Spread the love

 ମହିଳା ପ୍ରିମିୟର ଲିଗ (WPL) ୨୦୨୭ ସଂସ୍କରଣ ପାଇଁ ଖେଳାଳି ନିଲାମ ତାଲିକା ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୨୮ ତାରିଖରେ କେରଳର କୋଚିଠାରେ ଏହି ନିଲାମ ଅନୁଷ୍ଠିତ ହେବ। ଏଥିରେ ମୋଟ ୧୪୬ ଜଣ ଖେଳାଳି ସାମିଲ ହୋଇଥିବା ବେଳେ ପାଞ୍ଚଟି ଫ୍ରାଞ୍ଚାଇଜ ପାଖରେ ମୋଟ ୨୭ଟି ସ୍ଥାନ ଖାଲି ରହିଛି। ତେଣୁ ସୀମିତ ସ୍ଥାନ ପାଇଁ ଖେଳାଳିଙ୍କ ମଧ୍ୟରେ ଜୋରଦାର ପ୍ରତିଯୋଗିତା ହେବା ଆଶା କରାଯାଉଛି।

ନିଲାମ ତାଲିକାରେ ୧୧୯ ଜଣ ଭାରତୀୟ ଖେଳାଳି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣ ଅନ୍ତର୍ଜାତୀୟ ଅଭିଜ୍ଞତାସମ୍ପନ୍ନ ଖେଳାଳି ହୋଇଥିବା ବେଳେ ୯୭ ଜଣ ଅନକ୍ୟାପ୍ଡ ଖେଳାଳି। ସେହିପରି ୨୭ ଜଣ ବିଦେଶୀ ଖେଳାଳିଙ୍କ ମଧ୍ୟରେ ୧୪ ଜଣ କ୍ୟାପ୍ଡ ଓ ୧୩ ଜଣ ଅନକ୍ୟାପ୍ଡ ଖେଳାଳି ଅଛନ୍ତି। ବିଦେଶୀ ଖେଳାଳିଙ୍କ ତାଲିକାରେ ଆସୋସିଏଟ ଦେଶର ୬ ଜଣ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି। ମୋଟ ୨୭ଟି ଖାଲି ସ୍ଥାନ ମଧ୍ୟରୁ ୨୦ଟି ଭାରତୀୟ ଖେଳାଳିଙ୍କ ପାଇଁ ରହିଥିବା ବେଳେ ୭ଟି ସ୍ଥାନ ବିଦେଶୀ ଖେଳାଳିଙ୍କ ପାଇଁ ଉପଲବ୍ଧ ରହିଛି। ଏହି ନିଲାମରେ ଇଂଲଣ୍ଡର ସୋଫିଆ ଡଙ୍କଲି ଓ ଅଷ୍ଟ୍ରେଲିଆର ସୋଫି ମୋଲିନ୍ୟୁକ୍ସ ୫୦ ଲକ୍ଷ ଟଙ୍କାର ସର୍ବାଧିକ ବେସ ପ୍ରାଇସ୍‌ରେ ନିଜ ନାମ ପଞ୍ଜୀକୃତ କରିଛନ୍ତି।

ଭାରତର ଜି. କମଳିନୀ ଓ କିରଣ ନାଭଗିରେଙ୍କ ସହ ଅଷ୍ଟ୍ରେଲିଆର ହିଥର ଗ୍ରାହାମ ଓ ଜେସ ଜୋନାସେନ ୪୦ ଲକ୍ଷ ଟଙ୍କାର ବେସ ପ୍ରାଇସ ରଖିଛନ୍ତି। ଅନ୍ୟପକ୍ଷରେ ୩୦ ଜଣ ଖେଳାଳି ୩୦ ଲକ୍ଷ ଟଙ୍କାର ବେସ ପ୍ରାଇସ୍ରେ ପଞ୍ଜୀକରଣ କରିଛନ୍ତି। ଅବଶିଷ୍ଟ ଖେଳାଳିଙ୍କ ବେସ ପ୍ରାଇସ ୨୦ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ରହିଛି।

ଅକ୍ଟୋବର ୨୮ ତାରିଖରେ କୋଚିର ଗ୍ରାଣ୍ଡ ହାୟାଟ୍ଠାରେ ନିଲାମ ଆୟୋଜିତ ହେବ। ନିଲାମ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୫ଟା ୩୦ ମିନିଟ୍‌ରୁ ଆରମ୍ଭ ହେବ। ପାଞ୍ଚଟି ଦଳ ନିଜ ନିଜର ଆବଶ୍ୟକତା ଅନୁଯାୟୀ ଖେଳାଳି କିଣିବାକୁ ରଣନୀତି ପ୍ରସ୍ତୁତ କରିବେ।

WPL ୨୦୨୬ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଚାମ୍ପିଅନ ହୋଇଥିଲା। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ଦଳ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟ୍ରଫି ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୪ ଉଇକେଟ ହରାଇ ୨୦୩ ରନ କରିଥିଲା। ଜେମିମା ରୋଡ୍ରିଗ୍ସ ୫୭ ରନ କରି ଦଳର ସର୍ବାଧିକ ସ୍କୋରର ହୋଇଥିଲେ।

ଜବାବରେ ଆରସିବି ୧୯.୪ ଓଭରରେ ୪ ଉଇକେଟ ହରାଇ ବିଜୟ ହାସଲ କରିଥିଲା। ଅଧିନାୟିକା ସ୍ମୃତି ମନ୍ଧାନା ୮୭ ରନ୍‌ର ମ୍ୟାଚ ବିଜୟୀ ଇନିଂସ ଖେଳି ଦଳକୁ ଟାଇଟଲ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ।

error: Content is protected !!