October 16, 2026

Now Odisha

Now Odisha

ଟ୍ରଫ୍‌ ଲାଇନ ସକ୍ରିୟ: ଘଡ଼ଘଡ଼ି ବିଜୁଳି ସହିତ ଝଡ଼ବର୍ଷା ସମ୍ଭାବନା

Spread the love

ବିଦାୟନେଲା ମୌସୁମୀ। ଗୁରୁବାର ଓଡ଼ିଶା ସମେତ ସାରା ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଦକ୍ଷିଣ ଭାରତରେ ଉତ୍ତର ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିଛି। ଏଥିସହ ତାମିଲନାଡୁ ଉପକୂଳରୁ ଉତ୍ତର-ପୂର୍ବ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫ୍‌ ଲାଇନ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟରେ ଆହୁରି ୨ଦିନ ବର୍ଷା ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗୁରୁବାର ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଟକ, ପୁରୀ ଏବଂ ଜଗତ୍‌ସିଂହପୁର ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ଶୁକ୍ରବାର ଜଗତ୍‌ସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାର କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ଝଡ଼ବର୍ଷା ହେବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶନିବାର କୋରାପୁଟରେ ପ୍ରବଳ ବର୍ଷା ହେବା ସହିତ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲାକୁ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ଅନ୍ୟପକ୍ଷରେ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନ କିମ୍ବା ରାତି ତାପମାତ୍ରାରେ ସେଭଳି ବିଶେଷ ପରିବର୍ତ୍ତନ ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଭାରତରେ ମୁଖ୍ୟତଃ ଦୁଇ ପ୍ରକାରର ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସକ୍ରିୟ ରହୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ଦେଶର ଅର୍ଥନୀତି, ବିଶେଷକରି ଖରିଫ ଫସଲ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଅପରପକ୍ଷରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଅନୁଭୂତ ହେଉଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ରବି ଫସଲର ବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିଲେ ମଧ୍ୟ ସମଗ୍ର ଦେଶରେ ହାରାହାରି ୭୫୯.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସାଧାରଣ ବୃଷ୍ଟିପାତ (୮୬୮.୬ ମିଲିମିଟର) ତୁଳନାରେ ପ୍ରାୟ ୧୨.୬ ପ୍ରତିଶତ କମ୍‌। ବୃଷ୍ଟିପାତରେ ଏହି ନିଅଣ୍ଟିଆ ସ୍ଥିତି ପଛରେ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ‘ଏଲ୍‌ ନିନୋ’ ସ୍ଥିତିକୁ ମୁଖ୍ୟ କାରଣ ଭାବେ ଦର୍ଶାଯାଇଛି। ଗତ ଜୁନ୍‌ରୁ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ଜଳବାୟୁ ପରିବର୍ତ୍ତନ କ୍ରମଶଃ ଶକ୍ତିଶାଳୀ ହେବାରେ ଲାଗିଛି। ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ଅନୁଯାୟୀ, ଚଳିତବର୍ଷ ଡିସେମ୍ବରରେ ଏଲ୍‌ ନିନୋ ପ୍ରଭାବ ଚରମ ସୀମାରେ ପହଞ୍ଚତ୍ବ। ୧୯୫୦ ମସିହାରେ ପାଣିପାଗ ତଥ୍ୟ ରେକର୍ଡ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ଶକ୍ତିଶାଳୀ ଏଲ୍‌ ନିନୋ ହେବାର ସମ୍ଭାବନା ରହିଛି। ଏହି ସ୍ଥିତି ୨୦୨୭ ଫେବୃଆରୀ ପର୍ଯ୍ୟନ୍ତ ବଜାୟ ରହିପାରେ। ଏଲ ନିନୋ ଭାରତରେ ମୌସୁମୀ ବର୍ଷା ହ୍ରାସ କରିବା ସହ ବିଶ୍ୱବ୍ୟାପୀ ତାପମାତ୍ରା ବୃଦ୍ଧି କରାଇଥାଏ; ଯେତେବେଳେ କି ଏହାର ବିପରୀତ ସ୍ଥିତି ‘ଲା ନିନା’ ପୃଥିବୀକୁ ଶୀତଳ ରଖିବାରେ ସାହାଯ୍ୟ କରିଥାଏ।

error: Content is protected !!