July 14, 2026

Now Odisha

Now Odisha

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

Spread the love

ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ ଲଢ଼ିବା ପାଇଁ ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ତଥା ଭାଜପା ନେତା ନରୋତ୍ତମ ମିଶ୍ରାଙ୍କୁ ଟିକେଟ ନ ମିଳିବାରୁ ଏହାର ପ୍ରତିବାଦରେ ତାଙ୍କ ସମର୍ଥକମାନେ ୨ ଦିନ ହେଲା ଜୋର୍‌ଦାର ବିକ୍ଷୋଭ କରିଛନ୍ତି। ୩,୦୦୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ୪୪ ନମ୍ବର ଜାତୀୟ ରାଜପଥକୁ ପାଖାପାଖି ୧୨ ଘଣ୍ଟା ଅବରୋଧ କରିଥିଲେ। ସେମାନଙ୍କୁ ହଟାଇବା ପାଇଁ ପୋଲିସ ଉଦ୍ୟମ କରିବାରୁ ବିକ୍ଷୋଭକାରୀ-ପୋଲିସ ମୁହଁାମୁହିଁ ହୋଇଥିଲେ। ଏହି ସଂଘର୍ଷରେ ଡାଟିଆ ଏସ୍‌ପିଙ୍କ ସମେତ କେତେଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ କେତେଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି।

ମିଶ୍ରା ୨୦୨୩ରେ ଡାଟିଆ ଆସନରୁ ନିର୍ବାଚନ ଲଢ଼ି ହାରିଯାଇଥିଲେ। କଂଗ୍ରେସ ନେତା ରାଜେନ୍ଦ୍ର ଭାରତୀ ତାଙ୍କୁ ୭,୫୦୦ରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ। ତେବେ ଚଳିତ ବର୍ଷ ଏପ୍ରିଲରେ ଦିଲ୍ଲୀର ଏକ ଅଦାଲତ ଭାରତୀଙ୍କୁ ଏକ ଠକେଇ ମାମଲାରେ ୩ ବର୍ଷ ଜେଲଦଣ୍ଡାଦେଶ ଦେବାରୁ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଥିଲା। ସେଥିପାଇଁ ଉକ୍ତ ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ମିଶ୍ରା ପୁନର୍ବାର ପ୍ରାର୍ଥୀ ହେବା ଲାଗି ଆଶାବାଦୀ ଥିଲେ ଓ ନାମାଙ୍କନ ଫର୍ମ କିଣିସାରିଥିଲେ। ଭାଜପା ତିଓ୍ବାରୀଙ୍କୁ ପ୍ରାର୍ଥୀ କରିବା ତାଙ୍କୁ ଅସନ୍ତୁଷ୍ଟ କରିଛି।

error: Content is protected !!