September 11, 2026

Now Odisha

Now Odisha

ଓରାଙ୍ଗ୍‌ଉଟାନ ଶାବକଙ୍କ ଡିଏନ୍‌ଏ ପରୀକ୍ଷାକୁ ନେଇ ଉଠୁଛି ପ୍ରଶ୍ନବାଚୀ

Spread the love

ବାଲେଶ୍ୱର ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗ୍‌ଉଟାନ ଶାବକଙ୍କୁ ନେଇ ସବୁ ପ୍ରକାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ପ୍ରଦୀପ ମୀରାସେ କହିଛନ୍ତି, ଓରାଙ୍ଗ୍‌ଉଟାନମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି ବଳୟ ଭିତରେ ରଖାଯାଇଛି। ସେମାନେ ଏବେ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି, ସେମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଆସନ୍ତା ୧୦ଦିନ ପରେ ସେମାନଙ୍କ ଡିଏନ୍‌ଏ ପରୀକ୍ଷା କରାଯିବ। ରକ୍ତ ନମୁନା ନେବା ପୂର୍ବରୁ ନ୍ୟାଶନାଲ ଜୁ’ ଅଥରିଟି ସହିତ ବିଚାରବିମର୍ଶ କରାଯିବ ବୋଲି ଉପନିର୍ଦ୍ଦେଶକ କହିଛନ୍ତି। ତେବେ ଏହି ଡିଏନ୍‌ଏ ପରୀକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଧାରଣତଃ ଏହି ପରୀକ୍ଷା ବଂଶ ପରିଚୟ ଜାଣିବା ପାଇଁ ହୋଇଥାଏ। ହେଲେ ଏହି ପ୍ରାଣୀମାନେ ଓଡ଼ିଶା କିମ୍ବା ଭାରତରେ ଦେଖିବାକୁ ମିଳନ୍ତି ନାହିଁ। ତେଣୁ ଉକ୍ତ ଓରାଙ୍ଗଉଟାନମାନଙ୍କ କିଭଳି ବଂଶ ପରିଚୟ ଜଣାପଡ଼ିବ ବୋଲି ପ୍ରଶ୍ନ ଉଠିଛି। ଏ ନେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ପ୍ରେମ କୁମାର ଝା କହିଛନ୍ତି। ସାଧାରଣତଃ ୩ ପ୍ରକାର ବଂଶଧର ଯଥା ବୋର୍ନିଅନ୍‌, ସୁମାତ୍ରାନ୍‌ ଏବଂ ତାପାନୁଲି ଓରାଙ୍ଗ୍‌ଉଟାନ ଦେଖିବାକୁ ମିଳିଥାନ୍ତି। ଉଦ୍ଧାର ଓରାଙ୍ଗ୍‌ଉଟାନ କେଉଁ ବଂଶଧରର ଜାଣିବା ପାଇଁ ଡିଏନ୍‌ଏ ଟେଷ୍ଟ କରାଯିବାକୁ ରହିଛି।
ଅନ୍ୟପକ୍ଷରେ ବାଲେଶ୍ୱରରେ କଳାରଙ୍ଗର ‘ଥାର’ ଗାଡ଼ିର ଅନୁସନ୍ଧାନ କରାଯିବା ସହିତ ନିକଟସ୍ଥ ଲୋକଙ୍କୁ ପଚରାଉଚରା କରାଯାଉଛି। ଏହାସହିତ ନ୍ୟାଶନାଲ ଜୁ’ ଅଥରିଟି, ଡବ୍ଲ୍ୟୁସିସିବି ଏବଂ ଏସ୍‌ଟିଏଫ୍‌ ପକ୍ଷରୁ ତଦନ୍ତ କରାଯାଉଛି। ଏହି ଆନ୍ତଃରାଜ୍ୟ ଚୋରା ଚାଲାଣ ପଛରେ କେଉଁମାନଙ୍କ ପ୍ରଚ୍ଛନ୍ନ ହାତ ରହିଛି ସେମାନଙ୍କୁ ଖୋଜି ବାହାର କରାଯିବ, ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ୫ଜଣ ଯାକ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ସ୍ବତନ୍ତ୍ର ଚିକିତ୍ସକ ଦଳ ନିୟୋଜିତ ଅଛନ୍ତି। ସେମାନଙ୍କ ଅବସ୍ଥା ଭଲ ଅଛି। ଡିଏନ୍‌ଏ ଟେଷ୍ଟ କରିବା ସମୟ ଆସିନାହିଁ। ନ୍ୟାଶନାଲ ଜୁ’ ଅଥରିଟିଙ୍କ ନିର୍ଦ୍ଦେଶକ୍ରମେ ସେସବୁ ସମୟ ଭିତରେ କରାଯିବ ବୋଲିି ମନ୍ତ୍ରୀ କହିଛନ୍ତି।

error: Content is protected !!