July 9, 2026

Now Odisha

Now Odisha

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,

Spread the love

 ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା ବାଟରେ, ତା’ ପୁଣି ଜଙ୍ଗଲ ରାସ୍ତାରେ ଅଚଳ ହୋଇପଡ଼ିଛି ୧୦୮ ଆମ୍ବୁଲାନ୍ସ। ଏଭଳି ଏକ ସମ୍ବେଦନଶୀଳ ଘଟଣା ମଙ୍ଗଳବାର ରାତିରେ ଭଞ୍ଜନଗର ଜଙ୍ଗଲ ଅଞ୍ଚଳରେ ଦେଖିବାକୁ ମିଳିଛି।

ବୌଦ୍ଧ ଜିଲା ପୁରୁଣା କଟକ ଥାନା ଅନ୍ତର୍ଗତ ଦାମପଦର ଗ୍ରାମର ଚେର ମହାନନ୍ଦିଆ (୬୫) ଦୀର୍ଘ ଦିନ ହେବ ଶ୍ୱାସ ରୋଗରେ ପୀଡ଼ିତ ଥିଲେ ଏବଂ ତାଙ୍କ ଛାତିରେ ପାଣି ଜମି ଯାଇଥିଲା। ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର (ରେଫର୍) କରିଥିଲେ।

ଫୁଲବାଣୀ ମେଡିକାଲରୁ ରୋଗୀଙ୍କୁ ନେଇ ବ୍ରହ୍ମପୁର ଅଭିମୁଖେ ବାହାରିଥିବା ୧୦୮ ଆମ୍ବୁଲାନ୍ସଟି ରାଞ୍ଚି-ବିଜୟୱାଡା କରିଡ଼ରର ମୁଜାଗଡ଼-ଭଞ୍ଜନଗର ଘନ ଜଙ୍ଗଲ ରାସ୍ତାରେ ହଠାତ୍ ଅଚଳ ହୋଇପଡ଼ିଥିଲା। ନିଶାର୍ଦ୍ଧରେ ଜଙ୍ଗଲ ମଧ୍ୟରେ ଗାଡ଼ି ଖରାପ ହେବା ଯୋଗୁ ରୋଗୀଙ୍କ ଜୀବନ ବିପଦରେ ପଡ଼ିଥିବା ବେଳେ ପରିବାର ଲୋକେ ଚିନ୍ତାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଆମ୍ବୁଲାନ୍ସ ଚାଳକ କୌଣସି ମତେ ଗାଡ଼ିକୁ କୌଣସି ମତେ ଭଞ୍ଜନଗର ବନ ବିହାର ପର୍ଯ୍ୟନ୍ତ ଆଣିଥିଲେ ମଧ୍ୟ ସେଠାରେ ଗାଡ଼ିଟି ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଯାଇଥିଲା।

ଏହାପରେ ଅଚଳ ଗାଡ଼ିର ଚାଳକ ତୁରନ୍ତ ଭଞ୍ଜନଗର ୧୦୮ ଆମ୍ବୁଲାନ୍ସ ସେବାର ସହଯୋଗ ଲୋଡ଼ିଥିଲେ। ଖବର ପାଇ ଭଞ୍ଜନଗର ଆମ୍ବୁଲାନ୍ସ ତୁରନ୍ତ ବନ ବିହାର ନିକଟରେ ପହଞ୍ଚି ଗୁରୁତର ରୋଗୀଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ଅଭିମୁଖେ ବାହାରିଥିଲା। ଶେଷ ଖବର ସୁଦ୍ଧା ରୋଗୀଙ୍କୁ ସୁରକ୍ଷିତ ଭାବେ ବ୍ରହ୍ମପୁର ନିଆଯାଉଛି।

ତେବେ ଜଣେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସର ସ୍ଥିତି ଏଭଳି ରହିବା ସ୍ୱାସ୍ଥ୍ୟ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାର ଏହି ଦିଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଗାଡ଼ିଗୁଡ଼ିକର ନିୟମିତ ରକ୍ଷଣବେକ୍ଷଣ କରନ୍ତୁ ବୋଲି ସାଧାରଣରେ ଦୃଢ଼ ଦାବି ହେଉଛି।

Dharitri – Odisha’s No.
error: Content is protected !!