ଭୁବନେଶ୍ବର: ରବିବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଦୁର୍ଗାପୂଜା ମଣ୍ଡପ ନିକଟରେ ଏକ ସ୍କୁଟିକୁ ଏକ ଦ୍ରୁତଗାମୀ ଟ୍ରକ୍ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଟ୍ରକ୍ ଧକ୍କାରେ ଛିଟ୍କି ପଡ଼ିବାରୁ ସ୍କୁଟି ଆରୋହୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଗୁରୁତର ଅବସ୍ଥାରେ ପିସିଆର୍ ଭ୍ୟାନ୍ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଛି।ଦୁର୍ଘଟଣା ଘଟାଇ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଟ୍ରକ୍ ଚାଳକକୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଛନ୍ତି। ଏହା ସହିତ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି। ପୁଲିସ ଟ୍ରକ୍ ଚାଳକ ସହଦେବ ପଣ୍ଡାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିବା ସହିତ ଗାଡ଼ି ଜବତ କରିଛି।
ଟ୍ରକ୍ ଚାଳକ ଅଟକ, ଗାଡ଼ି ଜବତ
ମାସକରେ ୧୦ ହିଟ୍ ଆଣ୍ଡ ରନ୍ ମାମଲା
ଆଜି ବିଳମ୍ବିତ ରାତିରେ ବୁଦ୍ଧେଶ୍ବରୀ କଲୋନିର ନୃସିଂହ ସାହୁ ସ୍କୁଟି ନେଇ ଘରକୁ ଯାଉଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କୁ ଲକ୍ଷ୍ମୀସାଗର ଦୁର୍ଗାପୂଜା ମଣ୍ଡପ ନିକଟରେ ପଛରୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ ନୃସିଂହ ଛିଟ୍କି ପଡ଼ିଥିଲେ। ମାତ୍ର ସ୍କୁଟିଟି ଟ୍ରକ୍ ଚକା ତଳେ ରହିବାରୁ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା। ସେଠାରେ ଉପସ୍ଥିତ ଲୋକେ ଟ୍ରକ୍କୁ ପିଛା କରି କିଛି ବାଟ ପରେ ଧରିଥିଲେ। ବେପାରୁଆ ଗାଡ଼ି ଚାଳନା କରି ଧକ୍କା ଦେବାକୁ କେନ୍ଦ୍ର କରି ଟ୍ରକ୍ ଚାଳକ ସହଦେବଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଗାଡ଼ି ଭଙ୍ଗାରୁଜା କରିଥିଲେ। ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ନୃସିଂହ ଓ ଟ୍ରକ୍ ଚାଳକଙ୍କୁ ଉଦ୍ଧାର କରିଥିଲା।
ସହର ମଧ୍ୟରେ ବେପରୁଆ ଗାଡ଼ି ଚଳାଚଳକୁ କେନ୍ଦ୍ର କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଲୋକେ ରାସ୍ତାରୋକ କରିବାରୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ଅପରପଟେ ଆଜିର ଘଟଣାକୁ ମିଶାଇ ଗତ ମାସକ ମଧ୍ୟରେ ୧୦ରୁ ଅଧିକ ହିଟ୍ ଆଣ୍ଡ୍ ରନ୍ ମାମଲା ସାମନାକୁ ଆସିଲାଣି। ଗତ ମେ ୩୦ ତାରିଖରେ କୁଆଖାଇ ଓଭରବ୍ରିଜ୍ ନିକଟରେ ଏକ ହାଇଵା ସମାନ ଢଙ୍ଗରେ ଏକ କାର୍କୁ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ସେହିଭଳି ଗତ ୧୧ ତାରିଖରେ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବିଟେକ୍ ଛାତ୍ରୀ ଦୀପ୍ତିମୟୀଙ୍କୁ ଗାଡ଼ି ମଡ଼ାଇ ଟ୍ରକ୍ ଚାଳକ ଫେରାର୍ ହୋଇ ଯାଇଥିଲା। ଇନ୍ଫୋଭ୍ୟାଲି ଥାନା ପୁଲିସ ଅଭିଯୁକ୍ତ ଟ୍ରକ୍ ଚାଳକକୁ ଦୁଇଦିନ ତଳେ ଗିରଫ କରିଛନ୍ତି। ନୂଆପଲ୍ଲୀରେ ଏକ ସ୍କୋଡା କାର୍କୁ ଧକ୍କା ଦେବା ସମେତ ଆଚାର୍ଯ୍ୟବିହାର ଓଭରବ୍ରିଜ୍ରେ ସିରିଜ୍ ଦୁର୍ଘଟଣା ଭଳି ମାଳମାଳ ହିଟ୍ ଆଣ୍ଡ୍ ରନ୍ ମାମଲା ସାମନାକୁ ଆସୁଥିଲେ ହେଁ ଟ୍ରାଫିକ୍ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନଥିବାରୁ ଲୋକଙ୍କ ମଧ୍ୟର ଅସନ୍ତୋଷ ବଢ଼ିଛି।

More Stories
ୟୁପିଆଇରେ ହେବାକୁ ଯାଉଛି ଏଆଇର ଏଣ୍ଟ୍ରି, ଫୋନ୍ ପେ ଏବଂ ଗୁଗୁଲ ପେ’କୁ ଟକ୍କର ଦେବ BHIM ଆପ୍
ସରକାରୀ ଚାକିରି ଦେବା ନାମରେ ୨୩ ଲକ୍ଷ ଠକେଇ |
ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ: କଣ କହିଲେ ମୋଦୀ ଜାଣନ୍ତୁ