August 21, 2026

Now Odisha

Now Odisha

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

Spread the love

 ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା ଅଭିଯୋଗରେ କ୍ଲାସ୍ ଟିଚର ଶିଶୁଟିକୁ ଚାପୁଡ଼ା ମାରିବା ସହ ତା’ ଶାର୍ଟ ଟାଣିଥିଲେ, ଯାହା ପରେ ପିଲାଟି ଶ୍ରେଣୀଗୃହରେ ଅଚେତ ହୋଇ ପଡ଼ିଯାଇଥିଲା। ସ୍କୁଲ କର୍ତ୍ତୃପକ୍ଷ ତାକୁ ତୁରନ୍ତ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଛନ୍ତି।

ଗୁରୁବାର ସକାଳ ପ୍ରାୟ ୯ଟା ସମୟରେ ଶ୍ରେଣୀଗୃହରେ ପାଠପଢ଼ା ଚାଲିଥିବା ବେଳେ ହୋମୱାର୍କକୁ ନେଇ କ୍ଲାସ୍ ଟିଚର ଶିଶୁଟିକୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ସ୍କୁଲର ସିସିଟିଭି (CCTV) ଫୁଟେଜ୍‌ରେ ମଧ୍ୟ ଶିକ୍ଷୟିତ୍ରୀଜଣକ ଶିଶୁଟିକୁ ଚାପୁଡ଼ା ମାରୁଥିବା ଦୃଶ୍ୟ କଏଦ ହୋଇଛି। ମାଡ଼ ଖାଇବା ପରେ ଶିଶୁଟି କାନ୍ଦି କାନ୍ଦି ଅଚେତ ହୋଇ ଶିକ୍ଷୟିତ୍ରୀଙ୍କ କୋଳରେ ଢଳି ପଡ଼ିଥିଲା। ଏହାପରେ ସ୍କୁଲ ଷ୍ଟାଫ୍ ତାକୁ କିଙ୍ଗ ଜର୍ଜ ହସ୍ପିଟାଲ (KGH) ନେଇଯାଇଥିଲେ, ମାତ୍ର ସେଠାରେ ଡାକ୍ତର ତାକୁ ବଞ୍ଚାଇବାରେ ଅସମର୍ଥ ହୋଇଥିଲେ।

ଏହି ଘଟଣା ପରେ ଶିଶୁର ପରିବାରଲୋକେ ସ୍କୁଲ ପ୍ରବନ୍ଧକ ଓ ଶିକ୍ଷୟିତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପରିବାର ନିକଟକୁ ଫୋନ୍ କରିବାର ସୁବିଧା ଥାଇ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ବାପା-ମା’ଙ୍କୁ ତୁରନ୍ତ ଜଣାଇ ନ ଥିଲେ। ଏପରିକି ହସ୍ପିଟାଲରେ ଭର୍ତ୍ତି କରିବା ସମୟରେ ପିଲାଟି ଖେଳପଡ଼ିଆରେ ଖସିପଡ଼ିଥିବା ମିଥ୍ୟା ସୂଚନା ଦିଆଯାଇଥିଲା, ଯେତେବେଳେ କି ସ୍କୁଲରେ କୌଣସି ଖେଳପଡ଼ିଆ ହିଁ ନାହିଁ।

ଘଟଣାକୁ ନେଇ ବିଶାଖାପାଟଣାର ୱାନ୍ ଟାଉନ୍ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ପୋଲିସ ସିସିଟିଭି ଫୁଟେଜ୍ ଜବତ କରିବା ସହ ସ୍କୁଲ ଷ୍ଟାଫ୍‌ଙ୍କୁ ପଚରାଉଚରା କରି ମୃତ୍ୟୁର ସଠିକ୍ କାରଣ ଖୋଜୁଛି। ଅନ୍ୟପଟେ ଦୋଷୀ ଶିକ୍ଷୟିତ୍ରୀଙ୍କ ତୁରନ୍ତ ଗିରଫଦାରୀ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ପରିବାର ଲୋକେ ହସ୍ପିଟାଲ ସାମ୍ନାରେ ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

error: Content is protected !!