May 10, 2026

Now Odisha

Now Odisha

ବାଲିଅନ୍ତା ବର୍ବରକାଣ୍ଡ : କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ |

Spread the love

ବାଲିଅନ୍ତା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ। କ୍ରାଇମବ୍ରାଞ୍ଚ ଦ୍ୱାରା ଏହି ଘଟଣାର ସଠିକ୍ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

। ଘଟଣା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକ ସତର୍କ ଓ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଥିଲେ । ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର.ପି. କୋଚ୍ଚେ, ଅତିରିକ୍ତ ମହାନିର୍ଦ୍ଦେଶକ ଆଇନ ଶୃଙ୍ଖଳା ସଞ୍ଜୟ କୁମାର, ଏ.ଡି.ଜି କ୍ରାଇମବ୍ରାଞ୍ଚ୍ ବିନୟତୋଷ ମିଶ୍ର, ପୋଲିସ କମିଶନର ଏସ. ଦେବଦତ୍ତ ସିଂହ ଏବଂ ଡ଼ି.ସି.ପି ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଏହି ମାମଲାରେ ଗିରଫ ସଂଖ୍ୟା ୧୧ରେ ପହଞ୍ଚିଛି। ପୂର୍ବରୁ ୫ ଜଣ ଗିରଫ ହୋଇଥିବା ବେଳେ ଶନିବାର ଆଉ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ତେବେ ଏହି ଗିରଫ ସଂଖ୍ୟା ଆହୁରି ବଢିପାରେ। ଘଟଣାସ୍ଥଳର ଆଖପାଖ ଗାଁ ଗୁଡିକୁ ଗିରଫଦାରୀ ଭୟ ଘାରିଛି। ପୁରୁଷମାନେ ଘର ଛାଡି କେଉଁଆଡେ ଫେରାର୍‌ ହୋଇଯାଇଛନ୍ତି। ସେପଟେ ସିସିଟିଭି ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବାଲିଅନ୍ତା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ଡ଼ିସିପିଙ୍କ ସୂଚନା ଅନୁସାରେ ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି। ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଯେଉଁ ମାନେ ଯୁବକଙ୍କୁ ମାଡ଼ ମାରିଛନ୍ତି ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅନ୍ୟପକ୍ଷରେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସାଙ୍ଗ ଓମ୍‌ ପ୍ରକାଶ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି।ସୌମ୍ୟ ଓ ସେ ଗୋଟିଏ ବାଇକରେ ଓଲଟପୁରସ୍ଥିତ ମଉଜପୁରରୁ ଭୁବନେଶ୍ୱର ସତ୍ୟବିହାର ଜିମ୍କୁ ଆସୁଥିଲେ। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ପାର ହେବା ପରେ ମନିପର୍ସ ଘରେ ଛାଡି ଆସିଛି ବୋଲି ସୌମ୍ୟ କହିଥିଲେ । ଓମ୍‌ ଗାଡି ବୁଲାଇ ଘର ମୁହାଁ ହୋଇଥିଲା। ଏହି ସମୟରେ ହଠାତ୍‌ ସୌମ୍ୟଙ୍କୁ ବାତ ମାରିଥିଲା । ସେ ଅସ୍ୱାଭାବିକ ଆଚରଣ ଦେଖାଇଲେ । ଓମଙ୍କ ବେକକୁ ସୌମ୍ୟ ଜୋରରେ ଧରି ପକାଇଥିଲେ । ଓମ୍‌ ବାଇକ୍‌ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହି ସମୟରେ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କ ସହ ତାଙ୍କ ବାଇକ୍‌ ଧକ୍କା ହୋଇଥିଲା । ସମସ୍ତେ ତଳେ ପଡି ଯାଇଥିଲେ । ଦୁର୍ଘଟଣାକୁ ନେଇ ସାମାନ୍ୟ ପାଟି ତୁଣ୍ଡ ହୋଇଥିଲା ।ଯୁବତୀଙ୍କୁ ଅସଦାଚରଣ ଘଟଣାକୁ ସେ ଅସ୍ୱୀକାର କରିଛନ୍ତି।

error: Content is protected !!