September 21, 2026

Now Odisha

Now Odisha

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

Spread the love

ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି । ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ରବିବାର ନିଜ ଦଳର ଯୁବ ସମାବେଶ ‘ଫେନିକ୍ସ’ରେ ଏନେଇ ସୂଚନା ଦେଇଛନ୍ତି । ଏହି ପ୍ରସ୍ତାବ କ୍ୟାବିନେଟ୍‌ରେ ଆଗାମୀ ଦିନରେ ଉପସ୍ଥାପିତ ହେବ ବୋଲି ସେ କହିଛନ୍ତି।

ମେଲୋନିଙ୍କ ଅନୁସାରେ, ଆଇନ ମାଧ୍ୟମରେ ପ୍ରତି କ୍ଲାସରେ ସର୍ବାଧିକ କେତେଜଣ ବିଦେଶୀ ଛାତ୍ର ରହିପାରିବେ, ସେନେଇ ସୀମା ଧାର୍ଯ୍ୟ କରାଯିବ। ତେବେ ଏହି ସୀମା କେତେ ରହିବ, ତାହା ସେ ସ୍ପଷ୍ଟ କରିନାହାନ୍ତି। ସେ କହିଛନ୍ତି, ଯଦି ଗୋଟିଏ କ୍ଲାସରେ ମାତ୍ର ଜଣେ ଛାତ୍ର ଇଟାଲୀୟ ଭାଷା ବୁଝୁନଥାଏ, ତେବେ ଅନ୍ୟ ଛାତ୍ର ଓ ଶିକ୍ଷକଙ୍କ ସହଯୋଗରେ ସେ ଶୀଘ୍ର ଭାଷା ଶିଖି ସମାଜରେ ମିଶିପାରିବ । କିନ୍ତୁ ଏଭଳି ଛାତ୍ରଙ୍କ ସଂଖ୍ୟା ଅଧିକ ହେଲେ ଏକୀକରଣ ପ୍ରକ୍ରିୟା ପ୍ରଭାବିତ ହୋଇପାରେ ବୋଲି ମେଲୋନି ମତ ଦେଇଛନ୍ତି।

ଇଟାଲୀର ଶିକ୍ଷାମନ୍ତ୍ରୀ ଜିଉସେପେ ଭାଲଡିତାରା ମଧ୍ୟ ଚଳିତ ମାସରେ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ୩୦ ପ୍ରତିଶତ ସୀମା ସମ୍ପର୍କରେ ଆଇନଗତ ବ୍ୟବସ୍ଥା ଆଣିବା ନେଇ କହିଥିଲେ । ସ୍କୁଲରେ ଏକୀକରଣରେ ଗୁରୁତର ସମସ୍ୟା ଥିବା ବିଦେଶୀ ଛାତ୍ରଙ୍କ ଅଭିଭାବକଙ୍କୁ ଇଟାଲୀୟ ଭାଷା ଶିଖିବା ମଧ୍ୟ ପ୍ରସ୍ତାବିତ ନିୟମର ଅଂଶ ହେବ । ସରକାରଙ୍କ ଯୁକ୍ତି ହେଉଛି, ଭାଷା ଜ୍ଞାନ ବଢ଼ିଲେ ସ୍କୁଲ ଓ ସମାଜରେ ଛାତ୍ରଙ୍କ ଏକୀକରଣ ସହଜ ହେବ।

ମେଲୋନି କହିଛନ୍ତି ଯେ ସ୍କୁଲରେ ବୁର୍ଖା ଓ ନିକାବ ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଯିବ । ଛାତ୍ରୀମାନେ ସ୍କୁଲକୁ ମୁହଁ ଖୋଲା ରଖି ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି । ତାଙ୍କ ମତରେ, କୌଣସି ପରମ୍ପରା କିମ୍ବା ପ୍ରଥା ନାଁରେ ଜଣେ ଯୁବତୀଙ୍କୁ ନିଜ ମୁହଁ ଢାଙ୍କି ରଖିବାକୁ ବାଧ୍ୟ କରାଯିବା ଉଚିତ ନୁହେଁ। ତେବେ ଏହି ସବୁ ବ୍ୟବସ୍ଥା ଏବେ ପ୍ରସ୍ତାବ ପର୍ଯ୍ୟାୟରେ ରହିଛି । କ୍ୟାବିନେଟ୍‌ରେ ଏହା ଉପରେ ଆଲୋଚନା ପରେ ଅନ୍ତିମ ନିୟମ ଓ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମା ସ୍ପଷ୍ଟ ହେବ।

error: Content is protected !!