September 23, 2026

Now Odisha

Now Odisha

କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

Spread the love

ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଜମିର ହିଡ଼ ବାନ୍ଧି ପାଣି ଅଟକାଇବାକୁ ନେଇ ଗ୍ରାମର ପ୍ରକାଶ ବେହେରାଙ୍କୁ ତାଙ୍କ ଗ୍ରାମର ବଳରାମ ରେଡ୍ଡୀ ଓରଫ ବଳିଆ ଦା’ରେ ହାଣି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଗତ ସୋମବାର ସକାଳେ ପ୍ରକାଶ ନିଜ ଗାଁ ନିକଟସ୍ଥ ଚାଷଜମିରେ କାମ କରୁଥିବା ସମୟରେ ବଳରାମ ରେଡ୍ଡୀ ହାତରେ ଏକ ଧାରୁଆ ଦା’ ଧରି ସେଠାରେ ପହଞ୍ଚିଥିଲେ। ପ୍ରକାଶଙ୍କୁ ଗାଳିଗୁଲଜ କରିବା ସହ “କାହିଁକି ଜମିର ହିଡ଼ ବାନ୍ଧି ଆମ ଜମିକୁ ପାଣି ଛାଡ଼ୁନୁ” ବୋଲି କହି ହଠାତ୍ ଦା’ରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପ୍ରକାଶଙ୍କ ଡାହାଣ ହାତ ଓ ବେକରେ ଗଭୀର ଆଘାତ ଲାଗିଛି।

ଏହି ଘଟଣା ନେଇ ପ୍ରକାଶ ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେବା ପରେ ଥାନା ଆଇଆଇସି କିଶୋର କୁମାର ସାମଲ ଘଟଣାକୁ ଗୁରୁତ୍ୱର ସହ ନେଇ ମାମଲା ରୁଜୁ କରିଛନ୍ତି। ବିଏନ୍‌ଏସ୍‌ (BNS) ର ଦଫା ୧୨୬(୨)/୧୧୮(୧)/୨୯୬/୧୦୯/୩୫୧(୨) ଅନୁଯାୟୀ କେସ୍‌ ନଂ ୪୦୪/୨୬ ରୁଜୁ କରାଯାଇଛି।

ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଝୁନୁ ମାଝୀ ଘଟଣାର ତଦନ୍ତ ଚଳାଇଛନ୍ତି। ତେବେ ପୋଲିସ ଗିରଫ ଭୟରେ ଅଭିଯୁକ୍ତ ବଳରାମ ରେଡ୍ଡୀ ଗାଁରୁ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

error: Content is protected !!