May 1, 2026

Now Odisha

Now Odisha

ବିଧାନସଭା ସ୍ୱତନ୍ତ୍ର ଅଧିବେଶନ: ମହିଳା ସଂରକ୍ଷଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

Spread the love

‘୮ ଦଶନ୍ଧିର ଯାତ୍ରାରେ ମହିଳା ସବୁ କ୍ଷେତ୍ରରେ ପାରଙ୍ଗମ’

ମୁଖ୍ୟମନ୍ତ୍ରୀ କହିଲେ, “ଆଜି ଦେଶ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂରଣ କରୁଛି। ଅନେକ ପ୍ରଗତି ସତ୍ତ୍ୱେ ଅଧା ଜନସଂଖ୍ୟା ନିଜକୁ ଠକି ହେଲା ପରି ମନେ କରୁଛନ୍ତି। ଗତ ଦଶନ୍ଧି ଧରି ସବୁ ରାଜନୈତିକ ଦଳ ମହିଳା ସଶକ୍ତିକରଣର କଥା କହୁଛନ୍ତି, କିନ୍ତୁ ଏହାର ସଂଜ୍ଞା ଅତି ସଂକୁଚିତ।

ସେମାନେ କେବଳ ଅର୍ଥନୈତିକ ଆତ୍ମନିର୍ଭରଶୀଳତାକୁ ସଶକ୍ତିକରଣ ବୋଲି ଭାବନ୍ତି। ପ୍ରକୃତ ସଶକ୍ତିକରଣ ହେଉଛି ନିଜର, ପରିବାର ଓ ସମାଜ ପାଇଁ ନିଷ୍ପତ୍ତି ନେବାର ଅଧିକାର।”

‘ସୁଭଦ୍ରା ଯୋଜନା ଏବଂ ଲକ୍ଷପତି ଦିଦି’

ସେ କହିଲେ, “ବିକଶିତ ଭାରତ ପାଇଁ ‘ସମୃଦ୍ଧ ଓଡ଼ିଶା’ ଆମର ଲକ୍ଷ୍ୟ। ‘ସୁଭଦ୍ରା ଯୋଜନା’ କେବଳ ସହାୟତା ରାଶି ନୁହେଁ, ୧ କୋଟିରୁ ଅଧିକ ମହିଳାଙ୍କୁ ଆତ୍ମନିର୍ଭର କରିବାର ପ୍ରୟାସ। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ୩୮୮ କନ୍ୟାଙ୍କ ବିବାହ ପାଇଁ ୧ କୋଟି ୭୧ ଲକ୍ଷ ଟଙ୍କା DBT ମାଧ୍ୟମରେ ଦିଆଯାଇଛି।” ସେ ଆହୁରି ଉଲ୍ଲେଖ କରିଥିଲେ ଯେ, ୨୦୨୫-୨୬ରେ ‘ମମତା’ ଓ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ଯୋଜନାକୁ ଏକୀକୃତ କରାଯାଇ ୪.୫୭ ଲକ୍ଷ ମହିଳାଙ୍କୁ ୪୯୬ କୋଟି ଟଙ୍କା ସହାୟତା ମିଳିଛି। SHG ଗୋଷ୍ଠୀଙ୍କୁ ୭୨୪ କୋଟି ୩୨ ଲକ୍ଷ ଟଙ୍କା ସୁଧ ଫେରସ୍ତ କରାଯାଇଛି।

‘ନାରୀ ଅଦାଲତ ଓ ୱାନ୍ ଷ୍ଟପ୍ ସେଣ୍ଟର’

ମୁଖ୍ୟମନ୍ତ୍ରୀ କହିଲେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ‘ନାରୀ ଅଦାଲତ’ ଗଠନ କରାଯାଇଛି। ଦେଶରେ ୯୨୬ଟି ୱାନ୍ ଷ୍ଟପ୍ ସେଣ୍ଟର କାର୍ଯ୍ୟକ୍ଷମ। ମାତୃତ୍ୱ ଅବକାଶ ୧୨ରୁ ୨୬ ସପ୍ତାହକୁ ବୃଦ୍ଧି କରାଯାଇଛି। ‘ପୋଷଣ ଅଭିଯାନ’ ଜରିଆରେ ମାର୍ଚ୍ଚ ୨୦୨୬ ସୁଦ୍ଧା ୧୪୪ କୋଟି ଟଙ୍କା ବ୍ୟୟରେ ୩୫ ଲକ୍ଷ ହିତାଧିକାରୀଙ୍କୁ ପୁଷ୍ଟି ସୁରକ୍ଷା ଦିଆଯିବ।

‘ବିରୋଧୀଙ୍କ ମାନସିକତା ସଂକୁଚିତ’ – ମୁଖ୍ୟମନ୍ତ୍ରୀ

ବିରୋଧୀ ଦଳଙ୍କ ଉଦ୍ଦେଶ୍ୟରେ ସେ କହିଲେ, “କଂଗ୍ରେସର ୧୯୮୪ରେ ଲୋକସଭା ଓ ରାଜ୍ୟସଭାରେ ତିନି-ଚତୁର୍ଥାଂଶ ଆସନ ଥିଲା, ହେଲେ ସେମାନେ ମହିଳା ଆରକ୍ଷଣ ବିଲ ପାସ୍ କରି ନଥିଲେ। ବିଜେଡି ପଞ୍ଚାୟତରେ ୫୦% ଆରକ୍ଷଣକୁ ସମର୍ଥନ କରେ, କିନ୍ତୁ ବିଧାନସଭା ଓ ଲୋକସଭାରେ ବିରୋଧ କରେ। କାରଣ ସେମାନଙ୍କ ବଡ଼ ନେତାଙ୍କ ସ୍ୱାର୍ଥ ବାଧିତ ହେବ।” ସେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦ୍ରୌପଦୀ ମୁର୍ମୁ, ପ୍ରଭାତୀ ପରିଡ଼ା ଓ ନିର୍ମଳା ସୀତାରମଣଙ୍କ ଯୋଗଦାନକୁ ମଧ୍ୟ ସ୍ମରଣ କରିଥିଲେ।

‘୨୦୨୯ରୁ ଲାଗୁ ହେବ ମହିଳା ଆରକ୍ଷଣ’

ରାଜ୍ୟରେ ଆସନ ସଂଖ୍ୟା ହ୍ରାସ ନେଇ ବିରୋଧୀଙ୍କ ଆଶଙ୍କା ଖାରଜ କରି ମୁଖ୍ୟମନ୍ତ୍ରୀ କହିଲେ, “ଲୋକସଭା ଆସନ ୮୫୦କୁ ବଢ଼ିବ। ତେଣୁ ଓଡ଼ିଶାର ଆସନ ମଧ୍ୟ ୫୦% ବୃଦ୍ଧି ପାଇବ। ୨୦୨୯ ସାଧାରଣ ନିର୍ବାଚନରୁ ମହିଳା ଆରକ୍ଷଣ ନିଶ୍ଚିତ ଭାବେ ଲାଗୁ ହେବ।” ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିଶେଷ ଅଧିବେଶନ ଦାବିକୁ ସ୍ୱାଗତ କରି ସେ କହିଲେ, ଏହି ଆଲୋଚନା ସାର୍ଥକ ହେଉ।

error: Content is protected !!