ମାଣ୍ଡବୀ, ଉର୍ମିଳା ଓ ଶ୍ରୁତକୀର୍ତ୍ତି


ରାମ, ଯୁବରାଜ ପଦରେ ଅଭିଷିକ୍ତ ହେବେ l ସମସ୍ତ ଅବଧପୁରୀ ଉତ୍ସବମୁଖର ହୋଇ ପଡ଼ିଲା l ପ୍ରଜାଙ୍କ ଆନନ୍ଦ କହିଲେ ନସରେ, କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର l ରାତି ପାହିଲେ ରାଜା ହେବାକୁ ଯାଉଥିବା ରାମ କୈକେୟୀଙ୍କ ଦୁଇଟି ବରରେ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ବନବାସୀ ହେଲେ l ରାଜା ଦଶରଥ ହା ରାମ ହା ରାମ କହି ସ୍ବର୍ଗବାସୀ ହେଲେ l ସମସ୍ତ ଉତ୍ସବରେ ଭଟ୍ଟାପଡ଼ିଗଲା l ମାମୁଁ ଘରୁ ଫେରି ଆସି ଭରତ ରାଜା ହେବେ କ’ଣ,ସେ ଚାଲିଲେ ଚିତ୍ରକୁଟ ରାମଙ୍କୁ ଫେରାଇ ଆଣିବାକୁ l ମାତ୍ର ସେ ସେଥିରେ ବିଫଳ ହୋଇ ଫେରି ଆସିଲେ ଶ୍ରୀରାମଙ୍କ ପାଦୁକା ଦୁଇଟିକୁ ଘେନି ଓ ତାକୁ ହିଁ ସିଂହାସନରେ ସ୍ଥାପନା କରି ସନ୍ନ୍ୟାସବ୍ରତ ଧାରଣ ପୂର୍ବକ ରାମଙ୍କ ପ୍ରତିନିଧି ରୂପେ ରାଜ୍ୟ ଶାସନ କରିବାକୁ ଲାଗିଲେ l ରାମଙ୍କ ବିନା ଅଯୋଧ୍ୟା ଶ୍ରୀହୀନ ହୋଇ ପଡ଼ିଥାଏ lଅଯୋଧ୍ୟାର ଏପରି ଘୋରଦୁର୍ଦ୍ଦିନ ସମୟରେ ଦିନେ ରାଜା ଜନକ ମନକଲେ, ଯାଉଛି ଟିକେ ମୋ ଝିଅ ମାନଙ୍କୁ ଦେଖି ଆସିବି l ଝିଅ ଘର ତ ପିତାଙ୍କ ପାଇଁ ସ୍ବର୍ଗ l ସେ ଆଉ କାଳବିଳମ୍ୱ ନକରି ଅଯୋଧ୍ୟାରେ ଯାଇ ପହଞ୍ଚିଲେ l ଶୋକାତୁରା ସମୁଦୁଣୀ ମାନଙ୍କୁ ସାନ୍ତ୍ଵନା ଦେଇ ସେ ଦେଖିଲେ ଝିଅମାନେ ସମସ୍ତେ ରାଜ ପୁରୀରେ ଯଥାବିଧି, ସମସ୍ତ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି l ଶାଶୁମାନଙ୍କ ଯଥାରୀତି ସେବା କରୁଛନ୍ତି l ଆଉ କ’ଣ ଦରକାର l ସେ ନିଜ ଝିଅମାନଙ୍କ ଠାରୁ ଏହାହିଁ ତ ଆଶା କରୁଥଲେ l ଜନକଙ୍କ ମନ କୁଣ୍ଢେ ମୋଟ ହୋଇଗଲା lପ୍ରାଚୀନ ପରମ୍ପରା ଅନୁସାରେ ଝିଅଘରେ ତ ବେଶି ଦିନ ରହି ହେବ ନାହିଁ l ଏପରିକି ଝିଅ ଘରେ ଜଳ ଗ୍ରହଣ ମଧ୍ୟ ନିଷିଦ୍ଧ l ମିଥିଳା ପତି ତରଭର ହୋଇ ଯାଇ ଝିଅ ମାଣ୍ଡବୀଙ୍କୁ କହିଲେ, ମାଆ ଚାଲ ଟିକେ ମିଥିଳା ବୁଲି ଆସିବୁ,ମନ ପରିବର୍ତ୍ତନ ହୋଇଯିବ l ମନ ଟିକିଏ ହାଲକା ହୋଇଯିବ l କେଉଁ ଝିଅ ପୁଣି ବାପଘର ଯିବାକୁ ଚାହିଁବନି, କିନ୍ତୁ ମାଣ୍ଡବୀ କହିଲେ ବାପା ! ଜ୍ୟେଷ୍ଠ ତ ବଣକୁ ଚାଲିଗଲେ l ତାଙ୍କ ସହ ସୁଧୀର ଲକ୍ଷ୍ମଣ ଓ ଭଉଣୀ ସୀତା ବି ଚାଲି ଗଲେ l ଶୂନ୍ୟ ଅଯୋଧ୍ୟା ପୁରୀରେ ଭରତ ସନ୍ନ୍ୟାସ ଜୀବନ ଯାପନ କରୁଛନ୍ତି l ପୁତ୍ରବିରହୀ ଶାଶୁମାନେ କେତେ କଷ୍ଟରେ ଅଛନ୍ତି l ମୋ ସେବା ହିଁ ତାଙ୍କ ସମ୍ବଳ l ମୁଁ ତାଙ୍କୁ ଛାଡ଼ି କୁଆଡ଼େ ଯାଇପାରିବି ବାପା ! ଥାଉ ମୁଁ ପରେ କେବେ ଯାଇ ବୁଲି ଆସିବି lଏହାପରେ ରାଜା ଜନକ ଯାଇ ଉର୍ମିଳାଙ୍କ ପାଖରେ ପହଞ୍ଚି କହିଲେ,ମାଆ ! ଚାଲ ମୋ ସାଙ୍ଗରେ ଟିକେ ମିଥିଳା ବୁଲି ଆସିବୁ l ତୋ’ ଦୁଃଖ କଥା ମୁଁ କଅଣ ବା କହିବି l ଚାଲ,ଟିକିଏ ମନ ଉଶ୍ୱାସ ହୋଇଯିବ l ପିତାଙ୍କ କଥା ଶୁଣି ଉର୍ମିଳା କହିଲେ, ବାପା, ଘରର ଯାବତୀୟ କାମ ତ ମୋର l ତା ଛଡ଼ା ରହିଛି ଶାଶୁ ମାନଙ୍କ ସେବା l ମୋର ତ ଏବେ ପ୍ରଥମକାମ ଏହି ଅଶାନ୍ତ ପରିବାରରେ ପୁଣି ଶାନ୍ତି ଫେରାଇଆଣିବା l ଏ ସବୁ ଛାଡ଼ି ଏହି ଘୋର ଦୁର୍ଦ୍ଦିନରେ କୁଆଡ଼େ ଯିବି ବାପା ! ଥାଉ l କେତେବେଳେ ପରେ ମିଥିଳା ଯାଇ ବୁଲି ଆସିବି l ମାଆଙ୍କୁ ଦେଖି ଆସିବି lଦୁଇଝିଅଙ୍କ ନାସ୍ତି ଶୁଣି ଜନକ ଯାଇ ଝିଅ ଶ୍ରୁତକୀର୍ତ୍ତି ପାଖରେ ପହଞ୍ଚି କହିଲେ,ମାଆ ଶ୍ରୁତି ! ମିଥିଳା ଯିବା ପାଇଁ ତୋ ଦୁଇ ଭଉଣୀ ମନା କରିଦେଲେ l ତୋର ତ କିଛି ଅସୁବିଧା ନାହିଁ l ତୁ ହେଲେ ଟିକେ ଚାଲେ, ମିଥିଳା ବୁଲି ଆସିବୁ l ଶ୍ରୁତକୀର୍ତ୍ତି କହିଲେ, ପିତା ! ଏବେ ଜ୍ୟେଷ୍ଠ ଭାଇ ଭରତଙ୍କ ନିର୍ଦ୍ଦେଶରେ, ଶତ୍ରୁଘ୍ନ ଏ ବିଶାଳ ଅବଧ ପୁରୀକୁ ଶାସନ କରୁଛନ୍ତି l ତାଙ୍କୁ ଏ ଗୁରୁଦାୟିତ୍ୱ ତୁଲାଇବାରେ ମୋତେ ହିଁ ସାହାଯ୍ୟ କରିବାକୁ ପଡ଼ୁଛି l ତାଙ୍କୁ ଛାଡ଼ି ମୁଁ ଯିବି କିପରି ?ଏଥର ଜନକ ବାହାରିଲେ ମିଥିଳା ଫେରି ଯିବାକୁ l ସମସ୍ତ ପୁର ବାସୀ ନର ନାରୀ ଓ ଝିଅମାନେ ରାଜା ଜନକଙ୍କୁ ଅଶ୍ରୁ ନୟନରେ ବିଦାୟ ଦେଲେ l ଜନକ ଆଜି ଚାଲିଯିବେ, ଶୁଣି ବିଦାୟ ସମ୍ବର୍ଦ୍ଧନା ଦେବାକୁ ଅଯୋଧ୍ୟାବାସୀ ପ୍ରଜାମାନେ ଆସି ରୁଣ୍ଡ ହୋଇଥାନ୍ତି l ସମସ୍ତଙ୍କ ଠାରୁ ସମ୍ବର୍ଦ୍ଧନା ଘେନି ମିଥିଳାପତି ଜନକ କହିଲେ, ଯେଉଁ ପୁରରେ ମୋ ଝିଅମାନେ ଉପସ୍ଥିତ ଅଛନ୍ତି, ସେ ପୁରକୁ, ଚଉଦ ବର୍ଷର ଦୁଃଖ କଅଣ, ଚଉଦ କୋଟି ବର୍ଷର ଦୁଃଖ ମଧ୍ୟ, ବିଚଳିତ କରି ପାରିବନାହିଁ l ଏପରି କହି ଜନକ ମିଥିଳା ଦିଗରେ ଆଗେଇ ଚାଲିଲେ l ତାଙ୍କ ପଥକୁ ଚାହିଁ ରହିଥିଲେ ଅଯୋଧ୍ୟାର ସମସ୍ତ ଅଧିବାସୀ ଗଣ lରାମାୟଣର ଏହି ସୁନ୍ଦର ଉପାଖ୍ୟାନ, ଏକ ଯୌଥ ପରିବାର ଓ ତହିଁରେ ନାରୀମାନଙ୍କ ଭୂମିକାର ଏକ ବଳିଷ୍ଠ ବାର୍ତ୍ତା ପ୍ରଦାନ କରେ l


error: Content is protected !!