September 5, 2026

Now Odisha

Now Odisha

CJPକୁ କାହିଁକି ସମର୍ଥନ କରିଥିଲେ? ସୋନମ ୱାଙ୍ଗଚୁକ୍‌ କଲେ ବଡ଼ ଖୁଲାସା, କହିଲେ ପାକିସ୍ତାନ….

Spread the love

CJP ଆନ୍ଦୋଳନ ସହ ନିଜର ସମ୍ପର୍କ ଏବଂ ଦଳର ବିଦେଶୀ ସମ୍ପର୍କକୁ ନେଇ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସୋନମ ୱାଙ୍ଗଚୁକ୍‌। ସେ କହିଛନ୍ତି ଯେ ଗ୍ରାଉଣ୍ଡ ରିପୋର୍ଟ, ଉପଲବ୍ଧ ତଥ୍ୟ ଏବଂ ଆନ୍ଦୋଳନରେ ସାମିଲ ଯୁବକମାନଙ୍କ ସହ ଆଲୋଚନା କରିବା ପରେ ହିଁ ସେ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ ।

ଏକ ପଡ୍‌କାଷ୍ଟରେ ସୋନମ ୱାଙ୍ଗଚୁକ୍‌ଙ୍କୁ CJP ଆନ୍ଦୋଳନର ଫଣ୍ଡିଂ ଏବଂ ବିଦେଶୀ ସମ୍ପର୍କକୁ ନେଇ ପ୍ରଶ୍ନ କରାଯାଇଥିଲା। ଏହି ସମୟରେ ମଜାଳିଆ ଢଙ୍ଗରେ ତାଙ୍କୁ ପଚରାଯାଇଥିଲା—‘ଆପଣ CIA ସହ ଜଡ଼ିତ କି?’ ମଜାରେ ସେ କହିଥିଲେ ଯେ CIAର ଚାକିରି ଦେବା ପ୍ରକ୍ରିୟା ହୁଏତ ଏତେ ଗୁପ୍ତ ଯେ ମଣିଷ ମରିବାର ୫୦୦ ବର୍ଷ ପରେ ବି ତାଙ୍କୁ ଏହା ଜଣାପଡ଼ିବ ନାହିଁ । ଜୁନ୍‌ରେ ଦିଲ୍ଲୀର ଜନ୍ତର ମନ୍ତରରେ CJP ନେତୃତ୍ୱରେ ଆରମ୍ଭ ହୋଇଥିବା ପ୍ରଦର୍ଶନରେ ସୋନମ ୱାଙ୍ଗଚୁକ୍‌ ଏକ ପ୍ରମୁଖ ଚେହେରା ଥିଲେ । ପରୀକ୍ଷାରେ ଅନିୟମିତତାକୁ ନେଇ ହୋଇଥିବା ଏହି ଆନ୍ଦୋଳନକୁ ସେ ସମର୍ଥନ କରିଥିଲେ ଏବଂ ପ୍ରଦର୍ଶନକାରୀଙ୍କ ସମର୍ଥନରେ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ମଧ୍ୟ କରିଥିଲେ।

CJPର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଶିକ୍ଷାଗତ ଦାବି ଏବଂ ପାକିସ୍ତାନ, ବାଂଲାଦେଶ କିମ୍ବା ଆମେରିକା ସହ କଥିତ ସମ୍ପର୍କକୁ ନେଇ ୱାଙ୍ଗଚୁକ୍‌ କହିଛନ୍ତି ଯେ ସେ କୌଣସି ବଡ଼ ତଦନ୍ତକାରୀ ସଂସ୍ଥା ଭଳି ଗଭୀର ତଦନ୍ତ କରିନଥିଲେ। ତେବେ ଆନ୍ଦୋଳନକୁ ନେଇ ଉପଲବ୍ଧ ତଥ୍ୟ ଯାଞ୍ଚ କରିଥିବା ସେ କହିଛନ୍ତି। ୱାଙ୍ଗଚୁକ୍‌ଙ୍କ ଅନୁସାରେ, ତାଙ୍କ ସମେତ କିଛି ଅଧିକାରୀଙ୍କୁ କୁହାଯାଉଥିଲା ଯେ ଆନ୍ଦୋଳନକୁ ବାଂଲାଦେଶ, ପାକିସ୍ତାନ ଓ ଆମେରିକାରୁ ବଡ଼ ସମର୍ଥନ ମିଳୁଛି । କିନ୍ତୁ ସୋସିଆଲ ମିଡିଆ ଫଲୋଅର୍‌ଙ୍କ ତଥ୍ୟ ଦେଖିବା ପରେ ୯୪ ପ୍ରତିଶତ ଫଲୋଅର୍‌ ଭାରତୀୟ ଏବଂ କେବଳ ୬ ପ୍ରତିଶତ ବିଦେଶୀ ଥିବା ସେ କହିଛନ୍ତି।

ମଜାଳିଆ ଢଙ୍ଗରେ ୱାଙ୍ଗଚୁକ୍‌ କହିଥିଲେ ଯେ ଭାରତ ବୋଧହୁଏ ପ୍ରକୃତରେ ‘ବିଶ୍ୱଗୁରୁ’ ହେଉଛି। ଭାରତରୁ ଆରମ୍ଭ ହୋଇଥିବା ‘କକରୋଚ୍ ଜନତା ପାର୍ଟି’ ପାକିସ୍ତାନରେ ମଧ୍ୟ ତିଆରି ହେଉଥିବା କହି ସେ ଏହାକୁ ନେଇ ବ୍ୟଙ୍ଗ କରିଥିଲେ। ୱାଙ୍ଗଚୁକ୍‌ କହିଛନ୍ତି ଯେ ୬ ପ୍ରତିଶତ ବିଦେଶୀ ଫଲୋଅର୍‌ ରହିବାକୁ ସେ ବିପଦର କାରଣ ବୋଲି ଭାବୁନାହାନ୍ତି । ଯଦି ଏହି ସଂଖ୍ୟା ୩୦ ପ୍ରତିଶତ ହୋଇଥାନ୍ତା, ତେବେ ତାଙ୍କ ପାଇଁ ଏହା ଚିନ୍ତାର ବିଷୟ ହୋଇଥାନ୍ତା ବୋଲି ସେ କହିଛନ୍ତି। ଆନ୍ଦୋଳନକାରୀଙ୍କ ସହ ଫୋନ୍‌ରେ କଥା ହୋଇ ବିଭିନ୍ନ ପ୍ରଶ୍ନ ପଚାରିବା ପରେ ମଧ୍ୟ ସେମାନେ କୌଣସି ବିଦେଶୀ ଶକ୍ତି ପାଇଁ କାମ କରୁଥିବା ତାଙ୍କୁ ଲାଗିନଥିଲା।

ୱାଙ୍ଗଚୁକ୍‌ଙ୍କ କହିବା ଅନୁସାରେ, ଆନ୍ଦୋଳନର ଉଦ୍ଦେଶ୍ୟରେ କୌଣସି ଖରାପ ମନୋଭାବ ନଥିବା ନେଇ ସେ ନିଶ୍ଚିତ ହେବା ପରେ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଥିଲେ । ବିଶେଷକରି ଆନ୍ଦୋଳନକାରୀମାନେ ଦିଲ୍ଲୀ ପହଞ୍ଚିବା ମାତ୍ରେ ଗିରଫ ହୋଇପାରନ୍ତି ବୋଲି କହିବା ପରେ ସେ ସେମାନଙ୍କ ସହ ଯୋଡ଼ି ହେବାକୁ ନିଷ୍ପତ୍ତି ନେଇଥିଲେ । ଯଦି ସେମାନଙ୍କୁ ଗିରଫ କରାଯାଏ, ତେବେ ସେ ଅନଶନ କରିବେ ବୋଲି ମଧ୍ୟ କହିଥିଲେ।

ତେବେ କେବଳ ସୋସିଆଲ ମିଡିଆର ତଥ୍ୟ କିମ୍ବା ସ୍କ୍ରିନ୍‌ସଟ୍‌ ଦେଖି ଆନ୍ଦୋଳନ ଉପରେ ଭରସା କରିବା ଠିକ୍‌ କି ନୁହେଁ, ଏହି ପ୍ରଶ୍ନରେ ୱାଙ୍ଗଚୁକ୍‌ କହିଛନ୍ତି ଯେ ଆଗକୁ ଅଧିକ ତଦନ୍ତ ହେଲେ ସେ ଏଥିପାଇଁ ପ୍ରସ୍ତୁତ।

error: Content is protected !!