July 8, 2026

Now Odisha

Now Odisha

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

Spread the love

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେ ହେଲେ ସାନଖେମୁଣ୍ଡି ବ୍ଲକ ଚିନ୍ତାଖାଳି ଗାଁର ରାଜମିସ୍ତ୍ରୀ କାମ କରୁଥିବା ଶଙ୍କର ନାଇକ ଓରଫ ସାହେବ(୩୧) ।  ଥାନା ମାମଲା ନଂ.୨୮୫/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା -୩୨୯(୪)/୨୯୬/୧୧୫(୨)/୧୧୭(୨)/୬୪(୨)(ଏମ)/୩୫୧(୨) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଯୁବତୀ ଜଣକ ରାଜମିସ୍ତ୍ରୀଙ୍କ ସାଙ୍ଗରେ କାମ କରୁଥିଲେ । ବିଭିନ୍ନ ସମୟରେ ତାଙ୍କୁ ଧମକ ଦେଇ ନିୟମିତ ବ୍ୟବଧାନରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଏପରିକି ତାଙ୍କ ଅଜାଣତରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ତାଙ୍କ ମୋବାଇଲ ଫୋନ ରେ ଉଠାଇ ପାଖରେ ରଖି ତାଙ୍କୁ ବିଭିନ୍ନ ସମୟରେ ବ୍ଲାକମେଲିଂ କରିବାରୁ ଯୁବତୀ ଜଣକ ବ୍ୟତିବ୍ୟସ୍ତ ହୋଇ କିଛିଦିନ ହେଲା ତାଙ୍କ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଦେଇଥିଲେ। ଶଙ୍କର ତାଙ୍କୁ ବିଭିନ୍ନ ମୋବାଇଲ ନଂରୁ ଫୋନ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଡାକୁଥିଲେ ମଧ୍ୟ ଯୁବତୀ ଜଣକ ଯାଉନଥିଲେ।

ମଙ୍ଗଳବାର ଅପରାହ୍ନ ପ୍ରାୟ ୨ ଟାରେ ପୀଡ଼ିତା ଜଣକ ଦିଗପହଣ୍ଡି ବସଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ରକୁ ଖାଇବା ପାଇଁ ଯାଇଥିବା ବେଳେ ରାଜମିସ୍ତ୍ରୀ ଶଙ୍କର ସେଠାରେ ପହଞ୍ଚି ତାଙ୍କୁ ବିଭିନ୍ନ ପ୍ରକାର ଆପତ୍ତିଜନକ ଭାଷାରେ ଗାଳି କରିଥିଲେ।ପ୍ରତିବାଦ କରିବାରୁ ଶଙ୍କର ପୂର୍ବ ଭଳି ତାଙ୍କ ସହ ଶାରୀରିକ ସମ୍ପର୍କ ନରଖିଲେ ତାଙ୍କ ମୋବାଇଲରେ ପୂର୍ବରୁ ଥିବା ଯୁବତୀଙ୍କ ଉଲଗ୍ନ ଫଟୋ ଭିଡ଼ିଓ ସବୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବି । ତୁ ମୁଣ୍ଡ ଟେକି ସୋସାଇଟିରେ ଚାଲି ପାରିବୁ ନାହିଁ ବୋଲି ଧମକ ଦେଇଥିଲେ । ପରେ ତାଙ୍କୁ ବାଧ୍ୟକରି ଏକ ପରିତ୍ୟକ୍ତ ଘରକୁ ନେଇ ତାଙ୍କ ଅନିଚ୍ଛା ସତ୍ତ୍ୱେ ବଳାତ୍କାର କରିଥିଲେ । ତାଙ୍କ ସହ ନିୟମିତ ବ୍ୟବଧାନରେ ଶାରିରୀକ ସମ୍ପର୍କ ନରଖିଲେ ତାଙ୍କୁ ହତ୍ୟା କରିବା ସହ ସେ ଆତ୍ମହତ୍ୟା କରିବାକୁ ଧମକ ଦେଇ ତାଙ୍କ ଦୁଇ ହାତକୁ ଧରି ଜମିକୁ ଫୋପାଡି ଦେଇଥିଲେ । ପୀଡ଼ିତାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଥିଲା।

ସେ ନିଜକୁ ବଞ୍ଚାଇବାକୁ ଚିତ୍କାର କରିବାରୁ କିଛି ବ୍ୟକ୍ତି ଦୌଡ଼ି ଯାଇ ତାଙ୍କୁ ଉଦ୍ଧାର କରିବା ସହ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ହୋଇ ଫେରିବା ପରେ ମଙ୍ଗଳବାର ରାତି ପ୍ରାୟ ସାଢେ ୯ ଟାରେ ଦିଗପହଣ୍ଡି ଥାନାରେ ପହଞ୍ଚି ଶଙ୍କରଙ୍କ ବିରୋଧରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରିଥିଲେ। ବୁଧବାର ଥାନା ମହିଳା ଏସ.ଆଇ ସୋଫିଆ ମିଶ୍ର ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ପରେ ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

error: Content is protected !!