August 22, 2026

Now Odisha

Now Odisha

ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ତ୍ରୀ ଫେରି ଆସିବ ବୋଲି ଦେଇଥିଲେ ନରବଳି |

Spread the love

ଘର ଛାଡି ଚାଲିଯାଇଥିବା ସ୍ତ୍ରୀ ଘରକୁ ଫେରିଆସିବ ବୋଲି ଅଭିଯୁକ୍ତ ଦେଇଛନ୍ତି ନରବଳି। ଏକଥା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି ଅଭିଯୁକ୍ତ। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି. ଶୁକ୍ରବାର ଏନେଇ ସ୍ଥାନୀୟ ଜିଲା ପୋଲିସ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଖବରଦାତା ସମ୍ମିଳନୀ କରି ବଲାଙ୍ଗୀର ଜିଲା ଦେଓଗଁା ଥାନା ବଗଡା ଗଁାରେ ଯୁବକ ସନ୍ତୋଷ ଖର୍ସେଲ (୪୦)ଙ୍କୁ ବଳି ଦିଆଯିବା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି। ଏହି ଘଟଣାରେ ଗିରଫ ଅଭିଯୁକ୍ତ ଶତ୍ରୁଘ୍ନ ସାହୁ (୪୦)ଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି।
ଏସ୍‌ପି ଅଭିଳାଷ କହିଛନ୍ତି, ଅଭିଯୁକ୍ତ ଶତ୍ରୁଘ୍ନ ପାଟଣାଗଡ ଅଞ୍ଚଳରେ ବିବାହ କରିଥିଲେ। ବିବାହର କିଛିବର୍ଷ ପରେ କୌଣସି କାରଣରୁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଏହାକୁ ନେଇ ସେ ଚିନ୍ତାରେ ରହୁଥିଲେ। ନିରକ୍ଷର ଶତ୍ରୁଘ୍ନ ସ୍ତ୍ରୀ ଫେରି ଆସିବ ବୋଲି ଆଶା ରଖି ଘରେ ମନ୍ତ୍ର, ତନ୍ତ୍ର, ପୂଜାପାଠ କରୁଥିଲେ। ନରବଳି ଦେଲେ ଦେବତାମାନେ ସନ୍ତୁଷ୍ଟ ହେବେ ଏବଂ ତାଙ୍କ ସ୍ତ୍ରୀ ଶୀଘ୍ର ଘରକୁ ଫେରିଆସିବ ବୋଲି ତାଙ୍କର ଧାରଣା ହୋଇଥିଲା। ଏହାପରେ ସେ ଏଥିପାଇଁ ଯୋଜନା କରି ଆସୁଥିଲେ। ଗଁା ପୋଖରୀ ନିକଟ ଏକ ଘରେ ପୂଜାସ୍ଥଳୀ କରିଥିଲେ। ଘର ଭିତରେ ଏକ ପଥରରେ ସିନ୍ଦୂର ଲଗାଇ, ତମ୍ବାର ନାଗସାପମାନ ରଖି ପୂଜାପାଠ କରି ଆସୁଥିଲେ। ଗତ ୧୮ ତାରିଖ ଦିନ ଶତ୍ରୁଘ୍ନ ତୁଷରା ଯାଇଥିବା ବେଳେ ସେ ଟେପରାମୁଣ୍ଡାର ସନ୍ତୋଷ ଖର୍ସେଲଙ୍କୁ ଭେଟିଥିଲେ। ତାଙ୍କୁ ଏକ ସିଙ୍ଗଡା ଖାଇବାକୁ ଦେବା ସହ ଗଁାକୁ ଡାକି ଆଣିଥିଲେ। ନଦୀ ନିକଟ ଶ୍ମଶାନରେ କିଛି ସମୟ ବସି ସେଠାରେ ଉଭୟେ ମଦ ଆସର ଜମାଇଥିଲେ। ଏହାପରେ ସନ୍ତୋଷଙ୍କୁ ଘରକୁ ଡାକି ଆଣିଥିଲେ। ଘରେ ରାତି ପାଇଁ ଭୋଜନ ପ୍ରସ୍ତୁତ କରିଥିଲେ। ଭାତ, ଆଳୁ ତରକାରୀ, ମିଲକ୍‌ମେକର ରାନ୍ଧି ସନ୍ତୋଷଙ୍କୁ ଖାଇବାକୁ ଦେଇଥିଲେ। ଏହାପରେ ରାତିରେ ତାଙ୍କ ଘରେ ଶୋଇପଡିବାକୁ ସନ୍ତୋଷଙ୍କୁ କହିଥିଲେ। ଖାଇସାରିବା ପରେ ସନ୍ତୋଷଙ୍କ ପାଖରେ ଶତ୍ରୁଘ୍ନ ମଧ୍ୟ ଶୋଇପଡିବା ଅଭିନୟ କରିଥିଲେ। ସନ୍ତୋଷ ଶୋଇପଡିବା ପରେ ଶତ୍ରୁଘ୍ନ ଯୋଜନା ମୁତାବକ ଏକ ବଡ ଧାରୁଆ କଟୁରିରେ ତାଙ୍କ ବେକକୁ କାଟି ଦେଇ ମୁଣ୍ଡ-ଗଣ୍ଡି ଅଲଗା କରିଦେଇଥିଲେ। ମୁଣ୍ଡ କାଟିସାରିବା ପରେ ମୁଣ୍ଡରୁ ଝରୁଥିବା ରକ୍ତକୁ ପୂଜାସ୍ଥଳୀରେ ପକାଇ ପୂଜା କରିଥିଲେ। ଏହାପରେ ଘର ଭିତରେ ଏକ ଗାତ ଖୋଳି କଟାମୁଣ୍ଡକୁ ସେଠାରେ ପୋତି ଦେଇଥିଲେ। କଟାମୁଣ୍ଡ ପୋତିଥିବା ସ୍ଥାନ ଉପରେ ବେଲପତ୍ର ପକାଇ ପୂଜା କରି ମୁଣ୍ଡ ଯେପରି ତାଙ୍କ ସ୍ତ୍ରୀ ଫେରିଆସିବା ପର୍ଯ୍ୟନ୍ତ ସୁରକ୍ଷିତ ରହିବ ସେହି ବ୍ୟବସ୍ଥା କରିଥିଲେ। କଟାମୁଣ୍ଡ ପୋତିଥିବା ସ୍ଥାନ ଉପରେ ନିଜର ଖଟ ପକାଇ ସେ ସ୍ଥାନର ସୁରକ୍ଷା ବ୍ୟବସ୍ଥା କରିଥିଲେ। ଏହାପରେ ମୁଣ୍ଡବିହୀନ ଗଣ୍ଡିକୁ ଘରୁ ଉଠାଇ ନେଇ ପ୍ରାୟ ୨୦ ମିଟର ଦୂରରେ ଥିବା ପୋଖରୀରେ ଫିଙ୍ଗି ଦେଇ ପୁଣି ଘରକୁ ଫେରି ଆସିଥିଲେ। ସ୍ତ୍ରୀ ଫେରି ଆସିବ ବୋଲି ନରବଳି ଦେଇଥିବା ଜେରାବେଳେ ଅଭିଯୁକ୍ତ ପୋଲିସକୁ ସୂଚନା ଦେଇଛନ୍ତି। ଏହି କାଣ୍ଡ ପାଇଁ ତାଙ୍କ ମନରେ କୌଣସି ଅନୁଶୋଚନା ନ ଥିବା ଏସପି ଅଭିଳାଷ କହିଛନ୍ତି। ଅଶିକ୍ଷା, କୁସଂସ୍କାର ଯୋଗୁ ଏଭଳି ନାରକୀୟ କାଣ୍ଡ ଘଟିଥିବା ଏସ୍‌ପି ସୂଚନା ଦେଇଛନ୍ତି। ଏ ଦିଗରେ ସାମାଜିକ ସଚେତନତାର ଢ଼େର ଆବଶ୍ୟକ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସଦର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ।

error: Content is protected !!