July 12, 2026

Now Odisha

Now Odisha

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

Spread the love

ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରାପ୍ୟ ଅର୍ଥ ନମିଳିବାରୁ ଗ୍ରାମର ଜଣେ ଠିକାଦାର ବିଦ୍ୟାଳୟ ପରିସରରେ ଥିବା ପ୍ରାୟ ୪୦ ମିଟର ରାସ୍ତାକୁ ଖୋଳି ସେଥିରୁ ମୋରୁମ୍, ମେଟାଲ ଓ ମାଟି ଉଠାଇ ନେଇଯାଇଛନ୍ତି। ଫଳରେ ଶନିବାର ଛାତ୍ରଛାତ୍ରୀମାନେ ଶ୍ରେଣୀ କୋଠରୀକୁ ଯାଇ ନପାରି ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ଖୋଲା ଆକାଶ ତଳେ ବସିରହିଥିବା ଦେଖିବାକୁ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଦ୍ୟାଳୟ ପରିସରରେ ବହୁସଂଖ୍ୟକ ଅଭିଭାବକ ଓ ଗ୍ରାମବାସୀ ଏକତ୍ରିତ ହୋଇ ତୀବ୍ର ପ୍ରତିବାଦ ସହ ହୋହଲ୍ଲା କରିଥିଲେ। ପରେ ପ୍ରଧାନଶିକ୍ଷକ କାମଦେବ ନାୟକଙ୍କ ବୁଝାସୁଝା ପରେ ଉତ୍ୟକ୍ତ ଲୋକେ ସେଠାରୁ ଫେରିଥିଲେ।

ସୂଚନା ଅନୁଯାୟୀ, ଗତ ୨୦୧୯ ପଞ୍ଚାୟତ ନିର୍ବାଚନ ସମୟରେ ଏହି ବିଦ୍ୟାଳୟରେ ଭୋଟ କେନ୍ଦ୍ର କରାଯାଇଥିଲା। ମତଦାତାମାନଙ୍କ ଯାତାୟାତ ସୁବିଧା ପାଇଁ ବିଦ୍ୟାଳୟର ଖାଲୁଆ ରାସ୍ତାକୁ ରେମ୍ପ୍ କରି ଉଚ୍ଚା କରିବାକୁ ସାନଖେମୁଣ୍ଡି ବ୍ଲକର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଇଂ. ଶିବାନୀ ପାତ୍ର ଗ୍ରାମର ଠିକାଦାର ବିଜୁଳି ପାତ୍ରଙ୍କୁ କହିଥିଲେ। ସେହି ସମୟରେ ୱାର୍ଡ ସଭ୍ୟ ଥିବା ବିଜୁଳି ପ୍ରାୟ ୭ ହଜାର ଟଙ୍କା ଖର୍ଚ୍ଚ କରି ଏହି ରାସ୍ତା ନିର୍ମାଣ କରିଥିଲେ। କିନ୍ତୁ କାମ ସରିବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ପ୍ରାପ୍ୟ ଅର୍ଥରାଶି ମିଳି ନ ଥିଲା। ବାରମ୍ବାର ବ୍ଲକ କାର୍ଯ୍ୟାଳୟ ଦୌଡ଼ିଥିଲେ ହେଁ କନିଷ୍ଠ ଯନ୍ତ୍ରୀ ତାଙ୍କୁ ଧରାଛୁଆଁ ଦେଇ ନ ଥିଲେ। ନିର୍ମାଣର ଦୀର୍ଘ ଦିନ ପରେ ବି ଟଙ୍କା ନ ମିଳିବାରୁ ସେ ଶ୍ରମିକ ଲଗାଇ ରାସ୍ତା ଖୋଳି ସବୁ ସାମଗ୍ରୀ ନେଇଯାଇଥିବା କହିଛନ୍ତି।

ଅପରପକ୍ଷେ, ପ୍ରଧାନଶିକ୍ଷକ ଏନେଇ ପାଟପୁର ଥାନାରେ ଜଣାଇବା ପରେ ପୋଲିସ ଟିମ୍ ବିଦ୍ୟାଳୟରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲା, ଯାହା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି। ବିଦ୍ୟାଳୟର ସମସ୍ୟାକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ କରିବାକୁ ଅଭିଭାବକ ଓ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।

error: Content is protected !!