September 11, 2026

Now Odisha

Now Odisha

ବର୍ଷାଜଳରେ ବେହାଲ ବ୍ଲକ କାର୍ଯ୍ୟାଳୟ |

Spread the love

ବର୍ଷାଜଳରେ ବେହାଲ ହୋଇପଡ଼ିଛି ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟ। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କନ୍ଧମାଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିଲା। ଏହି ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ତୁମୁଡ଼ିବନ୍ଧ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ବର୍ଷାଜଳ ବ୍ଲକ କାର୍ଯ୍ୟାଳୟ ଭିତରକୁ ପଶିଯାଇଥିଲା।

ସାଧାରଣ ବିଭାଗ, ଗ୍ରାମୀଣ ଗୃହ ସଂଯୋଜନା ବିଭାଗ, ଗ୍ରାମ ପଞ୍ଚାୟତ ବିଭାଗ, ବିଭିଜି ରାମଜୀ ବିଭାଗ ଓ ଭିସି ହଲ୍‌ ସମେତ ଏକାଧିକ ବିଭାଗର କାର୍ଯ୍ୟାଳୟ ଭିତରକୁ ପାଣି ପଶିଥିଲା। ଫଳରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟାଳୟରୁ ବର୍ଷାଜଳ ନିଷ୍କାସନ କରିବା ସହ ପାଣି ପୋଛାପୋଛି କରିବାରେ ନାକେଦମ ହୋଇପଡ଼ିଥିଲେ।

ଚଳିତ ବର୍ଷରେ ଆଜିକୁ ମିଶାଇ ତିନିଥର ବ୍ଲକ କାର୍ଯ୍ୟାଳୟ ଭିତରକୁ ବର୍ଷାଜଳ ପଶିଥିବା ଜଣାଯାଇଛି। କାର୍ଯ୍ୟାଳୟର ପଛପଟେ ନୂତନ ଭାବେ ଏକ କୋଠା ନିର୍ମାଣ କାର୍ଯ୍ୟ ଚାଲିଛି। ଏହା ଅର୍ଦ୍ଧନିର୍ମିତ ଅବସ୍ଥାରେ ମୁକୁଳା ପଡ଼ିଥିବାରୁ ସେଠାରେ ଜମୁଥିବା ବର୍ଷାଜଳ ବ୍ଲକ କାର୍ଯ୍ୟାଳୟ ଭିତରକୁ ପଶିଆସୁଥିବା ଅଭିଯୋଗ ହୋଇଛି।

ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବର୍ଷାଜଳ ଯେପରି ବ୍ଲକ କାର୍ଯ୍ୟାଳୟ ଭିତରକୁ ନ ପଶେ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବା କଥା। ତେବେ ଏଭଳି ବ୍ୟବସ୍ଥା କରାଯାଇ ନ ଥିବାରୁ ବର୍ଷାଜଳ କାର୍ଯ୍ୟାଳୟ ଭିତରକୁ ପଶୁଥିବା ଅଭିଯୋଗ ହୋଇଛି। ଫଳରେ କାର୍ଯ୍ୟାଳୟରେ ଥିବା ବିଭିନ୍ନ ସରକାରୀ ନଥିପତ୍ର ପାଣିରେ ଭିଜି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।

ଏ ସମ୍ପର୍କରେ ବ୍ଲକ ବିଡିଓ ବନବିହାରୀ ହରପାଲଙ୍କୁ ପଚାରିବାରୁ, ବର୍ଷାଜଳ ଯେପରି ବ୍ଲକ କାର୍ଯ୍ୟାଳୟ ଭିତରକୁ ନ ପଶେ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

error: Content is protected !!