ଭୁବନେଶ୍ବର: ତାତି ଜ୍ବାଳାରେ ପଶ୍ଚିମ ଓଡ଼ିଶା ଜଳୁଥିବା ବେଳେ ଉପକୂଳରେ ତାପମାତ୍ରା କମିଛି ସିନା, ଗୁଳୁଗୁଳି ପ୍ରଭାବରେ ଲୋକେ କଲବଲ ହେଉଛନ୍ତି। ଆଜି ପୁଣି ଥରେ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଏଠାରେ ଦିନ ତାପମାତ୍ରା ୪୫.୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ବୌଦ୍ଧରେ ୪୪.୫ ଡିଗ୍ରି, ସମ୍ବଲପୁରରେ ୪୪.୨ ଡିଗ୍ରି, ଟିଟିଲାଗଡ଼ରେ ୪୪ ଡିଗ୍ରି, ଭବାନୀପାଟଣା ଓ ହୀରାକୁଦରେ ୪୩.୬ ଡିଗ୍ରି, ନୂଆପଡ଼ାରେ ୪୩.୨ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି।
ଏଥି ସହ ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଅନ୍ୟପଟେ ଆଜି ଉପକୂଳ ଓଡ଼ିଶାର ପ୍ରାୟ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଛି। ହେଲେ ଅଧିକ ଆର୍ଦ୍ରତା ଯୋଗୁଁ ତାପମାତ୍ରା ୫୦ ଡିଗ୍ରି ଭଳି ଅନୁଭୂତ ହୋଇଛି। ରାଜଧାନୀ ଭୁବନେଶ୍ବରର ଦିନ ତାପମାତ୍ରା ଆଜି ୩୭.୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ୭୦%ରୁ ଅଧିକ ରହିଥିଲା। ଅନ୍ୟପଟେ ମେ’ଶେଷ ସପ୍ତାହ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାକୁ ତାତି ଏବଂ ଉପକୂଳକୁ ଗୁଳୁଗୁଳିରୁ ମୁକ୍ତି ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।ଏଭଳି ସ୍ଥିତିରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୮ ବା ୨୯ ତାରିଖ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ଆକଳନରୁ ଜଣାପଡ଼ିଛି। ଦକ୍ଷିଣ ଓଡ଼ିଶା ଉପରେ ଆଜି ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି। ଏହାର ପ୍ରଭାବରେ କଳାବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ଦକ୍ଷିଣ ପଶ୍ଚିମ ମୌସୁମୀକୁ ବାଟ କଢ଼ାଇବ ବୋଲି ଡ. ପଶୁପାଳକ କହିଛନ୍ତି। ଆସନ୍ତା ୪୮ରୁ ୭୨ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ଅଧିକ ସଂଗଠିତ ହେବାର ସମ୍ଭାବନା ରହିଛି। ତେବେ ଏହାଦ୍ବାରା କୌଣସି ବଡ଼ଧରଣର ବାତ୍ୟାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…