ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଭାବେ ରହିଛି। ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପୀ ରହିଛି। ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ମଙ୍ଗଳବାର ବେଳକୁ ଅବପାତ ଏବଂ ତା’ର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ବଙ୍ଗୋପସାଗରରେ ରହିଥିବା ଲଘୁଚାପ ବାତ୍ୟା ନୁହେଁ, ଗଭୀର ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି। ୨୨ତାରିଖ ସନ୍ଧ୍ୟା ବେଳକୁ ଗଭୀର ଅବପାତର ରୂପ ନେବା ସହିତ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୫୫ରୁ ୬୫ କି.ମି. କିମ୍ବା ୭୫ କି.ମି. ପର୍ଯ୍ୟନ୍ତ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।
୨୩ ତାରିଖ ସକାଳେ ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ପାଖରେ ପହଞ୍ଚତ୍ବ। ତେଣୁ ୨୩ ଓ ୨୪ ମଧ୍ୟରେ ଉପକୂଳ ନିକଟରେ ବିଶେଷ ପ୍ରଭାବ ପକାଇବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ଜୋର୍ରେ ପବନ ବହିବା କାରଣରୁ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ଏବଂ ଯେଉଁମାନେ ସମୁଦ୍ରରେ ଅଛନ୍ତି, ସେମାନେ ଯଥାଶୀଘ୍ର ସମୁଦ୍ରରୁ ଚାଲିଆସିବା ଆବଶ୍ୟକ ବୋଲି ସତର୍କ କରାଯାଇଛି। ସେହିପରି ବିଭିନ୍ନ ବନ୍ଦରରେ ୩ନଂ. ବିପଦ ସଙ୍କେତ ଜାରି କରାଯାଇଛି। ଉପକୂଳ ଅଞ୍ଚଳରେ ବାସ କରୁଥିବା ଲୋକେ ସୁରକ୍ଷିତ ସ୍ଥାନରେ ରହିବା ଆବଶ୍ୟକ। ବିଶେଷକରି କଚ୍ଚା ଘର, ମାଟି ଘର, ଟିଣ ଛପର ଘର, ନିର୍ମାଣାଧୀନ ଗୃହ ଆଦି ଏଥିରେ ପ୍ରଭାବିତ ହୋଇପାରେ। ସୋମବାରଠାରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ରହିବ। ତେଣୁ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ଖାଲୁଆ ଅଞ୍ଚଳରେ ପାଣି ଜମିବା, ସହରାଞ୍ଚଳରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇପାରେ। ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁର ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏଥିସହିତ ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିକୁ ଘଡ଼ଘଡ଼ି ସହିତ ଝଡ଼ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ବୁଧବାରଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷକରି କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ ଦିଆଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କି.ମି. ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଅନ୍ୟପକ୍ଷରେ ସୋମବାର ମୌସୁମୀ ପୁଣି ଅପସାରିତ ହୋଇଛି। ରାଜସ୍ଥାନର ଆହୁରି କିଛି ଅଞ୍ଚଳ ତଥା ହରିୟାଣା ଏବଂ ପଞ୍ଜାବର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସରି ଯାଇଛି। ଆଗାମୀ ୨-୩ ଦିନ ମଧ୍ୟରେ ପଞ୍ଜାବ, ହରିୟାଣା-ଚଣ୍ଡିଗଡ଼-ଦିଲ୍ଲୀର ଅବଶିଷ୍ଟ ଅଂଶ, ରାଜସ୍ଥାନର ଆଉ କିଛି ଅଂଶ ତଥା ସୌରାଷ୍ଟ୍ର ଓ କଚ୍ଛ, ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମ ଉତ୍ତର ପ୍ରଦେଶର କିଛି ଅଂଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପାଇଁ ପରିସ୍ଥିତି ଅନୁକୂଳ ରହିଥିବା ସୂଚନା ରହିଛି।

More Stories
ପୁଣି ରାଜଧାନୀରେ ଫୁଟିଲା ଗୁଳି,
ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା
ବାତ୍ୟାକୁ ନେଇ ବଡ଼ ଅପଡେଟ୍ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ