September 5, 2026

Now Odisha

Now Odisha

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

Spread the love

୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ବୃଦ୍ଧି ପାଇଛି। TVK ସଭାପତି  ତଥା ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗଧାଡ଼ିରେ ରଖିବାକୁ ଦଳୀୟ ନେତା ଓ ସମର୍ଥକମାନେ ଦାବି କରୁଥିବା ବେଳେ, ଏହାକୁ ନେଇ ଦେଖାଦେଇଥିବା ବିବାଦ ଉପରେ ଶୁକ୍ରବାର ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ତାମିଲନାଡୁ ମନ୍ତ୍ରୀ କେ.ଏ. ସେଙ୍ଗୋଟ୍ଟୈୟାନ।

ମନ୍ତ୍ରୀ ସେଙ୍ଗୋଟ୍ଟୈୟାନ କହିଛନ୍ତି ଯେ ଏହି ବିଷୟରେ TVK ନେତୃତ୍ୱ “ସମ୍ପୂର୍ଣ୍ଣ ସ୍ପଷ୍ଟ”। ତାମିଲନାଡୁର ଜନସାଧାରଣ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଭୋଟ ଦେଇଛନ୍ତି। ଗଠନର ମାତ୍ର ଦୁଇ ବର୍ଷ ମଧ୍ୟରେ ଏବଂ ନିର୍ବାଚନର ମାତ୍ର ଦୁଇ ମାସ ପୂର୍ବରୁ ନୂଆ ସଙ୍କେତ ଚିହ୍ନ ପାଇ ଦଳ ବିଧାନସଭା ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ବିଜୟ ରାଜ୍ୟବାସୀଙ୍କ ସୁରକ୍ଷା ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରୀ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି।

କହିରଖୁଛୁ, କିଛିଦିନ ତଳେ ତୁଥୁକୁଡି ସହରରେ ବିଜୟଙ୍କୁ “ଆସନ୍ତାକାଲିର ପ୍ରଧାନମନ୍ତ୍ରୀ” ଦର୍ଶାଇ କିଛି ପୋଷ୍ଟର ଲଗାଯାଇଥିଲା, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାପରେ TVK ବିଧାୟିକା କନିମୋଝି ସନ୍ତୋଷ ବକ୍ତବ୍ୟ ଦେଇଥିଲେ ଯେ, “୨୦୨୯ରେ ଭାରତୀୟ ରାଜନୀତିରେ ଏକ ବଡ଼ ଓ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିବ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜେ ବିଜୟଙ୍କ ହାତ ଧରି ତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବେ।” ଏହାସହ TVK ମନ୍ତ୍ରୀ ଆଧବ ଅର୍ଜୁନ ମଧ୍ୟ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ତାମିଲନାଡୁର ନେତାଙ୍କୁ ମିଳିବା ଉଚିତ ବୋଲି ଯୁକ୍ତି ବାଢ଼ିଥିଲେ।

TVK ନେତାଙ୍କ ଏହି ଆଭିମୁଖ୍ୟକୁ ନେଇ ଶାସକ ମେଣ୍ଟର ଭାଗିଦାରୀ ଥିବା କଂଗ୍ରେସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଯଦି TVK ୨୦୨୯ ନିର୍ବାଚନରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗ୍ରହଣ ନ କରେ, ତେବେ ସରକାରରୁ କଂଗ୍ରେସ ମନ୍ତ୍ରୀମାନେ ଇସ୍ତଫା ଦେବେ ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଏସ. ରାଜେଶ କୁମାର ଚେତାବନୀ ଦେଇଛନ୍ତି। ଅପରପକ୍ଷରେ, ତାମିଲନାଡୁ କଂଗ୍ରେସ ସଭାପତି ବି. ମଣିକମ ଟାଗୋର୍‌ କହିଛନ୍ତି ଯେ କିଛି TVK ନେତା ଏବେ ବି ’ଫ୍ୟାନ୍‌-କ୍ଲବ୍‌ ମାଇଣ୍ଡସେଟ୍‌’ରୁ ବାହାରି ପାରିନାହାନ୍ତି।

ଉଲ୍ଲେଖଯୋଗ୍ୟ, ତାମିଲନାଡୁର TVK ନେତୃତ୍ୱାଧୀନ ସରକାରରେ କଂଗ୍ରେସର ୫ ଜଣ ବିଧାୟକ (ଯେଉଁଥିରୁ ଦୁଇଜଣ ମନ୍ତ୍ରୀ), TVKର ୧୦୭ ଜଣ, ଆଇୟୁଏମଏଲ୍‌ର ୨ ଜଣ ଏବଂ ସିପିଆଇ/ଭିସିକିର ବିଧାୟକ ସାମିଲ ଅଛନ୍ତି। ପ୍ରଧାନମନ୍ତ୍ରୀ ପଦବୀକୁ ନେଇ ମେଣ୍ଟ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବାକ୍‌-ଯୁଦ୍ଧ ଏବେ ରାଜ୍ୟ ରାଜନୀତିରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

error: Content is protected !!