July 30, 2026

Now Odisha

Now Odisha

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

Spread the love

ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଘୁମୁସର ରେଡିଓ’। ଭଞ୍ଜନଗର ମାଲସାହି ନଦୀକୂଳ ଅଞ୍ଚଳରେ ଏହି ଗୋଷ୍ଠୀ ବେତାର କେନ୍ଦ୍ରର ଷ୍ଟୁଡିଓ ଓ ପ୍ରସାରଣ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିବାବେଳେ ଆସନ୍ତା ଅଗଷ୍ଟ ମାସରେ ଏହାର ଆନୁଷ୍ଠାନିକ ଲୋକାର୍ପଣ ହେବ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ତେଣୁ ଇତିମଧ୍ୟରେ ଯନ୍ତ୍ରପାତି ସ୍ଥାପନ ପରେ ବୁଧବାର ପରୀକ୍ଷାମୂଳକ ପ୍ରସାରଣ ଆରମ୍ଭ ହୋଇଛି।
କେନ୍ଦ୍ର ସରକାରଙ୍କ ଗୋଷ୍ଠୀ ବେତାର କେନ୍ଦ୍ର ଯୋଜନା ଅଧୀନରେ ଏହି ରେଡିଓ ଷ୍ଟେଶନର ଭିତ୍ତିଭୂମି ବିକଶିତ ହୋଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆଇନା’ ଏହାର ପରିଚାଳନା ଦାୟିତ୍ୱ ନେଇଛି। କେନ୍ଦ୍ର ପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତି ମଧ୍ୟ ସରିଛି। ଆଇନାର ସମ୍ପାଦିକା ସ୍ନେହ ମିଶ୍ର ଓ ଘୁମୁସର ରେଡିଓର ସଂଯୋଜିକା ପ୍ରଣତି ମିଶ୍ର ରେଡିଓର ଦୈନନ୍ଦିନ କାର୍ଯ୍ୟକ୍ରମ ଓ ପ୍ରସାରଣ ବ୍ୟବସ୍ଥାର ଅଗ୍ରଗତି ନେଇ ସମୀକ୍ଷା କରୁଛନ୍ତି। ବୁଧବାର ଟ୍ରାନ୍ସମିଟର୍‌ ପରୀକ୍ଷା ସମୟରେ ସଂଯୋଜିକା ପ୍ରଣତି ମିଶ୍ର, ଆଇନା କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରଦ୍ୟୁମ୍ନ ରଥ, ଜୟଶଙ୍କର ପଣ୍ଡା, ସଂଯୋଜକ କରୁଣାକର ବାରିକ, ରେଡିଓ ଜକି ରିତେଶ ବେହେରା, ଶୁଭସ୍ମିତା ଗୌଡ଼, ବସନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଘୁମୁସର ରେଡିଓର ପ୍ରସାରଣ ୮୮.୪ FM ଫ୍ରିକ୍ୱେନ୍ସିରେ ହେବ। ଏହା ପ୍ରାୟ ୪୦ କିଲୋମିଟର ପରିଧି ମଧ୍ୟରେ ଶୁଣିହେବ। ଏହି ଗୋଷ୍ଠୀ ବେତାର କେନ୍ଦ୍ରରେ ସ୍ଥାନୀୟ ଖବର, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ସଚେତନତା, ସାମାଜିକ ସମସ୍ୟା, କଳା ଓ ସଂସ୍କୃତି ସମେତ ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗ ଉପରେ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ସ୍ଥାନୀୟ ପ୍ରତିଭାଙ୍କୁ ସୁଯୋଗ ଦେବା ସହ ଘୁମୁସର ଅଞ୍ଚଳର ଲୋକକଳା, ଲୋକସଂସ୍କୃତି ଓ ପରମ୍ପରାକୁ ଦେଶବାସୀଙ୍କ ନିକଟରେ ପହଞ୍ଚାଇବାରେ ଏହା ଏକ ନୂଆ ମାଧ୍ୟମ ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ‘ଆଇନା’ ଅନୁଷ୍ଠାନ ଭଞ୍ଜନଗର ଅଞ୍ଚଳରେ ଦୀର୍ଘ୨୫ ବର୍ଷରୁ  ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ଗୋଷ୍ଠୀ ବେତାର କେନ୍ଦ୍ରର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଉକ୍ତ କେନ୍ଦ୍ର ହୋଇଛି । ଏହି ଅର୍ଥରେ ଷ୍ଟୁଡିଓ, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରାଯାଇଛି। ଆଗାମୀ ଦିନରେ ରେଡିଓର ପରିଚାଳନା ଓ ଅନ୍ୟାନ୍ୟ ଖର୍ଚ୍ଚ ‘ଆଇନା’ ପକ୍ଷରୁ ବହନ କରାଯିବ।
ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ନିଜ ଭାଷାରେ ନିଜ ଅଞ୍ଚଳର କଥା କହିବା ପାଇଁ ଏହି ନୂଆ ରେଡିଓ ଷ୍ଟେଶନ ଏକ ନୂଆ ମଞ୍ଚ ସୃଷ୍ଟି କରିବା ସହ ଘୁମୁସର ଅଞ୍ଚଳର ଗଣମାଧ୍ୟମ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି।

error: Content is protected !!