିରେ ଅସୁବିଧା ରହିଲା କେଉଁଠି ଓ ଏହିପରି ଗିରଫ କରି ସୀମାନ୍ତବାସୀଙ୍କୁ ଭୟଭୀତ କରିବା ଠିକ୍‌ ହୋଇନାହିଁ ବୋଲି ସେ କହିଛନ୍ତି। ଉଚ୍ଚ ନ୍ୟାୟାଳୟ ପକ୍ଷରୁ ୨ ରାଜ୍ୟକୁ ଟାଟୋସ୍କପ୍‌ ମ୍ୟାଣ୍ଟେନ୍‌ କରିବା ଉଚିତ୍‌ କହିଥିବା କହିଛନ୍ତି। ଘଟଣା ସମ୍ପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁଙ୍କ ଦୃଷ୍ଟି ଆକର୍ଷଣ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିବା ଜଣାପଡ଼ିଛି।

ଘଟଣାକୁ ନେଇ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଆନ୍ଧ୍ର ଓଡ଼ିଶାର ସାନ ଭାଇ, ବଡ଼ ଭାଇକୁ ସମ୍ମାନ ଦେବା ଆବଶ୍ୟକ ଓ ସହଯୋଗ କରିବା ନେଇ ଶିଖିବା ଉଚିତ ବୋଲି କହିଛନ୍ତି। ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତରେ ଚାଲିଥିବା ଜନଗଣନା କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ଲୋକେ ସହଯୋଗ କରିବା ଆବଶ୍ୟକ। ଏହାକୁ ବିରୋଧ କରି କାର୍ଯ୍ୟକ୍ରମରେ ନିୟୋଜିତ ଶିକ୍ଷକମାନଙ୍କୁ ଦୁର୍ୱ୍ୟବହାର କରିବା ଠିକ ନୁହେଁ, ଜନଗଣନାରେ ନିୟୋଜିତ ଶିକ୍ଷକମାନଙ୍କୁ ସୁରକ୍ଷା ଯୋଗାଇବା ଆବଶ୍ୟକ ବୋଲି କହିଛନ୍ତି। ଓଡ଼ିଶା ସରକାର ପକ୍ଷରୁ କୋଟିଆ ପଞ୍ଚାୟତରେ ଶିକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା, ଗମନାଗମନ ଆଦିି ମୌଳିକ ସୁବିଧା ତୁଳନାରେ ଆନ୍ଧ୍ର କିଛି କରିପାରିନାହିଁ ବୋଲି ବିଧାୟକ କାଡାମ କହିଛନ୍ତି।

error: Content is protected !!