ଭାରତୀୟ କ୍ରିକେଟ୍ରେ ବଡ଼ ପରିବର୍ତ୍ତନ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଟିମ ଇଣ୍ଡିଆର ଚୟନ କମିଟି ନିଯୁକ୍ତ କରିଛି। ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ଚୟନ କମିଟିର ନୂଆ ଅଧ୍ୟକ୍ଷ ଅର୍ଥାତ୍ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ଦିଆଯାଇଛି। ସେ ଅଜିତ ଅଗରକରଙ୍କ ସ୍ଥାନ ନେବେ। ଏହା ସହିତ ପୂର୍ବତନ କ୍ରିକେଟର ରମେଶ ପୱାରଙ୍କୁ ମଧ୍ୟ ଚୟନ କମିଟିର ନୂଆ ସଦସ୍ୟ ଭାବେ ସାମିଲ କରାଯାଇଛି।
BCCIର କ୍ରିକେଟ ପରାମର୍ଶଦାତା କମିଟି (CAC)ର ସଦସ୍ୟ ଅଶୋକ ମାଲହୋତ୍ରା ଓ ଜତିନ ପରାଞ୍ଜପେ ନୂଆ ସଦସ୍ୟ ଚୟନ ପ୍ରକ୍ରିୟା ଶେଷ କରିଥିବା ସୂଚନା ମିଳିଛି। ମୁମ୍ବାଇସ୍ଥିତ BCCI ମୁଖ୍ୟାଳୟରେ ବିଭିନ୍ନ ଆବେଦନ ଯାଞ୍ଚ କରିବା ସହ ପ୍ରାର୍ଥୀମାନଙ୍କ ସାକ୍ଷାତକାର ନିଆଯାଇଥିଲା। ଏହାପରେ ଉଭୟଙ୍କ ସହମତିରେ ରମେଶ ପୱାରଙ୍କ ନାମ ଚୟନ କରାଯାଇଛି।
ପୂର୍ବତନ ଭାରତୀୟ କ୍ରିକେଟର ରମେଶ ପୱାର ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ଭାରତ ପାଇଁ ୨ଟି ଟେଷ୍ଟ ଓ ୩୧ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଖେଳାଳି ଜୀବନ ପରେ ସେ କୋଚିଂ କ୍ଷେତ୍ରରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ସେ ଭାରତୀୟ ମହିଳା କ୍ରିକେଟ ଦଳ, ମୁମ୍ବାଇ ଓ ଗୁଜରାଟ ଦଳର ମୁଖ୍ୟ କୋଚ ଭାବେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ BCCIର ସେଣ୍ଟର ଅଫ ଏକ୍ସଲେନ୍ସରେ ବୋଲିଂ କୋଚ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି।
ଭାରତୀୟ ମହିଳା ଦଳ ସହ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦଳ ଏସିଆ କପ ଟାଇଟଲ ଜିତିବା ସହ କମନୱେଲ୍ଥ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲା। ରିପୋର୍ଟ ଅନୁସାରେ, ଭାରତୀୟ ପୁରୁଷ କ୍ରିକେଟ ଦଳର ନୂଆ ଚୟନ କମିଟିରେ ପ୍ରଜ୍ଞାନ ଓଝାଙ୍କ ସହ ଶିବ ସୁନ୍ଦର ଦାସ, ଆର୍ପି ସିଂହ, ଅଜୟ ରାତ୍ରା ଓ ରମେଶ ପାୱାର ସଦସ୍ୟ ଭାବେ ରହିବେ।
ଦଳ ପାଇଁ ଯୋଗ୍ୟ ଖେଳାଳି ଚୟନ କରିବା, ଖେଳାଳିଙ୍କ ପ୍ରଦର୍ଶନକୁ ମୂଲ୍ୟାଙ୍କନ କରିବା ଏବଂ ଆଗାମୀ ମ୍ୟାଚ ଓ ସିରିଜ ପାଇଁ ଉପଯୁକ୍ତ ଦଳ ଗଠନ କରିବା ହେଉଛି ଚୟନ କମିଟିର ମୁଖ୍ୟ ଦାୟିତ୍ୱ। ତେଣୁ ନୂଆ କମିଟି ଉପରେ ଭାରତୀୟ କ୍ରିକେଟ୍ର ଭବିଷ୍ୟତକୁ ନେଇ ବଡ଼ ଦାୟିତ୍ୱ ରହିବ।
ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଓ ଅବଦାନକୁ BCCI ପ୍ରଶଂସା କରିଛି। ତାଙ୍କ ନିଷ୍ଠା, ପରିଶ୍ରମ ଓ ଭାରତୀୟ କ୍ରିକେଟ ପ୍ରତି ଅବଦାନ ପାଇଁ ବୋର୍ଡ କୃତଜ୍ଞତା ଜଣାଇଛି। ଅଗରକରଙ୍କୁ ଜୁଲାଇ ୨୦୨୩ରେ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ କାର୍ଯ୍ୟକାଳରେ ଭାରତୀୟ ଦଳ ଆଇସିସି ଟ୍ରଫି, ଏସିଆ କପ ଏବଂ ଏସୀୟ କ୍ରୀଡ଼ାରେ ସଫଳତା ହାସଲ କରିଥିବା ଉଲ୍ଲେଖ କରାଯାଇଛି।
More Stories
ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମବେଦନା, ଦୁର୍ଗାପୂଜା ମଣ୍ଡପ ପରିଦର୍ଶନରୁ ଦୂରେଇ ରହିଲେ |
ଅକ୍ଟୋବର ୨୦ରୁ ୪ଟି ମେମୁ ଟ୍ରେନ୍ ସେବା ବାତିଲ୍ କଲା ପୂର୍ବତଟ ରେଳପଥ (ECoR)
୭୮ ବର୍ଷ ପରେ ଭାରତୀୟ କ୍ରିକେଟ୍ରେ ଘଟିଲା ବିରଳ ଘଟଣା: ରଣଜୀ ଟ୍ରଫିରେ ଚିନ୍ମୟ ରଚିଲେ ଇତିହାସ