April 28, 2026

Now Odisha

Now Odisha

ଗର୍ଭ ଯନ୍ତ୍ରଣା ହେବାରୁ ସ୍ବାମୀଙ୍କ ସହ ଯାଇଥିଲେ ହସ୍ପିଟାଲ, ଅକସ୍ମାତ ଚାଲିଗଲା ଜୀବନ, ଅଞ୍ଚଳରେ ଚାଞ୍ଚଲ୍ୟ

Spread the love

ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରବିବାର ରାତିରେ ଜଣେ ଗର୍ଭବତୀ ମହିଳାଙ୍କ ଅକସ୍ମାତ୍‌ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ମହିଳା ହେଲେ ଜି.ଉଦୟଗିରି ବ୍ଲକ କୁମ୍ଭାରକୁପା ଗ୍ରାମର ସ୍ନେହଲତା ପ୍ରଧାନ। ସୂଚନା ଅନୁସାରେ, ସ୍ନେହଲତା ପ୍ରଧାନ ତାଙ୍କ ସ୍ବାମୀ ରୋସନ ପ୍ରଧାନଙ୍କ ସହ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ।

ଲେବର ରୁମ୍‌କୁ ନେଇଯାଉଥିବା ସମୟରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ଆଶାକର୍ମୀ ଓ ନର୍ସ ସ୍ବାମୀ ରୋସନଙ୍କ ସହାୟତାରେ ବେଡ୍‌ରେ ସୁଆଇ ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
କାର୍ଯ୍ୟରତ ଡାକ୍ତର ଡା.ରଘୁନନ୍ଦନ ବେହେରା ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଘଟଣା ସମ୍ବନ୍ଧରେ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ସରପଞ୍ଚ ଝରଣା ପ୍ରଧାନ ଓ ଗ୍ରାମବାସୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶୋକ ପ୍ରକାଶ କରିଥିଲେ। ତେବେ ଗର୍ଭବତୀ ମହିଳା ଓ ତାଙ୍କ ଗର୍ଭସ୍ତ ଶିଶୁର ମୃତ୍ୟୁକୁ ନେଇ ଅଞ୍ଚଳରେ ବିଭିନ୍ନ ପ୍ରଶ୍ନ ଉଠୁଥିବା ଶୁଣିବାକୁ ମିଳୁଛି । ମହିଳାଙ୍କ ମୃତ୍ୟୁ କିପରି ଘଟିଲା ? କୌଣସି ଅନ୍ୟ ଗୁରୁତର ରୋଗ ଥିଲା କି? ଆସନ୍ତା ମାସ ୩ ତାରିଖରେ ତାଙ୍କ ଡେଲିଭେରୀ ଡେଟ୍‌ ଥିଲା ଏତେ ମାସ ଧରି ଗର୍ଭବତୀ ମହିଳାଙ୍କ ରୁଟିନ ଚେକଅପ ହେଉନଥିଲା କି?ଏହାସହ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ଯଦି ସଙ୍ଗେ ସଙ୍ଗେ ଅପରେଶନ କରି ଗର୍ଭରେ ଥିବା ଶିଶୁକୁ ବାହାର କରାଯାଇଥାନ୍ତା, ଶିଶୁଟି ବଞ୍ଚିପାରିଥାନ୍ତା କି ନାହିଁ ? ଏ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିୟୋଜିତ ଥିବା ସତ୍ତ୍ୱେ ଏପରି ପଦକ୍ଷେପ କାହିଁକି ନିଆଯାଇନି, ତାହା ନେଇ ବିଭାଗର ପରିଚାଳନା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସହ ସ୍ବାସ୍ଥ୍ୟ ସେବାରେ ଅବହେଳା ହୋଇଛି କି ନାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷଜ୍ଞ ଡାକ୍ତର ସେହି ସମୟରେ ଉପସ୍ଥିତ ଥିଲେ ହୁଏତ କିଛି ଅଲଗା ଘଟଣା ଘଟିଥାନ୍ତା , ମା’ ଛୁଆ ମଧ୍ୟରୁ ହୁଏତ ଛୁଆକୁ ବଂଚେଇ ପାରିଥାନ୍ତେ ଡାକ୍ତର । ଅନ୍ୟପଟେ ଡାକ୍ତରଙ୍କ ଲିଖିତ ଅଭିଯୋଗ ଆଧାରରେ ସ୍ଥାନୀୟ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି।

error: Content is protected !!