ଚାଲର୍ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି।
ଡିଫେଣ୍ଡର ଓ ଗୋଲକିପର ମ୍ୟାଟ ଫ୍ରିସେ ଗାଫେଙ୍କ ତ୍ରୁଟି କାରଣରୁ ବେଲଜିୟମ ପ୍ରଥମ ୩ଟି ଗୋଲ କରିଥିଲା। ବିବାଦୀୟ ଭାବେ ଫିଫା ଦ୍ୱାରା ରେଡ୍ କାର୍ଡ ପ୍ରତ୍ୟାହାର କରାଯିବା ପରେ ଖେଳୁଥିବା ଆମେରିକୀୟ ଫରଓ୍ବାର୍ଡ ଫୋଲାରିନ ବାଲୋଗନଙ୍କ ଉପସ୍ଥିତି ମ୍ୟାଚ୍ରେ କୌଣସି ପ୍ରଭାବ ପକାଇ ପାରି ନ ଥିଲା।
ଏହି ପରାଜୟ ଯୋଗୁ ୨୦୦୨ ପରେ ଆମେରିକାର ପ୍ରଥମ ଥର ପାଇଁ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ ଖେଳିବା ଆଶା ଆଶାରେ ରହିଛି। ବେଲଜିୟମଠାରୁ ବିଶ୍ୱକପ୍ରେ ଏହା ଆମେରିକାର କ୍ରମାଗତ ଷଷ୍ଠ ପରାଜୟ। ପ୍ରଥମ ବିଶ୍ୱକପ୍ ଟ୍ରଫି ଲକ୍ଷ୍ୟରେ ଥିବା ବେଲଜିୟମ ଗତ ୧୨ ବର୍ଷରେ ଦ୍ୱିତୀୟ ଥର ପାଇଁ ଆମେରିକାକୁ ରାଉଣ୍ଡ ଅଫ୍-୧୬ରୁ ବିଦା କରିଛି। ଏହି ବିଜୟ ସହ ବେଲଜିୟମ ଦଳର ଅପରାଜେୟ ଧାରା ୧୮ ମ୍ୟାଚ୍ରେ ପହଞ୍ଚିଛି। ଏହି ଦଳ ଆସନ୍ତା ଶନିବାର କାଲିଫର୍ନିଆର ଇଙ୍ଗଲେଉଡ୍ଠାରେ ୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନକୁ ଭେଟିବ।
ଦର୍ଶକଙ୍କ ଉପସ୍ଥିତିରେ ସିଆଟେଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ର ୯ମ ମିନିଟ୍ରେ ଗୋଲପୋଷ୍ଟ ସମ୍ମୁଖରେ କର୍ନର ଏରିଆରୁ ନିକୋଲାସ ରାସ୍କିନଙ୍କଠାରୁ ପାଇଥିବା ପାସକୁ ଚାଲର୍ସ ଡି କେଟେଲେରେ ସହଜରେ ଗୋଲ କରିଥିଲେ। ଚଳିତ ବିଶ୍ୱକପ୍ରେ ଏହା ଆମେରିକା ବିପକ୍ଷରେ ପ୍ରଥମ ଗୋଲ ଥିଲା।
ଜବାବରେ ୩୧ତମ ମିନିଟ୍ରେ ଗୋଲପୋଷ୍ଟଠାରୁ ୨୫ ମିଟର ଦୂରରେ ଆମେରିକାକୁ ମିଳିଥିବା ଫ୍ରି-କିକ୍ରୁ ମାଲିକ ଟିଲମ୍ୟାନ (୩୧ତମ) ସ୍କୋର କରି ମ୍ୟାଚ୍କୁ ବରାବର ସ୍ତରକୁ ଆଣିଥିଲେ। ହେଲେ ଏହାର ୧ ମିନିଟ୍ ପରେ ଲିଆଣ୍ଡ୍ରୋ ଟ୍ରୋସାର୍ଡ ଦେଇଥିବା ମୁଣ୍ଡ ଉଚ୍ଚା ପାସକୁ କେଟେଲେରେ ହେଡର ଜରିଆରେ ଗୋଲରେ ପରିଣତ କରିଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଗୋଲକିପର ଗାଫେଙ୍କ ତ୍ରୁଟିର ଫାଇଦା ଉଠାଇ କେଟେଲେରେ ଗୋଲପୋଷ୍ଟ ସାମ୍ନାକୁ ବଲ ପାସ କରିଥିଲେ, ଯାହାକୁ ସହଜରେ ହାନ୍ସ ଭାନାକେନ(୫୭ତମ) ଗୋଲରେ ପରିଣତ କରିଥିଲେ। ସବଷ୍ଟିଚ୍ୟୁଟ ହୋଇ ପଡ଼ିଆକୁ ଆସିଥିବା ରୋମେଲୁ ଲୁକାକ ଇଞ୍ଜୁରି ଟାଇମ୍ରେ ବେଲଜିୟମ ପାଇଁ ଚତୁର୍ଥ ଗୋଲ କରିଥିଲେ।

More Stories
ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର
ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି
ଚୌଦ୍ୱାର ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଲେ କାଉନସିଲର ସୁବ୍ରତ ସାମଲ, ଦର୍ଶାଇଲେ ଏହି କାରଣ