ମୁମ୍ବାଇ : ମୁମ୍ବାଇର ପାଇଧୋନି ଅଞ୍ଚଳରେ ବିରିଆନୀ ଖାଇବା ପରେ ତରଭୁଜ ଖାଇ ଏକାସାଙ୍ଗରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ଫରେନସିକ୍ ରିପୋର୍ଟ ଅନୁଯାୟୀ, ମୃତକଙ୍କ ଶରୀରରେ ବିଷକ୍ରିୟା ହୋଇଥିବା ଜଣାପଡିଛି । ଆଉ ଏହା ପଛରେ ଷଡ଼ଯନ୍ତ୍ର ଥିବା ଅନୁମାନ କରାଯାଉଛି ।
ଫରେନସିକ୍ ରିପୋର୍ଟରୁ ଜଣାପଡ଼ିଛି ଯେ, ମୃତକଙ୍କ ଶରୀରର କିଛି ଆଭ୍ୟନ୍ତରୀଣ ଅଙ୍ଗ ମସ୍ତିଷ୍କ, ହାର୍ଟ ଏବଂ ଅନ୍ତଃନଳୀ ନୀଳ ପଡିଯାଇଥିଲା । ଯାହାର ଅର୍ଥ ମୃତକଙ୍କ ଶରୀରରେ ବିଷର ପ୍ରଭାବ ରହିଥିଲା । ଏଥିସହିତ ମୃତ ଅବଦୁଲ୍ଲାଙ୍କ ଶରୀରରେ ‘ମର୍ଫିନ୍’ ନାମକ ଔଷଧର ଅଂଶ ମଧ୍ୟ ମିଳିଛି । ଏହା ଶରୀରରେ କିପରି ପହଞ୍ଚିଲା, ସେ ନେଇ ଡାକ୍ତରୀ ଦଳ ଆଶ୍ଚର୍ଯ୍ୟ ହୋଇଛନ୍ତି ।
ତେବେ ଖବର ମୁତାବକ, ମୃତ ଅବଦୁଲ୍ଲା ୨୦୧୯ରେ ଏକ ଜାଲିଆତି ମାମଲାରେ ଗୁରୁତ୍ବପୂର୍ଣ୍ଣ ସାକ୍ଷୀ ରହିଥିଲେ । ୨୦୧୯ରେ ଡିଏନ ନଗର ପୋଲିସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏଥିରେ ଯୋଗେଶ୍ବରୀର ଏକ ବିଲ୍ଡର ବିରୋଧରେ ମହିଳା ଜଣକ ଜାଲିଆତି କେସ୍ ଦାୟର କରିଥିଲେ । ମୃତ ଅବଦୁଲ୍ଲାଙ୍କ ପତ୍ନୀ ବିଲ୍ଡର ପଇସା ଦେଇଥିଲେ । ବିଲ୍ଡର ଜଣକ ଟଙ୍କା ଦେବାକୁ ଅବଦୁଲ୍ଲାଙ୍କୁ ଡକାଇଥିଲେ । କିନ୍ତୁ ଟଙ୍କା ନ ଫେରସ୍ତ ହେବାରୁ ଥାନାରେ ମାମଲା ରୁଜୁ କରିଥିଲେ । ଯାହାକୁ ନେଇ ଏବେ ପୋଲିସ ସନ୍ଦେହ କରୁଛି ।
ଫରେନସିକ୍ ରିପୋର୍ଟ ଆସିବା ପରେ ପୋଲିସ ଏବେ ଦୁଇଟି ଦିଗ ଉପରେ ଗୁରୁତ୍ୱ ଦେଇ ତଦନ୍ତ କରୁଛି । ତରଭୁଜକୁ ଶୀଘ୍ର ପଚାଇବା ପାଇଁ କିମ୍ବା ଲାଲ୍ ଦେଖାଯିବା ପାଇଁ କୌଣସି ମାରାତ୍ମକ ରାସାୟନିକ ପଦାର୍ଥର ଇଞ୍ଜେକ୍ସନ ଦିଆଯାଇଥିଲା କି ? କେହି ଜାଣିଶୁଣି ତରଭୁଜ କିମ୍ବା ଖାଦ୍ୟରେ ବିଷ ମିଶାଇଛି କି ? ପୋଲିସ ଏବେ ଫଳ ବିକ୍ରେତାଙ୍କୁ ଖୋଜୁଛି ।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୬ ତାରିଖରେ ପାଇଧୋନି ଅଞ୍ଚଳରେ ରହୁଥିବା ଏହି ପରିବାରର ମୋଟ ୭ ଜଣ ସଦସ୍ୟ ରାତିରେ ଏକାଠି ବିରିୟାନୀ ଖାଇଥିଲେ । ଖାଇବା ପରେ କିଛି ସମ୍ପର୍କୀୟ ନିଜ ଘରକୁ ଫେରିଯାଇଥିଲେ । ରାତି ପ୍ରାୟ ୧ଟାରୁ ୧ଟା ୩୦ ମିନିଟ୍ ମଧ୍ୟରେ ପରିବାରର ୪ ଜଣ ସଦସ୍ୟ ତରଭୁଜ ଖାଇଥିଲେ । ଭୋର ୫ଟା ୩୦ ମିନିଟରେ ତରଭୁଜ ଖାଇବାର କିଛି ଘଣ୍ଟା ପରେ ହଠାତ୍ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ମୃତକ ହେଉଛନ୍ତି ୪୦ ବର୍ଷୀୟ ଅବଦୁଲ୍ଲା ତାଙ୍କ ୩୫ ବର୍ଷୀୟା ପତ୍ନୀ ଏବଂ ସେମାନଙ୍କର ଦୁଇ ଝିଅ ।

More Stories
ନଗର ସଂକୀର୍ତ୍ତନ ଓ ଦଧି ହାଣ୍ଡି ଭାଙ୍ଗିବା ସହିତ ଉଦଯାପିତ ହେଲା ଷୋହଳ ପ୍ରହର ନାମଯଜ୍ଞ
ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ଜିତୁଙ୍କ ଆକାଉଂଟ୍କୁ ଆସିଲା ୧୦ ଲକ୍ଷ