June 29, 2026

Now Odisha

Now Odisha

କାର ସର୍ଭିସ୍ ନାଁର ଠକୁଥିଲା, ନେପାଳ ସୀମାରୁ କୋଟିପତି ଠକକୁ ଗିରଫ କଲା ପୋଲିସ

Spread the love

ଭୁବନେଶ୍ୱର: ଗାଡ଼ି ମରାମତି ନାଁରେ ଶହଶହ ଲୋକଙ୍କୁ ଠକିଥିଲା। ୫ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲା। ଅଭିଯୋଗ ହେବା ପରେ ଦୋକାନପତ୍ର ବନ୍ଦ କରି ଭୁବନେଶ୍ୱର ଛାଡ଼ି ପଳାଇ ଯାଇଥିଲା। ଭାରତ-ନେପାଳ ସୀମାରେ ଆତ୍ମଗୋପନ କରି ରହିଥିଲା। ଶେଷରେ କମିଶନରେଟ୍ ପୋଲିସ ଜାଲରେ ପଡ଼ିଛି ମହାଠକ ସଚ୍ଚିଦାନନ୍ଦ ଭୋଇ।

ଭୁବନେଶ୍ୱର କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଛି ପେଶାଦାର ଠକ ସଚ୍ଚିଦାନନ୍ଦ ଭୋଇ।ସେ ନିଜକୁ ଜଣେ ପୂର୍ବତନ ସାଂସଦଙ୍କ ପୁଅ ବୋଲି ପରିଚୟ ଦେଉଥିଲା। ଆଉ ଏକ କାର୍ ସର୍ଭିସ କମ୍ପାନୀ ଖୋଲିଥିଲା। ଯାହାର ନାଁ ରଖିଥିଲା ‘ଗୋ ସ୍ପିଡି ଗୋ’।

ଘରେ ମ୍ୟାକାନିକ ପଠାଇ ଗାଡ଼ି ମରାମିତ କରିବାର କଥା ଦେଉଥିଲା। ଏଥିପାଇଁ ଟଙ୍କା ଆଦାୟ କରୁଥିଲା। ସେ ଅନେକ ବ୍ୟକ୍ତିଙ୍କଠାରୁ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଶ୍ରୀ ଭୋଇ ନିଜକୁ ପୂର୍ବତନ ସାଂସଦଙ୍କ ପୁଅ ବୋଲି ପରିଚୟ ଦେଉଥିବାରୁ ଲୋକଙ୍କର ତାଙ୍କ ପ୍ରତି ବିଶ୍ୱାସ ହେଉଥିଲା। ତେଣୁ ଟଙ୍କା ଆଦାୟ କରିବାରେ ସମସ୍ୟା ହେଉନଥିଲା। ଅଭିଯୋଗ ଅନୁସାରେ ଶ୍ରୀ ଭୋଇ ପ୍ରାୟ ୨୫୦ରୁ ଅଧିକ ଲୋକଙ୍କୁ ଠକିଥିଲା।

ଏନେଇ ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଶ୍ରୀ ଭୋଇ ଜଣେ ପେଶାଦାର ଠକ୍‌। ତା’ ନାଁରେ ଅନେକ ଥାନାରେ ଅଭିଯୋଗ ରହିଛି। ଏହା ପରେ ପୋଲିସ ତାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ହେଲେ ସବୁବେଳେ ଶ୍ରୀ ଭୋଇ ଚକ୍‌ମା ଦେଇ ପଳାଇ ଯାଉଥିଲା। ଯେଉଁଥିପାଇଁ ତା ନାଁରେ ନନ୍‌ବେଲେବଲ ୱାରେଣ୍ଟ ଜାରି କରିଥିଲା।

ଅଭିଯୋଗ ଅନୁସାରେ ଶ୍ରୀ ଭୋଇ ଭାରତ-ନେପାଳ ସୀମାରେ ଆତ୍ମଗୋପନ କରିଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ କମିଶନରେଟ୍‌ର ଚଢ଼ାଉ କରି ତାକୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ-୬ ଏସିପି ମାନସ ରଞ୍ଜନ ପ୍ରଧାନ।

error: Content is protected !!