July 2, 2026

Now Odisha

Now Odisha

ସ୍କୁଲ ବହିରେ ବିବାଦ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ, ସରଗରମ ହେଲା ରାଜ୍ୟ ରାଜନୀତି

Spread the love

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବହିରେ ପ୍ରାୟ ୧୬୭୮ରୁ ଅଧିକ ଭୁଲ ରହିଥିବା ଜଣାପଡ଼ିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପାରିବାପଣିଆ ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଥିବା ଅଭିଯୋଗ ହେବା ପରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ଜୋର୍ ଧରିଛି।ଅନ୍ୟପକ୍ଷରେ, ରାଜ୍ୟ ସରକାର ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।

ଜାତୀୟ ଶିକ୍ଷା ନୀତି (NEP) ଅଧୀନରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ବହିଗୁଡ଼ିକରେ ଆଶ୍ଚର୍ଯ୍ୟଜନକ ଭୁଲ ସବୁ ଦେଖିବାକୁ ମିଳିଛି:

ମହାନ ବୈଜ୍ଞାନିକ ଆଇଜାକ୍ ନିଉଟନ୍‌ଙ୍କୁ ଜଣେ ‘ଶ୍ରେଷ୍ଠ ପାଇଲଟ୍’ ବୋଲି ଦର୍ଶାଯାଇଛି।

ଓଡ଼ିଶାର ବିଧାନସଭା ଫଟୋ ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋ ଛପାଯାଇଛି।

କଳାହାଣ୍ଡି ଓ ରାୟଗଡ଼ାରେ ଅବସ୍ଥିତ ଖ୍ୟାତନାମା ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡରେ ଥିବା ଉଲ୍ଲେଖ କରାଯାଇଛି।

କୋଣାର୍କ ମନ୍ଦିର ନାମରେ ହାମ୍ପିର ଫଟୋ ଦିଆଯାଇଛି।

ଏତିକି ନୁହେଁ, ପଞ୍ଚମ ଶ୍ରେଣୀର ଇଂରାଜୀ ବହିରେ ଓଡ଼ିଆ ‘ରଜଦୋଳି’ ଗୀତ ସ୍ଥାନ ପାଇଥିବା ବେଳେ ଗଣିତ ବହିରେ ସାହିତ୍ୟ ପାଠ ଛପାଯାଇଛି। ଏହା ସହିତ ଅନେକ ବନାନ ଏବଂ ବ୍ୟାକରଣଗତ ତ୍ରୁଟି ମଧ୍ୟ ପିଲାଙ୍କ ପଢ଼ାରେ ବିଭ୍ରାଟ ସୃଷ୍ଟି କରୁଛି।

ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ। ଉନ୍ନୟନ କମିଶନର ଡି.କେ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ସାତ ଦିନ ଭିତରେ ନିଜର ରିପୋର୍ଟ ପ୍ରଦାନ କରିଥିଲା। ଏହି ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଶିକ୍ଷକ ପ୍ରଶିକ୍ଷଣର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରିଛନ୍ତି। ଏହାସହ ଅନ୍ୟ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗରେ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାକୁ ସରକାରଙ୍କ ‘ଚରମ ଅବହେଳା’ ଏବଂ ‘ଓଡ଼ିଆ ଅସ୍ମିତା ପ୍ରତି ଅପମାନ’ ବୋଲି କହିବା ସହ ତ୍ରୁଟିପୂର୍ଣ୍ଣ ବହିଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ବିଜେପି ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଷ୍ଟ କରୁଥିବା ଅଭିଯୋଗ ଆଣିଛନ୍ତି।

ସରକାରୀ ସ୍ତରରେ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟବ୍ୟାପୀ ବଣ୍ଟାଯାଇସାରିଥିବା ବହିଗୁଡ଼ିକୁ ଫେରାଇ ନିଆଯିବ ନାହିଁ। ଏହା ପରିବର୍ତ୍ତେ ଶ୍ରେଣୀଗୃହରେ ଶିକ୍ଷକମାନେ ପିଲାଙ୍କୁ ଭୁଲ ସୁଧାରି ପଢ଼ାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ଏବଂ ସମ୍ପୂର୍ଣ୍ଣ ସଂଶୋଧିତ ପୁସ୍ତକ ୨୦୨୭-୨୮ ଶିକ୍ଷାବର୍ଷରୁ ମିଳିବ ବୋଲି ସୂଚନା ଦିଆଯାଇଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଓଡ଼ିଶା ଅଭିଭାବକ ସଂଘ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛି ଏବଂ ଆଗାମୀ ମାସଗୁଡ଼ିକରେ କୁନି କୁନି ପିଲାଙ୍କ ପାଠପଢ଼ା ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

error: Content is protected !!