ଆଉ ଜଣେ ସ୍ୱୟଂସେବକ ରାମମନ୍ଦିର ଆନ୍ଦୋଳନର ନାୟକ ୨୫ ଜୁନ ୧୯୭୫


ଆଉ ଜଣେ ସ୍ୱୟଂସେବକ ରାମମନ୍ଦିର ଆନ୍ଦୋଳନର ନାୟକ ୨୫ ଜୁନ ୧୯୭୫। ନେହେରୁ ତନୟା ଇନ୍ଦିରାଙ୍କ ଦ୍ୱାରା ଦେଶରେ ଲାଗୁକରା ଯାଇଥିବା ଜରୁରୀକାଳୀନ ପରିସ୍ଥିତି ସମୟର କଥା। ବିଜନୌର ଆରଏସଏମ ଡିଗ୍ରୀ କଲେଜରେ ଜଣେ ଯୁବ ପ୍ରାଧ୍ୟାପକ ଶ୍ରେଣୀରେ ପିଲାମାନଙ୍କୁ ପଦାର୍ଥ ବିଜ୍ଞାନ ଶିକ୍ଷା ଦେଉଥାନ୍ତି। ହଠାତ୍ ସେଠାରେ ପୋଲିସ ପହଞ୍ଚି ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କଲା। ଏହା ପୂର୍ବରୁ ୧୯୪୮ ମସିହା￰ରେ ସଙ୍ଘ ଉପରେ ପ୍ରତିବନ୍ଧ ଲାଗିଥିଲା। ଉକ୍ତ ପ୍ରାଧ୍ୟାପକଙ୍କ ପିତା ରାମେଶ୍ୱର ପ୍ରସାଦ ସଙ୍ଘ କାର୍ଯ୍ୟକର୍ତ୍ତା ହେଇଥିବାରୁ ୩ ମାସ ପାଇଁ ଜେଲ ଯାଇଥିଲେ। ପୁଅର ଦୋଷ, ସେ ବି ଠିକ୍ ସେଇଆ। ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସ୍ୱୟଂସେବକ। ବିଜନୌର ଜିଲ୍ଲା କାର୍ଯ୍ୟବାହ। ପୋଲିସ ଗିରଫ କରିବାକୁ ଆସିଛି। ମାତ୍ର ଯୁବ ପ୍ରାଧ୍ୟାପକ ଜଣଙ୍କ ଛାତ୍ରମାନଙ୍କ ମଧ୍ୟରେ ଏତେ ଲୋକପ୍ରିୟ ଥିଲେ ଯେ ପୋଲିସ ଏହି ଗୁରୁଙ୍କୁ ସେଠାରୁ ଗିରଫ କରିବାକୁ ସାହସ କରୁନି। ପ୍ରତିରୋଧର ସ୍ୱର ମଧ୍ୟ ପୋଲିସ ଅନୁମାନ କରି ସାରିଥିଲା। ଯୁବ ଅଧ୍ୟାପକ ଜଣଙ୍କ ପୋଲିସ ଅଧିକାରୀଙ୍କୁ ଦ୍ଵିଧାରେ ନରଖି କହିଲେ ଆପଣମାନେ ଯାଆନ୍ତୁ। ପିଲାମାନଙ୍କ ପଢ଼ା ଶେଷ କରି ଘରୁ କପଡ଼ା ନେଇ ମୁଁ ଆପେ ଆପେ ଆସି ପୋଲିସ ଷ୍ଟେସନରେ ପହଞ୍ଚିଯିବି।ପୋଲିସ ମଧ୍ୟ ଏହି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଏବଂ ଶବ୍ଦର ଓଜନ ଜାଣିଥିଲା, ତେଣୁ ସେମାନେ ନିଃସଙ୍କୋଚରେ ଫେରିଗଲେ। କ୍ଲାସ୍ ଶେଷ କରି ପିଲାମାନଙ୍କୁ ଶାନ୍ତିରେ ଘରକୁ ଯିବାକୁ କହିବା ପରେ ପ୍ରାଧ୍ୟାପକ ଘରେ ପହଞ୍ଚିଲେ। ପିତା ମାତାଙ୍କ ଆଶୀର୍ବାଦ ନେଇ ଦୀର୍ଘ ଜେଲ ଯାତ୍ରା ପାଇଁ ପୋଲିସ ଷ୍ଟେସନ ଯିବାକୁ ବାହାରିଲେ। ଘରେ ମା’ ତିଳକ ପିନ୍ଧାଇବା ସହିତ ପିତା ମାତା ଉଭୟ ପୁଅକୁ ନେଇ ପୋଲିସ ଷ୍ଟେସନରେ ଛାଡ଼ି ଆସିଲେ। ଉତ୍ତର ପ୍ରଦେଶର ଆଗ୍ରା, ବରେଲୀ ଏବଂ ନୈନିତାଲ ଜେଲରେ ଦୀର୍ଘ ୧୮ ମାସର ଯନ୍ତ୍ରଣାଦାୟକ ବନ୍ଦୀ ଜୀବନ ବିତାଇବା ପରେ ମୁକ୍ତ ହେଲେ ଏହି ପ୍ରାଧ୍ୟାପକ।ଘର ସଂସାର ଆଡ଼କୁ ମନ ଢଳିଲାନି। ରାଷ୍ଟ୍ର ସେବାରେ ନିଜକୁ ସମର୍ପିତ କରିବେ। ୧୯୮୦ ମସିହାରେ ମର୍ଯ୍ୟାଦାଜନକ ସରକାରୀ ପ୍ରଧ୍ୟାପକ ଚାକିରୀରୁ ଇସ୍ତଫା ଦେଇ ସଙ୍ଘର ପ୍ରଚାରକ ଭାବେ ପ୍ରଥମେ ସାହାରନପୁର ଜିଲ୍ଳା ଓ ପରେ ଡେରାଡୁନର ଜିଲ୍ଲା ପ୍ରଚାରକ, ୧୯୮୫ ମେରଠ ବିଭାଗ ପ୍ରଚାରକ, ୧୯୮୬ ରେ ବିଶ୍ବହିନ୍ଦୁ ପରିଷଦ ଉତ୍ତର ପ୍ରଦେଶର ପଶ୍ଚିମ ପ୍ରାନ୍ତ ସହ ସଂଗଠନ ମନ୍ତ୍ରୀ, ପରେ ସହ କ୍ଷେତ୍ର, ପୁଣି କ୍ଷେତ୍ର ସଂଗଠନ ମନ୍ତ୍ରୀ ଦାୟିତ୍ୱ ନେଇ ଅବିଶ୍ରାନ୍ତ କାର୍ଯ୍ୟ କରି ଚାଲିଲେ। ଜଣେ ବ୍ୟକ୍ତି ଏହି ଦୂରଦୃଷ୍ଟି ସମ୍ପନ୍ନ ପ୍ରଫେସରଙ୍କ ପ୍ରତିଭାକୁ ଚିହ୍ନି ପାରିଥିଲେ। ସେ ହେଉଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ପ୍ରଫେସର ରାଜେନ୍ଦ୍ର ସିଂ, ପରମ ପୂଜନୀୟ ରଜ୍ଜୁ ଭୈୟା।ରଜ୍ଜୁ ଭୈୟା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତାଙ୍କଦ୍ୱାରା କରାଇବା ପାଇଁ ତାଙ୍କୁ ମନେ ମନେ ସ୍ଥିର କରିଥିଲେ। ଅଯୋଧ୍ୟାକୁ ରାମ ମନ୍ଦିରର ଯୁଦ୍ଧଭୂମି ନିମନ୍ତେ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଦାୟିତ୍ୱ ଅର୍ପଣ କଲେ। ସେହି ଦିନ ଠାରୁ ମର୍ଯ୍ୟାଦା ପୁରୁଷଙ୍କ ଜନ୍ମଭୂମି ଉଦ୍ଧାର କାମରେ ଜଡ଼ିତ ହୋଇଥିଲେ ଉକ୍ତ ପ୍ରତିଭାଶାଳୀ ବିଜ୍ଞାନ ପ୍ରାଧ୍ୟାପକ। ଦାୟିତ୍ୱ ମିଳିବା ମାତ୍ରେ କାଳ ବିଳମ୍ବ ନକରି ସେ ଅବଧ ଗାଁର ପ୍ରତ୍ୟେକ ଦ୍ୱାରରେ ଠକ୍ ଠକ୍ କଲେ। ସ୍ଥାନୀୟ ଯୁବକମାନଙ୍କୁ ନେଇ ଏପରି ଏକ ଯୁବସେନା ଗଠନ କଲେ ଯାହା ପ୍ରତ୍ୟେକ ପରିସ୍ଥିତି ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ହେଇଗଲା…। ଅଯୋଧ୍ୟାରେ ଥିବା ପ୍ରତ୍ୟେକ ଗଳିକନ୍ଦି ଏହି ବ୍ୟକ୍ତିଙ୍କୁ ଚିହ୍ନିଗଲେ। ସେ ଅଯୋଧ୍ୟାର ଇତିହାସ, ଭୂଗୋଳ ଏବଂ ବର୍ତ୍ତମାନର ମାହାତ୍ମ୍ୟ ସମ୍ପର୍କରେ ପ୍ରମାଣ ସବୁ ଏକାଠି କରିବାକୁ ଲାଗିଲେ। ଚାହୁଁ ଚାହୁଁ ତାଙ୍କ ରହିବା ଘର ପୋଥି ପତ୍ର କାଗଜରେ ଭରିଗଲା। ସେ ଅଯୋଧ୍ୟା ସମ୍ବନ୍ଧରେ ସ୍ଥାନୀୟ ଲୋକମାନଙ୍କ ସାମ୍ନାରେ ଅନର୍ଗଳ ସାରଗର୍ଭକ ତଥ୍ୟ ଉପସ୍ଥାପନ କରିବାକୁ ଲାଗିଲେ। ଫଳରେ ତାଙ୍କୁ ରାମ ଜନ୍ମଭୂମି ଆନ୍ଦୋଳନର Encyclopedia ବା ଜୀବନ୍ତ ଜାଗ୍ରତ “ବିଶ୍ଵ କୋଷ” କୁହାଗଲା।ଅନେକ ଗ୍ରନ୍ଥ ଅଧୟନ ଏବଂ କଣ୍ଠସ୍ଥ କରିବା ସହିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଏହି ପ୍ରଚାରକ ଲକ୍ଷ ଲକ୍ଷ ପୃଷ୍ଠାର ଡକ୍ୟୁମେଣ୍ଟ ପ୍ରସ୍ତୁତ କରିନେଲେ, ବାବ୍ରୀ ଢାଞ୍ଚା ସ୍ୱାହା ହେବା ପୂର୍ବରୁ ତାଙ୍କର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା। ଜନ୍ମଭୂମି ମୁକ୍ତି ନିମିତ୍ତ ନ୍ୟାୟାଳୟରେ ଆଇନ ଯୁଦ୍ଧ ଲଢ଼ିବା ପାଇଁ ଯେତେବେଳେ କେଶବ ପରାଶରନ ଏବଂ ଅନ୍ୟ ଓକିଲ ସାଥୀମାନେ ସାମ୍ନାକୁ ଆସିଲେ, ସେମାନଙ୍କ ହାତରେ ହଜାର ହଜାର ପୃଷ୍ଠାର ତଥ୍ୟ ସମ୍ବଳିତ ଅକାଟ୍ୟ ପ୍ରମାଣ ସମର୍ପଣ କରିଦେଇଥିଲେ ଏହି ମହାନୁଭବ। ରାତି ରାତି ଅନିଦ୍ରା ରହି ନୂଆ ନୂଆ ତଥ୍ୟ ସମ୍ବଳିତ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବା, ସକାଳୁ ଓକିଲମାନଙ୍କୁ ନେଇ କୋର୍ଟ ପହଞ୍ଚିବା, ଶୁଣାଣି ସମୟରେ ଧୈର୍ଯ୍ୟର ସହିତ କୋର୍ଟ ରୁମରେ ବସି ରହି ଆଗାମୀ ଶୁଣାଣି ପାଇଁ ପ୍ରସ୍ତୁତ କରିବା କାମରେ ନିଜକୁ ସମର୍ପିତ କରିଥିଲେ।୧୯୯୨ ଡିସେମ୍ବର ୬, ମଞ୍ଚରେ ବସିଥିବା ବଡ଼ ନେତାମାନେ କରସେବକମାନଙ୍କୁ ଅନୁଶାସନର ଶିକ୍ଷା ଦେଉଥିଲେ, ବାବ୍ରି ଢାଞ୍ଚାର କୌଣସି କ୍ଷତି ନ କରିବାକୁ ରାଣ ପକାଉଥିଲେ, ନିବେଦନ କରୁଥିଲେ। ସମସ୍ତ ନିର୍ଦ୍ଦେଶ ଦିଆ ଯାଉଥିଲା, କିନ୍ତୁ ଜଣେ ପତଳା ବ୍ୟକ୍ତି କେତେକ ସ୍ଥାନୀୟ ଯୁବକଙ୍କ ସହ ମଞ୍ଚଠାରୁ ଦୂରରେ ଥାଇ କିଛି ଯୋଜନା ସମ୍ପର୍କରେ ବାର୍ତ୍ତାଳାପ କରୁଥିଲେ। ସେତେବେଳକୁ ସାମ୍ବାଦିକ ବନ୍ଧୁମାନଙ୍କ ନଜରକୁ ଆସି ସାରି ଥିଲେ ବିଜନୌର ଛାତ୍ରମାନଙ୍କର ଏହି ବିଜ୍ଞାନ ପ୍ରଫେସର ବନସଲ ସାହେବ। ତାଙ୍କୁ ସାମ୍ବାଦିକମାନେ ପଚାରିଥିଲେ “ବର୍ତ୍ତମାନ କଣ ହେବ?” ସେ ହସି ହସି ଉତ୍ତର ଦେଲେ, “ଏମାନେ ହେଉଛନ୍ତି ରାମଙ୍କର ବାନର ସେନା। ଏମାନେ କାହାର ସିଟି ଶବ୍ଦରେ ପିଟି କରିବାକୁ ଏଠାକୁ ଆସି ନାହାଁନ୍ତି। ଯାହା କରିବାକୁ ଆସିଛନ୍ତି ତାହା କରି ଚାଲିଯିବେ।”ଏହା କହି ସେ ହାତରେ ଏକ ବେଲଚା ନେଇ ବାବ୍ରି ଢାଞ୍ଚା ଆଡ଼କୁ ଚାଲିଗଲେ। ତା’ପରେ କେବଳ “ଜୟ ଶ୍ରୀ ରାମ” ସ୍ଲୋଗାନ ଶୁଣା ଯାଉଥିଲା ଏବଂ ଇତିହାସ ସୃଷ୍ଟି ହୋଇଥିଲା। ସେହି ବ୍ୟକ୍ତି ହେଉଛନ୍ତି ମାନନୀୟ ପ୍ରଫେସର “ଚମ୍ପତ ରାୟ ବନସଲ” ଯିଏ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ବର୍ତ୍ତମାନ ￰ମହାସଚିବ ଏବଂ ବିଶ୍ଵହିନ୍ଦୁ ପରିଷଦର ଅନ୍ତର୍ରାଷ୍ଟ୍ରୀୟ ଉପାଧ୍ୟକ୍ଷ।


error: Content is protected !!