ବିଶ୍ବର ପ୍ରଥମ ଭାଷା ଶହୀଦ :କମଳା ଭଟ୍ଟାଚାର୍ଯ୍ୟ


ଦ୍ବିପହର ବେଳକୁ ସମସ୍ତଙ୍କୁ ଅବାକ୍ କରିଦେଇ ବେଶ କିଛି ରାଉଣ୍ଡ ଗୁଳି ଚାଲିଲା । ଗୋଟିଏ ବୁଲେଟ୍ କମଳାଙ୍କ ଆଖି ଭିତରେ ପଶି ମୁଣ୍ଡର ଏପାଖରୁ ସେପାଖ କଣା କରି ବାହାରି ଗଲା । କମଳାଙ୍କ ରକ୍ତାକ୍ତ ଦେହ ଲୋଟି ପଡ଼ିଲା ମାଟି ଉପରେ । ବତାସରେ ତଥାପି ସ୍ଲୋଗାନର ପ୍ରତିଧ୍ଵନି – ବାଂଲା ଭାଷା ଜିନ୍ଦାବାଦ, ମାତୃଭାଷା ଜିନ୍ଦାବାଦ । ଚାରିପାଖରେ ଆହତଙ୍କର ଆର୍ତ୍ତନାଦ । ବାଂଲା ଭାଷାକୁ ରକ୍ଷା କରିବାର ଅଙ୍ଗୀକାର ରୁ ଶହୀଦ ହେଲେ ସାହସୀ କିଶୋରୀ କମଳା ଭଟ୍ଟାଚାର୍ଯ୍ୟ , ବିଶ୍ବର ପ୍ରଥମ ମହିଳା ଭାଷା ଶହୀଦ ।ଆଜି ଐତିହାସିକ ଫେବୃଆରୀ ମାସ ୨୧ ତାରିଖ । ସମଗ୍ର ବିଶ୍ବରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନର ଦିନ । ମାତୃଭାଷା ପାଇଁ ସଂଗ୍ରାମ ଆଜି ବିଶ୍ବରେ ସମାଦୃତ । ଭାଷା ପାଇଁ ଏଭଳି ସଂଗ୍ରାମକୁ ସ୍ୟାଲୁଟ୍ ଜଣାଏ ସମଗ୍ର ବିଶ୍ବ ‌ । ଭାଷା ଭିତ୍ତିରେ ଗୋଟିଏ ଦେଶର ଜନ୍ମ , ଏବଂ ତାହା ସମଗ୍ର ବିଶ୍ୱବାସୀଙ୍କୁ ମାତୃଭାଷାକୁ ବଞ୍ଚାଇ ରଖିବା ପାଇଁ ପ୍ରେରଣା ଯୋଗାଇଥାଏ । ଭାଷା ଶାସନ ବିରୁଦ୍ଧରେ ଆଜି ମଧ୍ୟ ପ୍ରତିବାଦର ଦୃଷ୍ଟାନ୍ତ ୨୧ ଫେବୃଆରୀ । ୨୧ ଫେବୃଆରୀ ରେ ଆନ୍ତର୍ଜାତିକ ଭାଷା ଦିବସ ପାଳନର ହର୍ଷ ଉଲ୍ଲାସ ଭିତରେ ଆମେ କ’ଣ ବିଶ୍ବର ପ୍ରଥମ ଭାଷା ଶହୀଦ କମଳା ଭଟ୍ଟାଚାର୍ଯ୍ୟ ଙ୍କୁ ମନେ ପକାଇବାକୁ ଉଚିତ୍ ବୋଲି ମନେ କରିଥାଉ ? ଭାଷା ଶହୀଦ କମଳାଙ୍କ ଆତ୍ମତ୍ୟାଗ ବୋଧହୁଏ କୌଣସି ଦିନ ଯଥୋଚିତ ସମ୍ମାନ ଲାଭ କରିନାହିଁ । ଆଜି ମଧ୍ୟ କମଳା ଜଣେ ଅପରିଚିତା ନାରୀ ।” ଜାନ୍ ଦେବୁ, ଜବାନ୍ ଦେବୁ ନାହିଁ ” – ଏହି ସଙ୍କଳ୍ପ ନେଇ ମାତୃଭାଷାର ସ୍ବାଧୀନତା ରକ୍ଷା ଆନ୍ଦୋଳନ ରେ ସାନ ଭଉଣୀକୁ ସାଥିରେ ନେଇ ସାମିଲ୍ ହୋଇଥିଲେ କମଳା । ଆହୁରି ଅନେକ ଭାଇ ଓ ଭଉଣୀମାନଙ୍କ ସହିତ ୧୯୬୧ ମସିହା ମେ ମାସ ୧୯ ତାରିଖ ଦିନ ଆନ୍ଦୋଳନରେ ସ୍ଲୋଗାନ ଦେଇ ଆଗକୁ ବଢୁଥିବା ସମୟରେ ପୋଲିସ ଗୁଳିରେ ନିହତ ହୋଇଥିଲେ କମଳା ।ପଶ୍ଚିମବଙ୍ଗର ପ୍ରତିବେଶୀ ରାଜ୍ୟ ଆସାମର ରାଜ୍ୟ ସରକାର ବରାକ ଉପତ୍ୟକାର କାଛାଡ ଜିଲ୍ଲାର ବଙ୍ଗାଳୀ ଅଧ୍ୟୁଷିତ ଶିଲଚର, କରିମଗଞ୍ଜ ଓ ହାଇଲାକାନ୍ଦି ର ବାଂଲା ଭାଷାଭାଷୀ ଙ୍କ ଭାଷା ବାଂଲା କୁ ବାଦ୍ ଦେଇ ଅହମୀୟା ଭାଷାକୁ ରାଜ୍ୟର ଏକମାତ୍ର ସରକାରୀ ଭାଷା ଘୋଷଣା କଲେ ଫଳରେ ସେହିସବୁ ଅଞ୍ଚଳରେ ବସବାସ କରୁଥିବା ବାଂଲା ଭାଷାଭାଷୀ ଲୋକେ ପ୍ରବଳ ବିକ୍ଷୋଭ କରିବା ଆରମ୍ଭ କରି ଦେଇଥିଲେ । ଧୀରେ ଧୀରେ ସେହି ବିକ୍ଷୋଭ ଏକ ସଂଗଠିତ ଆନ୍ଦୋଳନରେ ରୂପାନ୍ତରିତ ହେଲା । ୧୯୬୧ ମସିହାର ଫେବୃଆରୀ ମାସ ୫ ତାରିଖ ଦିନ ଶିଲଚରରେ ଗଠିତ ହେଲା ” କାଛାର ଗଣ ସଂଗ୍ରାମ ପରିଷଦ ” ।୧୯୬୧ ମସିହା ମେ ମାସ ୧୯ ତାରିଖ ଦିନ, ପୂର୍ବ ଘୋଷିତ ଆନ୍ଦୋଳନର କର୍ମସୂଚୀ ମାନି କାଛାର ଜିଲ୍ଲାରେ ଆରମ୍ଭ ହେଲା ପୂର୍ଣ୍ଣ ହରତାଳ । ଶିଲଚର ରେଳଷ୍ଟେସନ ରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଆନ୍ଦୋଳନରେ ସାମିଲ ହୋଇଥିଲେ କମଳା ତେବେ ସେ ଆଉ ଘରକୁ ଫେରି ପାରିନଥିଲେ । ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ପ୍ରବଳ ଲାଠିଚାର୍ଜ କରିବା ସହିତ ଅଚାନକ ନିରସ୍ତ୍ର ଜନସାଧାରଣଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଗୋଟିଏ ବୁଲେଟ୍ କମଳାଙ୍କ ଆଖି ଭିତରେ ପଶି ମୁଣ୍ଡର ଏପାଖରୁ ସେପାଖ କଣା କରି ବାହାରି ଯାଇଥିଲା ।କମଳାଙ୍କ ରକ୍ତାକ୍ତ ଦେହ ମାଟି ଉପରେ ଲୋଟି ପଡ଼ିଥିଲା । ତାଙ୍କ ସହିତ ଆହୁରି ଦଶଜଣ ଶହୀଦ ହୋଇଥିଲେ । ମୃତ୍ୟୁଞ୍ଜୟୀ ହେଲେ କମଳା ଭଟ୍ଟାଚାର୍ଯ୍ୟ । ବିଶ୍ବର ପ୍ରଥମ ମହିଳା ଭାଷା ଶହୀଦ । ଫେବୃଆରୀ ୨୧ ଆନ୍ତର୍ଜାତିକ ଭାଷା ଦିବସ ଅବସରରେ ଭାଷାର ସୁରକ୍ଷା ପାଇଁ ଆତ୍ମବଳିଦାନ ଦେଇଥିବା ଅନନ୍ୟା ଅତୁଳୀୟା କମଳା ଭଟ୍ଟାଚାର୍ଯ୍ୟ ଙ୍କୁ ଆମର ଶତ ଶତ ପ୍ରଣାମ।ତଥ୍ୟ ୠଣ ଏବଂ କୃତଜ୍ଞତା ସ୍ବୀକାର ଏଇ ସମୟ ପତ୍ରିକା


error: Content is protected !!