September 17, 2026

Now Odisha

Now Odisha

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

Spread the love

ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି ।ଫଳରେ ବିଜେଡି ଜିଲା ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି ।

ଉକ୍ତ ହତ୍ୟା ମାମଲାର ସାକ୍ଷୀ ତଥା ଆଇନଜୀବୀ ଲଳିତ ମୋହନ ମଙ୍ଗରାଜ ଏନେଇ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଜେଲ ଭିତରୁ ସିସିଟିଭି ଫୁଟେଜ ଓ ଫୋନ କଲ୍ ରେକର୍ଡ ସଂଗ୍ରହ କରିଛି । ସେଥିରୁ ଅଭିଯୋଗର ଅନେକ ସତ୍ୟତା ଥିବା ତଥ୍ୟ ହସ୍ତଗତ ହୋଇଛି । ବିକ୍ରମ ପଣ୍ଡା, ଉକ୍ତ ହତ୍ୟା ମାମଲାରେ ବ୍ରହ୍ମପୁର ମଣ୍ଡଳକାରାଗାରରେ ବିଚରାଧୀନ ବନ୍ଦୀ ଥିବା ମଦନ ଦଳାଇ ଓ ଜେଲରେ କାର୍ଯ୍ୟରତ ଥିବା ଡାକ୍ତରଙ୍କ ମୋବାଇଲ ବ୍ୟବହାର କରି ସାକ୍ଷୀଙ୍କୁ ଗତ ଅଗଷ୍ଟ ୨୮ ତାରିଖରେ ଧମକ ଦେଇଥିବା ନେଇ ଅଭିଯୋଗରେ ଉଲ୍ଲେଖ ରହିଛି ।

ଏନେଇ ବୁଧବାର ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଖବରଦାତାଙ୍କୁ ସୂଚନା ଦେଇଛନ୍ତି । ଅନ୍ୟପଟେ ଲଳିତ ମଙ୍ଗରାଜଙ୍କ ଅଭିଯୋଗ ଆଧାରରେ ପୋଲିସ ୩୫୫/୨୬ ରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏଥିରେ ଜେଲରେ କାର୍ଯ୍ୟରତ ଡାକ୍ତରଙ୍କ ମୋବାଇଲ ବ୍ୟବହାର ହୋଇଥିବା ନେଇ ଜିଲା ଓ ରାଜ୍ୟ ପ୍ରଶାସନକୁ ଅବଗତ କରାଯାଇଛି ବୋଲି ଏସପି କହିଛନ୍ତି ।

ପ୍ରକାଶଥାଉକି ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ପୂର୍ବତନ ବିଧାୟକ ଛନ୍ଦି ହୋଇ ବ୍ରହ୍ମପୁର ଜେଲରେ ୧୦ ମାସରୁ ଅଧିକ ସମୟ ଧରି ଜେଲରେ ରହିଥିଲେ । ଏହାପରେ ଗତ ୧ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସର୍ତ୍ତମୂଳକ ଜାମିନରେ ମୁକୁଳିଥିଲେ ।

error: Content is protected !!