ଇଚ୍ଛା ଯେତେବେଳେ ଡେଣାମେଲି ଉଡେ


ଏକ ସାଧାରଣ ଅଭାବୀ ପରିବାରର ଝିଅ ତେଣୁ ୧୪ ବର୍ଷ ନପୁରୁଣୁ ବାପା ମା ବାହା କରାଇ ଦେଲେ । ସ୍ବାମୀ ତାମିଲନାଡୁ ପୋଲିସର କନ୍‌ଷ୍ଟେବଲ । ଅନ୍ୟାନ୍ୟ ପାଞ୍ଚଟି ବାଲ୍ୟ ବିବାହର ଶୀକାର ପରି ଏହି ଝିଅ କିନ୍ତୁ ଆଦୌ ଭାଗ୍ୟକୁ ଆଦରି ପଡିରହି ନ ଥିଲା । ଘରେ ବସି ପଢାଲେଖା ଚାଲୁ ରଖିଥିଲା । କିନ୍ତୁ ଅଠର ବର୍ଷ ହେଉ ହେଉ ଦୁଇ ଦୁଇଟି ଝିଅର ମା ହେଲା ସେ! ଦିନେ ଭୋର୍ ନ ହେଉଣୁ ପୋଲିସ ସ୍ବାମୀ ଘରୁ ତରତର ହୋଇ ବାହାରି ଚାଲିଗଲେ । ସେଦିନ କୁଆଡେ ତାଙ୍କ ଥାନାକୁ ପୋଲିସର ସର୍ବୋଚ୍ଚ ଅଧିକାରୀ ଆସିବେ । ରାତିରେ ସ୍ବାମୀ ଘରକୁ ଫେରି ଆସିବା ପରେ ସ୍ବାମୀଙ୍କ ପାଖରୁ ଗପ ଶୁଣିଥିଲା ବଡସାହେବଙ୍କ ବିଷୟରେ , ଯିଏକି ସମଗ୍ର ରାଜ୍ୟର ପୋଲିସ୍ ବିଭାଗର ସର୍ବେସର୍ବା । ତାଙ୍କର ପଦବୀ ହେଉଛି IG of Police. । ବାଳିକା ବଧୂଟି ସ୍ବପ୍ନ ଦେଖିଲା ସେ ବି ଯଦି ଏମିତି ବଡ଼ ପୋଲିସ ଅଧିକାରୀ ହୋଇପାରନ୍ତା! ଦିନେ ବାଳିକା ବଧୂଟି ତା’ର ସ୍ବପ୍ନର କଥା ଜଣାଇଲା ତାର ସ୍ବାମୀକୁ । ପୋଲିସ କନ୍‌ଷ୍ଟେବଲ ହେଲେ ମଧ୍ୟ ତାର ସ୍ବାମୀ ଥିଲେ ଜଣେ ହୃଦୟବାନ ମଣିଷ । ପତ୍ନୀର ସ୍ବପ୍ନର କଥା ଶୁଣି ସେଦିନ ତା’ର ସ୍ବାମୀ କହିଥିଲେ – ପ୍ରଥମେ ତୁମେ ପଢାଶୁଣା କରି ଗ୍ରାଜୁଏଟ ଡିଗ୍ରୀ ହାସଲ କର । ତାହାହିଁ ଆରମ୍ଭ । ପ୍ରାଇଭେଟ୍ ପରୀକ୍ଷା ଦେଇ ସ୍କୁଲ ଫାଇନାଲ ଏବଂ ତା’ପରେ ସ୍ନାତକ ଡିଗ୍ରୀ ମଧ୍ୟ ହାସଲ କଲା ସେହି ଝିଅଟି । ଏଥର ସେ ସ୍ବାମୀକୁ ଅନୁରୋଧ କଲା ଯେ ତାକୁ ତାମିଲନାଡୁ ସହରରେ ରଖି କୌଣସି IPS କୋଚିଂ ସେଣ୍ଟର୍ ରେ ପଢିବାର ସୁଯୋଗ କରିଦେବା ପାଇଁ । ୟା’ରି ଭିତରେ ପତିଦେବ ହାବିଲଦାର ହୋଇ ସାରିଛନ୍ତି ।ପତ୍ନୀ ର କଥା ରଖିଥିଲେ ସ୍ବାମୀ । ତାମିଲନାଡୁ ସହରର ଗୋଟିଏ ସ୍ଥାନରେ ପେଇଂ ଗେଷ୍ଟ ଭାବରେ ସ୍ତ୍ରୀ କୁ ରଖାଇ କୋଚିଂ ର ବ୍ୟବସ୍ଥା ମଧ୍ୟ କରି ଦେଇଥିଲେ । ଝିଅଟି ଲଗାତାର ତିନିଥର ଚେଷ୍ଟା କରି ମଧ୍ୟ ଯେତେବେଳେ IPS ପରୀକ୍ଷାରେ ପାଶ୍ କରି ପାରିଲା ନାହିଁ, ହତାଶ ସ୍ବାମୀ କହିଥିଲେ – ଏଥର ତୁମେ ଫେରି ଆସ । ମୋ’ର ଆଉ ଯେତେଦିନ ଚାକିରି ଅଛି, ସେତେଦିନ ଭିତରେ ମୋ କାନ୍ଧରେ ଅନ୍ତତଃ ଆହୁରି ଦୁଇଟି ଷ୍ଟାର୍ ଲାଗି ସାରିଥିବ । କିନ୍ତୁ ଆଉ ଗୋଟିଏ ସୁଯୋଗ ଦେବାପାଇଁ ଝିଅଟି ସ୍ବାମୀକୁ ଅନୁରୋଧ କଲା । ସେ କହିଲା – ଏଥର ଯଦି ମୁଁ ସଫଳ ହେବି ନାହିଁ ତେବେ ଗାଁ କୁ ଫେରି ଅନ୍ତତଃ ଶିକ୍ଷକତା କରି ପାରିବି ।ଈଶ୍ବର ବି ବୋଧହୁଏ ତାମିଲନାଡୁର ଗୋଟିଏ ଗ୍ରାମ୍ୟ ବଧୂର ନିରନ୍ତର ପ୍ରଚେଷ୍ଟାକୁ ଅଣଦେଖା କରି ପାରିଲେ ନାହିଁ । ଚତୁର୍ଥ ଥରର ପ୍ରଚେଷ୍ଟାରେ ସେହି ବଧୂଟି ପ୍ରିଲିମିନାରୀ , ମେନ୍ ପରୀକ୍ଷା ପାଶ୍ କରିଗଲା । ଯଥାସମୟରେ ଟ୍ରେନିଂ ଶେଷ କରି ସେଦିନର ସେହି ବାଳିକା ବଧୂ #ଅମ୍ବିକା_ନାୟର ଆଜି ମୁମ୍ବାଇ ପୋଲିସର ଡେପୁଟି କମିଶନର ( ନର୍ଥ ) ଭାବରେ ଅବସ୍ଥାପିତ । ଏହି କାହାଣୀ ଅବଶ୍ୟ ହିଁ ପ୍ରେରଣା ଯୋଗାଇବ ମୋ ଦେଶର ହଜାର ହଜାର ଝିଅମାନଙ୍କୁ । ତଥାପି ଅମ୍ବିକା ଙ୍କ ଚେଷ୍ଟା ଓ ସଫଳତା ପଛରେ ତାଙ୍କ ପତି ଦେବଙ୍କ ଅବଦାନକୁ ମଧ୍ୟ ଅସ୍ବୀକାର କରାଯାଇ ପାରିବ ନାହିଁ ।ଅନନ୍ୟା ଅତୁଳନୀୟା ଅମ୍ବିକା ନାୟର ଙ୍କୁ ତାଙ୍କର ଚେଷ୍ଟା ଓ ସଫଳତା ପାଇଁ ସ୍ୟାଲୁଟ୍ ।


error: Content is protected !!