ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର କିଛି ଛବି ଉତ୍ତୋଳନ କରିଛି। ସାଟେଲାଇଟ୍ରୁ ନିଆଯାଇଥିବା ଏହି ଫଟୋଟି ଭଙ୍ଗିଲ ପଥରରେ ଗଢ଼ା ବିଭିନ୍ନ ରଙ୍ଗର ବିଞ୍ଚଣା (Fan) କୁ ଦର୍ଶାଉଛି।
‘ଲାଇଭ୍ ସାଇନ୍ସ’ର ରିପୋର୍ଟ ଅନୁସାରେ, ଭୂବୈଜ୍ଞାନିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏହି ଆକୃତିକୁ ‘ଇମ୍ବ୍ରିକେଟ୍ ଫ୍ୟାନ୍’ (Imbricate Fan) କୁହାଯାଏ। ଏହି ବିଞ୍ଚଣାଟି ବାଲୁକା ପଥର (Sandstone) ଏବଂ ଚୂନା ପଥର (Limestone) ର ପର୍ଯ୍ୟାୟକ୍ରମେ ଗଠିତ ସ୍ତରଗୁଡ଼ିକରୁ ତିଆରି ହୋଇଛି। ଏହା ପାକିସ୍ତାନର ବଲୋଚିସ୍ତାନ ପ୍ରଦେଶରେ ଥିବା ମୁରଘା କିବଜାଇ ସହରଠାରୁ ପ୍ରାୟ ୫ କିଲୋମିଟର ପୂର୍ବରେ ଅବସ୍ଥିତ।
ଫଟୋରେ ଦେଖାଯାଉଥିବା ପଥର ବିଶିଷ୍ଟ ଅଂଶର ଓସାର ପ୍ରାୟ ୧୫ କିଲୋମିଟର, କିନ୍ତୁ ଏହି ବିଞ୍ଚଣା ଭଳି ଆକୃତିଟି ଏକ ମୁଣ୍ଡରୁ ଅନ୍ୟ ମୁଣ୍ଡ ପର୍ଯ୍ୟନ୍ତ ୮୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି।
ପୃଥିବୀର ଦୁଇଟି ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ଧକ୍କା ଯୋଗୁଁ ଏହି ଆକୃତିର ନିର୍ମାଣ ହୋଇଛି। ଏହା ୟୁରେସିଆନ୍ ଏବଂ ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ର ସୀମାନ୍ତରେ ସୃଷ୍ଟି ହୋଇଛି। ଏହି ଦୁଇଟି ପ୍ଲେଟ୍ ୬ କୋଟି (୬୦ ନିୟୁତ) ରୁ ଅଧିକ ବର୍ଷ ହେବ ପରସ୍ପର ସହ ପିଟି ହେଉଛନ୍ତି।
ଏହି ଆଶ୍ଚର୍ଯ୍ୟଜନକ ସଂରଚନା ସୁଲେମାନ୍ ପର୍ବତମାଳାରେ (Sulaiman Range) ପ୍ରାୟ ୫,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ। ଏହି ପର୍ବତମାଳା ପାକିସ୍ତାନ ଏବଂ ଆଫଗାନିସ୍ତାନର ପ୍ରାୟ ୬,୫୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ବିସ୍ତୃତ।
ଏହି ମୁହାଁମୁହିଁ ଧକ୍କା ପ୍ରାୟ ୩ କୋଟି (୩୦ ନିୟୁତ) ବର୍ଷ ପର୍ଯ୍ୟନ୍ତ ପୂର୍ଣ୍ଣ ବେଗରେ ଜାରି ରହିଥିଲା ଏବଂ ପରେ ଧୀରେ ଧୀରେ ମନ୍ଥର ହୋଇଯାଇଥିଲା। ତଥାପି, ବୈଜ୍ଞାନିକ ଦୃଷ୍ଟିରୁ ଏହି ଦୁଇଟି ପ୍ଲେଟ୍ ଆଜି ମଧ୍ୟ ପରସ୍ପର ସହ ଧକ୍କା ହେଉଛନ୍ତି, ଯାହା ଫଳରେ ଏହି ଅଞ୍ଚଳଟି ଭୂକମ୍ପର ଏକ ପ୍ରମୁଖ ହଟ୍ସ୍ପଟ୍ (Hotspot) ପାଲଟିଛି।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା