ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ ଉଦ୍ଧର୍ବ ସମୟ ଧରି ଲାଗି ରହିଥିବା ବର୍ଷା ଯୋଗୁ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଥିବା ବେଳେ କୋକସରା ବ୍ଲକରେ ଚଳିତ ବର୍ଷର ସର୍ବାଧିକ ରେକର୍ଡ ୧୦୨ ମିଲିମିଟର ବର୍ଷା ହୋଇଛି।
ବ୍ଳକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବେହେରା ନଦୀ ଡୁମେରଦର ବ୍ରିଜ ରାସ୍ତା ବର୍ଷାରେ ଧୋଇଯାଇଥିବା ବେଳେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏନେଇ ଉକ୍ତ ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତ ଅନୁଧ୍ୟାନ କରିଛନ୍ତି।
ଖୁଣ୍ଟିଆ ପଞ୍ଚାୟତ ଅନ୍ତର୍ଗତ ବାରବଖରା ଗାଁର ୫ ପରିବାର ଚାଷ ଜମିକୁ ଯାଇଥିବା ବେଳେ ମୁଟୁରା ନଦୀରେ ହଠାତ୍ ପାଣି ବଡ଼ି ଯିବାରୁ ସେମାନେ ଫସି ରହିଥିବା ବେଳେ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ସେହିପରି କୁଲୁରଗୁଡା, ଟେମରାକୁ ସଂଯୋଗ କରୁଥିବା ବେହେରା ନାଲାର ଖୁର୍ସେଲଗୁଡା ନିକଟସ୍ଥ ବ୍ରିଜରେ ଘାଇ ସୃଷ୍ଟି ହେବାସହ ପାଣି ଗାଁକୁ ମାଡି ଆସି ଆସିଛି।
ଏପରିକି ଲଡୁଗାଁ-ସୁପାଡ ରାସ୍ତାରେ ଥିବା ଅସ୍ଥାୟୀ ପୋଲ ବିଚ୍ଛିନ୍ନ ହୋଇଛି। ଯାହା ଫଳରେ ସ୍ଥାନୀୟ ଲୋକେ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଟୁରା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ କାଉଡୋଲା ଗ୍ରାମର ଲୋକଙ୍କ ଘରେ ପାଣି ପଶିଯାଇଛି। ସେହିପରି ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମରେ ମଧ୍ୟ ପାଣି ପଶିଯାଇଛି।
କୋକସରା ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିବା ସହ ପାଣି ନିଷ୍କାସନର ବ୍ୟବସ୍ଥା କରୁଛନ୍ତି। ସେହିପରି ୨୬ ନମ୍ବର ଜାତୀୟ ରାଜପଥର କୁସୁମଖୁଣ୍ଟି ନିକଟରେ ମଧ୍ୟ ବିରାଟକାୟ ଗଛ ପଡ଼ିଥିବାରୁ ଯୋଗାଯୋଗ ପ୍ରଭାବିତ ହୋଇଥିଲା। ଅଗ୍ନିଶମ କର୍ମଚାରୀମାନେ ଗଛକାଟି ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ବ୍ଳକର ବଡ଼ପୋଡ଼ାଗୁଡ଼ା ଗ୍ରାମଦେଇ ପ୍ରବାହିତ ହେଉଥିବା ମୁଟୁରା ନଦୀ ଉପରେ ମଧ୍ୟ ପାଣି ପ୍ରବାହିତ ହୋଇ ଅନେକ ଚାଷ ଜମିରେ ଜଳମଗ୍ନ ହୋଇଛି।
ଲଗାଣ ବର୍ଷା ଯୋଗୁ ବାଞ୍ଜିବାହାଲର ୩ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଖରାପ ହୋଇଯାଇଥିବା ବେଳେ ବଡ଼ପୋଡ଼ାଗୁଡ଼ା ଅଞ୍ଚଳର ୩ରୁ ଊଦ୍ଧର୍ବ ବିଦ୍ୟୁତ୍ ପୋଲ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି।
ଏପରିକି କୋକସରା ଅବକାରୀ ଥାନାର ଅସ୍ଥାୟୀ କାର୍ଯ୍ୟାଳୟରେ ପାଣି ପଶି ଯିବାରୁ ଅନେକ ଗୁରୁତ୍ତ୍ୱପୂର୍ଣ କାଗଜ ପତ୍ର ନଷ୍ଟ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି। ବର୍ଷା ଯୋଗୁ ବ୍ଳକର ବେହେରା ନଦୀ ଓ ମୁଟୁରା ନଦୀ ଅଞ୍ଚଳରେ ଥିବା ଗ୍ରାମବାସୀ ନଦୀକୂଳକୁ ନ ଯିବା ସହ ଗୃହପାଳିତ ପଶୁଙ୍କ ପ୍ରତି ସତର୍କତା ଅବଲମ୍ବନ କରି ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଥିବା ବେଳେ ଶ୍ରାବଣ ମାସ ହେତୁ ଡୋକରୀ ଚଞ୍ଚରା ପର୍ଯ୍ୟଟନ ଅଞ୍ଚଳରେ ଥିବା ବ୍ରିଜ ଭାଙ୍ଗି ଯିବାରୁ ସେଠାକୁ ନ ଯିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ଏଥି ସହିତ ଲୋକଙ୍କୁ କ୍ଷୟକ୍ଷତି ସମ୍ପର୍କରେ ପ୍ରଶାସନକୁ ଜଣାଇବାକୁ କହିଛନ୍ତି।
ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କୁ ପଚାରିବାରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରାଯାଇଛି। ଲୋକଙ୍କୁ ସଚେତନ କରାଯାଉଛି। ବର୍ଷା କମିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ସେ କହିଛନ୍ତି।

More Stories
ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ
୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି