July 4, 2026

Now Odisha

Now Odisha

 ଶବ ପଡ଼ିଛିି.. ରୋଗୀ ସେବା ଚୁଲିକୁ ଗଲାଣି

Spread the love

ଭୁବନେଶ୍ବର: ସବୁ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଲମ୍ବା ଧାଡ଼ି, ହେଲେ ଦେଖିବା ଲାଗି ଡାକ୍ତର ନାହାନ୍ତି। ଡାକ୍ତର ବାହାରେ ଆନ୍ଦୋଳନ କରୁଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ସଂପର୍କୀୟଙ୍କୁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ପ୍ରସବଜନିତ ଚିକିତ୍ସା, ଦୁର୍ଘଟଣା ଓ ଅନ୍ୟ ଅସ୍ତ୍ରୋପଚାର ସବୁକିଛି ଠପ୍ ହୋଇଯାଇଛି। ମୋଟାମୋଟି ଭାବେ ସରକାରୀ ଡାକ୍ତରଙ୍କ ୩ଦିନର ଆନ୍ଦୋଳନ ଓଡ଼ିଶାର ସ୍ବାସ୍ଥ୍ୟସେବାକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରି ପକାଇଛି।ଡାକ୍ତରଙ୍କ ଆନ୍ଦୋଳନ ପାଇଁ ଡାକ୍ତରଖାନାରେ ଅଚଳାବସ୍ଥା ଦେଖାଦେଇଛି। କେଉଁଠି ଗୋଡ଼ ଭାଙ୍ଗି ଯାଇଥିବା ରୋଗୀ ଡାକ୍ତରଖାନାକୁ ଆସି ନିରାଶ ହେଉଛି ତ ଆଉ କେଉଁଠି ରୋଗୀଟିଏ ଡିସ୍ଚାର୍ଜ ହେବା ପାଇଁ ଅପେକ୍ଷା କରିଛି। ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ଡାକ୍ତରଖାନାରେ କେହି ନାହାନ୍ତି। ଡାକ୍ତରଖାନା ବାରଣ୍ଡାରେ ପଡ଼ି ରୋଗୀ ଛଟପଟ ହେଉଛି। ବଲାଙ୍ଗୀରରେ ଜଣେ ୪ ବର୍ଷର ଶିଶୁ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ଉପଯୁକ୍ତ ଚିକିତ୍ସା ନ ପାଇଁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ରୋଗୀ ସେବା ଦୂରରେ ଥାଉ ଶବକୁ ମଧ୍ୟ ଘଣ୍ଟା ଘଣ୍ଟା ଅପେକ୍ଷାକୁ କରିବାକୁ ପଡ଼ୁଛି। ଜି.ଉଦୟଗିରିରେ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବା ବୃଦ୍ଧଙ୍କ ଶବ ବ୍ୟବଚ୍ଛେଦ ପାଇଁ ପରିବାରଲୋକ ପ୍ରାୟ ୫୦ ଘଣ୍ଟା ଅପେକ୍ଷା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ମାଟି ଅତଡ଼ା ଖସି ପ୍ରାଣ ହରାଇଥିବା ନାବାଳକର
ଶବ ବ୍ୟବଚ୍ଛେଦ ମଧ୍ୟ ସମୟରେ ହୋଇ ପାରିନାହିଁ। ରାଜ୍ୟବ୍ୟାପୀ ସଙ୍ଗିନ ସ୍ବାସ୍ଥ୍ୟସେବା ଭିତରେ ଦେବଦୂତ ସାଜିଛନ୍ତି ଆୟୁଷ ଓ ଚୁକ୍ତିଭିତ୍ତିକ ଡାକ୍ତର। ଡାକ୍ତର ରୋଗୀ ଦେଖୁ ନ ଥିବାରୁ ସେମାନଙ୍କ ଭରସାରେ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

ରାଜ୍ୟ ସରକାର ଓ ଡାକ୍ତରଙ୍କ କଳି ଭିତରେ ସାଧାରଣ ରୋଗୀଟିଏ ବଳି ପଡ଼ୁଛି। ସରକାରଙ୍କ ନାଲି ଆଖି ଡାକ୍ତରଙ୍କୁ ଡରାଇ ପାରୁନାହିଁ। ୬ ମାସ ତଳେ ଡାକ୍ତରଙ୍କ ଏଭଳି ଆନ୍ଦୋଳନ ପାଇଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ଥରକୁଥର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଉଥିବାରୁ ଏହାର ଏକ ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି। ତେଣୁ ଆସନ୍ତାକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଡାକ୍ତରୀ ସଂଘ ଭିତରେ ହେବାକୁ ଥିବା ଆଲୋଚନା ସମାଧାନର ବାଟ ଫିଟାଇବ ବୋଲି ଆଶା କରାଯାଉଛି।

error: Content is protected !!